ଖରିଫ ଧାନ ସଂଗ୍ରହ ପାଇଁ ପ୍ରସ୍ତୁତି: ୪୪ ଲକ୍ଷ ୭୫ ହଜାର କ୍ୱିଣ୍ଟାଲ ଧାନ କିଣିବାକୁ ସରକାର ନେଇଛନ୍ତି ନିଷ୍ପତ୍ତି

Published By : Prameya-News7 Bureau | November 07, 2020 IST


ବରଗଡ଼୭/୧୧: ଆଉ ଦିନକ ପରେ ଆରମ୍ଭ ହେବ ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା । ଏଥି ପାଇଁ ଚାଲିଛି ପ୍ରଶାସନିକ ସ୍ଥରରେ ପ୍ରସ୍ତୁତି, ସୁରୁଖୁରୁରେ ଧାନ ସଂଗ୍ରହ ପାଇଁ ଚାଷୀ ନେତାଙ୍କ ସହ ସାଂସଦ ବିଧାୟକ ଜିଲ୍ଲା ପରିଷଦ ଓ ପ୍ରଶାସନିକ ଅଧିକାରୀଙ୍କ ବୈଠକ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୪୪ ଲକ୍ଷ ୭୫ ହଜାର କ୍ୱିଣ୍ଟାଲ ଧାନ କିଣିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି।

ହୀରାକୁଦର ତଳି ଅଞ୍ଚଳରେ ବା କେନାଲ ପାଣି ଉପରେ ନିର୍ଭର କରୁଥିବ ଚାଷୀଙ୍କର ପ୍ରାୟ ୩୦ ପ୍ରତିଶତରୁ ଉର୍ଦ୍ଧ୍ଵ ଧାନ ଅମଳ ସରିଲାଣି। ହେଲେ ବରଗଡ଼ ଜିଲ୍ଲାରେ ଆସନ୍ତା ୯ ତାରିଖ ଦିନ ଖୋଲିବ ବିଭିନ୍ନ ଧାନ ମଣ୍ଡି । ଅନ୍ୟ ପକ୍ଷରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ଆଶା ଆଶଙ୍କାରେ ଚାଷୀ।

ଖରିଫ ଧାନ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହେଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୪୪ ଲକ୍ଷ ୭୫ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସାମିଲ ହେବେ ୪୯ ମିଲର୍ସ ଓ ପରବର୍ତ୍ତୀ ପର୍ଯ୍ୟାୟରେ ୬୪ ମିଲର୍ସ ସାମିଲ ହେବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ସୁଧା ୧ ଲକ୍ଷ ୩୫ ହଜାର ୬୩୨ ଜଣ ଚାଷୀଙ୍କ ଟୋକନ ଆସି ସାରିଥିବା ବେଳେ ଧାନ ବିକ୍ରି ପାଇଁ ଏକ ମାସ ସମୟ ସୀମା ଧାର୍ଯ୍ୟ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.