ଜୁଲାଇ ମାସ ପାଇଁ ସତର୍କତା: ୧୦ଟି ଦିଗ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର

Published By : Prameya-News7 Bureau | June 24, 2020 IST

ଭୁବନେଶ୍ବର୨୪/୬: ଜୁଲାଇ ମାସ ପାଇଁ ସତର୍କତା । ଜୁଲାଇ ମାସରେ ରାଜ୍ୟ ସହ ଦେଶ ପାଇଁ ବେଶ ଗୁରୁତ୍ବ ପୂର୍ଣ୍ଣ। ଶୀର୍ଷକୁ ଛୁଇଁପାରେ କରୋନା ସଂକ୍ରମଣ । ଏଥିପାଇଁ ସତର୍କ ଏବଂ ସଜାଗ କରିଦେଇଛନ୍ତି ରାଜ୍ୟ ସରକାର । ବୟସ୍କଙ୍କ ପ୍ରତି ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ ସେମାନଙ୍କ ଯତ୍ନ ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଉଛି । ସତର୍କତା ଅବଲମ୍ବନ ପାଇଁ ୧୦ ଟି ଦିଗ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି ସରକାର ।

ରାଜ୍ୟରେ ପୁଣି ଆରମ୍ଭ ହେବ ଆଣ୍ଟିବଡ଼ି ଟେଷ୍ଟ । ଏଥିପାଇଁ ଆଇସିଏମଆର ଦ୍ବାରା ଅନୁମୋଦିତ ଆଣ୍ଟିବଡ଼ି ଟେଷ୍ଟ କିଟ୍ ଆସନ୍ତା ସପ୍ତାହରେ ଓଡ଼ିଶାରେ ପହଞ୍ଚିବ । ଘରକୁ ଘର ହେଉଥିବା ସର୍ଭେରେ ଆଣ୍ଟିବଡ଼ି ଟେଷ୍ଟ କିଟ୍ ବ୍ୟବହାର କରାଯିବ ବୋଲି କହିଛନ୍ତି ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ ସାଇନ୍ସର ନିର୍ଦେଶକ । ସେପଟେ ରାଜ୍ୟରେ ସ୍ଥାନୀୟ ସଂକ୍ରମଣ ବଢି ଚାଲିଥିବାରୁ ମୁକାବିଲା ପାଇଁ 3T - ଟେଷ୍ଟ, ଟ୍ରାକ୍ ଓ ଟ୍ରିଟ୍ ଉପରେ ଗୁରୁତ୍ବ ସରକାର ଗୁରୁତ୍ବ ଦେଇଛନ୍ତି । ରାଜ୍ୟରେ ଅଧିକାଂଶ ସଂକ୍ରମିତ ଲକ୍ଷଣ ବିହୀନ ଏବଂ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହେଉଛନ୍ତି । ତେଣୁ ଆତଙ୍କିତ ହେବାର କିଛି ନାହିଁ କି ଗୋଷ୍ଠୀ ସଂକ୍ରମଣ ହୋଇନି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦେଶକ ।

ସେପଟେ ସଂକ୍ରମଣ ଆଶଙ୍କାରେ ଗଂଜାମ ଜିଲ୍ଲାରେ ସରକାରୀ ଅଫିସକୁ ସର୍ବସାଧାରଣଙ୍କ ପ୍ରବେଶ ନିଷିଦ୍ଧ କରାଯାଇଛି । କିଛି ସରକାରୀ ଅଧିକାରୀ ସଂକ୍ରମିତ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ । ଆସନ୍ତା ୧୦ ଦିନ ପାଇଁ ଏହି କଟକଣା ଜାରି ରହିବ । ଗତ ୭ ଦିନ ମଧ୍ୟରେ ଜିଲ୍ଳାରେ ୬୩ ଜଣ କୋଭିଡ ଯୋଦ୍ଧା ପଜିଟିଭ୍ ଚିହ୍ନଟ ହେବା ପ୍ରଶାସନର ଚିନ୍ତା ବଢାଇଛି । ଆଜି ୭୬କୁ ମିଶାଇ ଜିଲ୍ଲାରେ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଛି ୧୦୩୧ । ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ଏକାଧିକ ଗାଁକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।

ସେପଟେ ରାଜଧାନୀରେ ସିଲ୍ ହୋଇଛି ଏକ ଘରୋଇ ହସ୍ପିଟାଲ । ବ୍ୟବସ୍ଥା ନଥାଇ ମଞ୍ଚେଶ୍ବର ସ୍ଥିତ ବ୍ଲୁ ହ୍ବିଲ୍ ହସ୍ପିଟାଲରେ ଚାଲିଥିଲା କରୋନା ଆକ୍ରାନ୍ତଙ୍କ ଟ୍ରିଟମେଣ୍ଟ । ଏହି ହସ୍ପିଟାଲରେ ଗତକାଲି ସୁଦ୍ଧା ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହସ୍ପିଟାଲକୁ ସିଲ୍ କରାଯିବା ସହ କାରଣ ଦର୍ଶଅ ନୋଟିସ୍ ଜାରି କରାଯାଇଛି ।ସେପଟେ ରାଜଧାନୀ ଭୁବନେଶ୍ବରରୁ ଆଜି ୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ୧୬ ଜଣ ଏକ ଘରୋଇ ହସ୍ପିଟାଲର କର୍ମଚାରୀ ।

ଆଜି ଗୋଟିଏ ଦିନରେ ରାଜ୍ୟରେ ୨୮୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୫୬ ଜଣ କ୍ଵାରେଣ୍ଟିନ ସେଣ୍ଟରରୁ, ୨୬ ଜଣ ସ୍ଥାନୀୟ ସଂକ୍ରମିତ |  ଆକ୍ରାନ୍ତଙ୍କ ମଧ୍ୟରେ ୮ ଜଣ  ପଶ୍ଚିମବଙ୍ଗ ଫେରନ୍ତା ଏନଡିଆରଏଫ ଯବାନ । ଗଜପତିରୁ ସର୍ବାଧିକ ୭୬ ଜଣ, ଗଂଜାମରୁ ୭୫ ଜଣ ଚିହ୍ନଟ ହୋଇଛନ୍ତି । ସେପଟେ ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ୧୩୫ ଜଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.