ଲଦାଖରେ ଥମିଲା ତାତି, LACରୁ ଅଢେଇ କିଲୋମିଟର ପଛକୁ ହଟିଲା ଚୀନ, ଭାରତୀୟ ସେନା ବି କିଛି ବାଟ ଫେରିଲେ

Published By : Prameya-News7 Bureau | June 09, 2020 IST

ନୂଆଦିଲ୍ଲୀ ୦୯।୦୬: ଲଦାଖର ପୂର୍ବ ସୀମାନ୍ତରେ ଦୀର୍ଘ ଏକ ମାସ ଧରି ଜାରି ଉତ୍ତେଜନାମୂଳକ ପରିସ୍ଥିତିରେ ସୁଧାର ଆସିଛି। ଗଲଓ୍ଵାନ ସମେତ ତିନୋଟି ସ୍ଥାନରେ ଭାରତ ଓ ଚୀନର ସେନା ପଛକୁ ହଟିଛନ୍ତି। ଚୀନର ପିପୁଲ୍ସ ଲିବରେସନ ଆର୍ମି ଗଲଓ୍ଵାନ ଅଞ୍ଚଳ, ପାଟ୍ରୋଲିଂ ପଏଣ୍ଟ ୧୫ ଓ ହଟ୍‌ ସ୍ପ୍ରିଙ୍ଗ ଅଞ୍ଚଳରୁ ନିଜର ସେନା ଓ ଗାଡିଗୁଡିକୁ ଅଢେଇ କିଲୋମିଟର ପଛକୁ ନେଇ ଯାଇଛି। ଭାରତ ମଧ୍ୟ ନିଜ ସେନାକୁ ପଛକୁ ଫେରାଇ ନେଇଛି।  

ପୂର୍ବ ଲଦାଖରେ ଭାରତ ଓ ଚୀନ ସେନା ଧିରେ ଧିରେ ପଛକୁ ହଟିବାରେ ଲାଗିଛନ୍ତି। ଏଥିରେ ବାସ୍ତବିକ ନିୟନ୍ତ୍ରଣ ରେଖା(LAC)ରେ ଉତ୍ତେଜନା ହ୍ରାସ ପାଉଥିବା ସଙ୍କେତ ମିଳିଛି। ପୂର୍ବ ଲଦାଖର ଅନେକ ଅଞ୍ଚଳରେ ଦୁଇ ଦେଶର ସେନା ପୂର୍ବ ସ୍ଥିତିକୁ ଫେରୁଛନ୍ତି। ଦୁଇ ଦେଶ ପକ୍ଷରୁ ଜାରି ତିକ୍ତତା ମଧ୍ୟରେ ଏହି ସୁଧାର ଦେଖିବାକୁ ମିଳିଛି। ଚଳିତ ସପ୍ତାହରେ ଦୁଇ ଦେଶ ମଧ୍ୟରେ ଲେଫ୍ଟନାଣ୍ଟସ୍ତରୀୟ ଆଲୋଚନା ହୋଇଥିଲା। ଏହା ପୂର୍ବରୁ ସୈନ୍ୟସ୍ତରୀୟ ଆଲୋଚନା ହୋଇଥିଲା ମାତ୍ର ଏଥିରେ କୌଣସି ନିଷ୍କର୍ସ ବାହାରି ପାରିନଥିଲା।

ଦୁଇ ଦେଶ ମଧ୍ୟରେ ସୈନ୍ୟସ୍ତରୀୟ ଆଲୋଚନା ଗଲଓ୍ଵାନ ଅଞ୍ଚଳର ପାଟ୍ରୋଲିଂ ପଏଣ୍ଟ ୧୪, ୧୫ ଓ ସ୍ପ୍ରିଙ୍ଗ ଇଲାକାରେ ହେବ। ସୂତ୍ର ଅନୁଯାୟୀ ଚୀନୀ ସେନା ଗଲଓ୍ଵାନ ଘାଟି, ପିପି-୧୫ ଓ ହଟ୍‌ ସ୍ପ୍ରିଙ୍ଗ ଅଞ୍ଚଳରୁ ଅଢେଇ କିଲୋମିଟର ପଛକୁ ହଟିଛନ୍ତି।

