କରୋନାର ପ୍ରଥମ ଲହର ପରେ ବେପରୁଆ ହୋଇ ପଡିଥିଲେ ସରକାର ଓ ଜନତା, ତେଣୁ ଆଜି ଏମିତି ସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି: ମୋହନ ଭାଗବତ

Published By : Prameya-News7 Bureau | May 15, 2021 IST

ନୂଆଦିଲ୍ଲୀ ୧୫।୦୫: ଦେଶରେ କରୋନାର ସାଂପ୍ରତିକ ସ୍ଥିତିକୁ ନେଇ ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘ(ଆରଏସଏସ) ପ୍ରମୁଖ ମୋହନ ଭାଗବତଙ୍କ ପ୍ରତିକ୍ରିୟା ଆସିଛି। ଶନିବାର ଭାଗବତ କହିଛନ୍ତି ଯେ, ପରୀକ୍ଷାର ଘଡିରେ ଆମକୁ ସକରାତ୍ମକ ରହିବାକୁ ପଡିବ। ଭାଗବତ 'ପଜିଟିଭିଟି ଅନଲିମିଟେଡ୍' କାର୍ଯ୍ୟକ୍ରମକୁ ସମ୍ଵୋଧିତ କରିବା ବେଳେ ଏହା କହିଛନ୍ତି। ସେ କହିଛନ୍ତି ଯେ, କରୋନାର ପ୍ରଥମ ଲହର ପରେ ସରକାର ବେପରୁଆ ହୋଇ ପଡିଥିଲେ।

ଭାଗବତ କହିଛନ୍ତି, ଆମକୁ ସକରାତ୍ମକ ରହିବାକୁ ପଡିବ। ସାଂପ୍ରତିକ ସ୍ଥିତିରେ ନିଜକୁ କୋଭିଡ୍ ନେଗେଟିଭ ରଖିବା ପାଇଁ ସାବଧାନ ରହିବାକୁ ପଡିବ। ବର୍ତ୍ତମାନ ପରିସ୍ଥିତିରେ ଭିତ୍ତିହୀନ ବୟାନ ଦେବାରୁ ନିବୃତ୍ତ ରହିବା ଉଚିତ୍। ଏହା ପରୀକ୍ଷାର ସମୟ ମାତ୍ର ଆମକୁ ଏକଜୁଟ୍  ହୋଇ ରହିବାକୁ ହେବ ଏବଂ ଏକ ଟିମ୍ ଭାବେ କାର୍ଯ୍ୟ କରିବାକୁ ପଡିବ।

ଆରଏସଏସ ପ୍ରମୁଖ କହିଛନ୍ତି, ସଫଳତା ଏବଂ ବିଫଳତା ଜୀବନରେ ଅନ୍ତିମ ନୁହେଁ। କୌଣସି କାମକୁ ଜାରି ରଖିବାର ସାହାସ ହିଁ ଗୁରୁତ୍ଵ ବହନ କରେ। ଆମେ ବର୍ତ୍ତମାନ ଜଟିଳ ପରିସ୍ଥିତିର ସାମ୍ନା କରୁଛେ କାରଣ ସରକାର, ପ୍ରଶାସନ ଓ ଜନତା ସମସ୍ତେ କୋଭିଡ୍‌ର ପ୍ରଥମ ଲହର ପରେ ବେପରୁଆ ହୋଇ ପଡିଥିଲେ। ଏବେ ଦେଶରେ ତୃତୀୟ ଲହର ଆସିବାର ଆଶଙ୍କା ସୃଷ୍ଟି  ହୋଇଛି। ମାତ୍ର ଆମକୁ ଭୟଭୀତ ହେବାର ନାହିଁ, ବରଂ ନିଜକୁ ପ୍ରସ୍ତୁତ ରଖିବାର ଆବଶ୍ୟକତା ରହିଛି।

କାର୍ଯ୍ୟକ୍ରମକୁ ସମ୍ବୋଧନ କରି ମୋହନ ଭାଗବତ କହିଛନ୍ତି, କରୋନା ମହାମାରୀ ମାନବତା ପାଇଁ ଏକ ଆହ୍ଵାନ। ଏହାର ସଫଳ ମୁକାବିଲା କରି ଭାରତକୁ ଦୁନିଆ ପାଇଁ ଉଦାହରଣ  ପାଲଟିବାର ଅଛି। ଆମକୁ ଭୁଲ୍-ଠିକ୍‌ର ଆଲୋଚନା ବିନା ଏକ ଦଳ ଭାବେ କାମ କରିବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.