ଉଡାଣ ପାଇଁ ପ୍ରସ୍ତୁତ ଥିଲା ବିମାନ, ପାଇଲଟ୍ କହିଲେ- ମୋ ସିଫ୍ଟ ସରିଲା, ଉଡାଣ ଆଉ ଭରିବ ନାହିଁ

Published By : Prameya-News7 Bureau | January 21, 2022 IST

ନୂଆଦିଲ୍ଲୀ ୨୧।୦୧: ଯାତ୍ରୀ ବସି ସାରିଥିଲେ। ବିମାନ ଉଡାଣ  ଭରିବାକୁ ପ୍ରସ୍ତୁତ ଥିଲା। ହେଲେ ପାଇଲଟ୍ କହିଲେ ମୋ ସିଫ୍ଟ ସରିଲା। ମୁଁ ଆଉ ବିମାନ ଉଡାଇ ପାରିବି ନାହିଁ। ଫଳରେ ବିମାନ ବନ୍ଦରରେ ଛିଡା ହୋଇ ରହିଛି। ପାଇଲଟ୍‌ଙ୍କ ଏପରି କଥା ଶୁଣି ଯାତ୍ରୀ ଉତ୍ତକ୍ଷୀପ୍ତ ହୋଇ ଉଠିଥିଲେ। ଫଳରେ ଏୟାରଲାଇନ୍ସକୁ ଖୁବ୍ ହିନସ୍ତା ହେବାକୁ ପଡିଛି। ଏହି ଘଟଣା ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନରେ ଘଟିଛି।

ସାଧାରଣତଃ କର୍ମଚରୀଙ୍କୁ ଓଭର ଟାଇମ୍‌ କାମ କରିବାକୁ କୁହାଯାଏ। ଏମିତିରେ ଅନେକ କର୍ମଚାରୀ ନିଜ ବସ୍‌ଙ୍କ ଆଦେଶକୁ ମାନି ଓଭରଟାଇମ୍ କାମ ମଧ୍ୟ କରିଥାନ୍ତି। କିନ୍ତୁ ବେଳେ ବେଳେ କର୍ମଚାରୀ ଏମିତି କରିବାକୁ ମନା କରି ଦେଇଥାନ୍ତି। ଆଉ ଏମିତି ରୋଚକ ଘଟଣା ପାକିସ୍ତାନରେ ଘଟିଛି। ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁଯାୟୀ, ପିଆଇଏର ଜଣେ ପାଇଲଟ୍‌ ମୋର ସିଫ୍ଟ ଶେଷ ହୋଇ ଯାଇଥିବା କହି ବିମାନ ଉଡାଇବାକୁ ମନା କରି ଦେଲେ। ସବୁଠୁ ବଡ କଥା ବିମାନଟି ଆକାଶରେ ନଥିଲା।

ସୂଚନା ଅନୁଯାୟୀ, ବିମାନ ପିକେ ୯୭୫୪ ଗତ ରବିବାର ରିୟାଦରୁ ଇସଲାମାବାଦ ଅଭିମୁଖେ ଯାତ୍ରା କରିବାକୁ ପ୍ରସ୍ତୁତି ଚଳାଇଥିଲା। ମାତ୍ର ଖରାପ ପାଣିପାଗ କାରଣରୁ ଏଥିରେ କିଛି ସମୟ ବିଳମ୍ବ ଘଟିଥିଲା। ବିମାନ ଉଡାଣ ଆରମ୍ଭ ହେବା ପରେ ପୁଣି ଖରାପ ପାଣିପାଗ ଯୋଗୁଁ ବିମାନକୁ ସାଉଦି ଆରବର ଦମନରେ ଜରୁରୀକାଳୀନ ଅବତରଣ କରାଇବାକୁ ପଡିଥିଲା। ତେବେ ଏହା ପରେ ପାଇଲଟ୍ ନିଜର ସିଫ୍ଟ ସରି ଯାଇଥିବା କହି ବିମାନ ଚଳାଇବାକୁ ମନା କରି ଦେଇଥିଲେ।

ଏହା ଶୁଣି ଯାତ୍ରୀ ଅସନ୍ତୋଷ ବ୍ୟକ୍ତ କରିବା ସହ ଏୟାରଲାଇନକୁ ଖୁବ୍ ଗାଳି କରିଥିଲେ। ସେମାନେ ବିମାନରୁ ନଓହ୍ଲାଇବାକୁ ଜିଦ୍ ଧରି  ବସିଥିଲେ। ଶେଷରେ ବିମାନ ବନ୍ଦରର ଅଧିକାରୀଙ୍କୁ ଡକାଯାଇ ଯାତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଯାତ୍ରୀଙ୍କ ପାଇଁ ହୋଟେଲ୍‌ରେ ରହିବାକୁ ବ୍ୟବସ୍ଥା କରାଯିବା ପରେ ସ୍ଥିତି ସ୍ଵାଭାବିକ ହୋଇଥିଲା।

ପିଆଇଏର ଜଣେ ମୁଖପାତ୍ର କହିଛନ୍ତି, ପାଇଲଟ୍‌ଙ୍କୁ ବିଶ୍ରାମ ଜରୁରୀ ଥିଲା, କାରଣ ଏହି ଉଡାଣ ଯାତ୍ରୀଙ୍କ ସୁରକ୍ଷା ପାଇଁ  ଜରୁରୀ ଥିଲା। ସମସ୍ତ ଯାତ୍ରୀ ଇସଲାମାବାଦ ବିମାନରେ ରାତି ୧୧ଟାରେ ପହଞ୍ଚିବେ। ସେ ପର୍ଯ୍ୟନ୍ତ ହୋଟେଲ୍‌ରେ ସମସ୍ତଙ୍କର ରହିବା ବନ୍ଦୋବସ୍ତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.