ଦୁଇ ସେନା ମଧ୍ୟରେ ସେହି ସମୟରେ ଗତିରୋଧ ଆରମ୍ଭ ହେଲା ଯେବେ ଭାରତ ଦ୍ଵାରା ଗଲଓ୍ଵାନ ଘାଟିରେ ଦାରବୁକ- ସ୍ୟୋକ-ଦୌଲତ ବେଗ ଓଲଡି ସହିତ ପ୍ୟାଙ୍ଗଙ୍ଗ ହ୍ରଦ ଆଖାପଖ ଫିଙ୍ଗର ଅଞ୍ଚଳରେ ମହତ୍ଵପୂର୍ଣ୍ଣ ସଡକ ନିର୍ମାଣ ଆରମ୍ଭ କଲା। ଚୀନ ଭାରତର ଏହି ପଦକ୍ଷେପକୁ ତୀବ୍ର ବିରୋଧ କରିଥିଲା।

{"id":283701,"sizeSlug":"large"}

 ମେ ୫ରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ

ଲଦାଖର ପୂର୍ବ ସୀମାନ୍ତରେ ମେ ୫ରେ ପ୍ୟାଙ୍ଗଙ୍ଗ ହ୍ରଦ ନିକଟରେ ଭାରତ ଓ ଚୀନର ପ୍ରାୟ ୨୫୦ ସୈନିକଙ୍କ ମଧ୍ୟରେ ଲୁହାର ଛଡ, ଲାଠି  ଓ ବାଡିରେ ସଂଘର୍ଷ ହୋଇଥିଲା। ଦୁଇ ପକ୍ଷ ମଧ୍ୟରେ ପଥରମାଡ ମଧ୍ୟ ହୋଇଥିଲା। ଏଥିରେ ଦୁଇ ଦେଶର ଶତାଧିକ ସୈନିକ ଆହତ ହୋଇଥିଲେ। ଏହି ଘଟଣା ପରବର୍ତ୍ତୀ ଦିନ ମଧ୍ୟ ଜାରି ରହିଥିଲା। ଏହା ପରେ ଚୀନ ଦ୍ଵାରା ଗଲଓ୍ଵାନ ଘାଟି, ପ୍ୟାଙ୍ଗଙ୍ଗ ଓ ଫର ଫିଙ୍ଗର ଅଞ୍ଚଳରେ ସୈନ୍ୟ ସଂଖ୍ୟା ସହିତ ସାମରିକ ଉପକରଣ ଜୁଟାଇ ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲା। ଭାରତ ଚୀନକୁ ଜବାବ ଦେଇ ବରାବର ସୈନିକ ମୁତୟନ କରିଥିଲା। ଏହି ପରି ଦୁଇ ଦେଶ ମଧ୍ୟରେ ପ୍ରାୟ ଏକ ମାସ ଧରି ଗତିରୋଧ ଜାରି ରହିଥିଲା। ଏହି ପରି ଅନ୍ୟ ଏକ ଘଟଣା ମେ ୯ରେ ସିକ୍କିମ ସେକ୍ଟରର ନାଥୁଲା ଦରା ନିକଟରେ ଦୁଇ ଦେଶର ସେନା ମଧ୍ୟରେ ଘଟିଥିଲା। ଦୁଇ ଦେଶର ପ୍ରାୟ ୧୫୦ ସୈନିକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ସୂତ୍ର ଅନୁଯାୟୀ ଉଭୟ ପକ୍ଷ ମଧ୍ୟରେ ଅତି କମରେ ୧୦ ଜଣ ସୈନିକ ଆହତ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.