ଅଗଷ୍ଟ ୧୫ରେ ଉଡାଇବାକୁ ଦେବୁନି ତ୍ରିରଙ୍ଗା, ଚେତାବନୀ ଦେଲେ ଖଲିସ୍ତାନୀ ଆତଙ୍କୀ

Published By : Prameya-News7 Bureau | August 02, 2021 IST

ସିମଲା ୦୨।୦୮: ସ୍ଵାଧୀନତା ଦିବସରେ ପତାକା ଉଡାଇବାକୁ ଦେବୁନି। ଅଗଷ୍ଟ ୧୫ରେ ଲୋକେ ଘରେ ରୁହନ୍ତୁ ନଚେତ୍ ପରିଣାମ ଭୋଗିବେ। ହିମାଚଳ ପ୍ରଦେଶର କଂଗ୍ରେସ ପାର୍ଟିର ବିଧାୟକଙ୍କୁ ସୋମବାର ଏମିତି ଧମକ ଦେଇଛନ୍ତି ପ୍ରତିବନ୍ଧିତ ଖଲିସ୍ତାନୀ ସଂଗଠନ ଶିଖ ଫର ଜଷ୍ଟିସ(ଏସଏଫଜେ)ର ସଦସ୍ୟ ଗୁପତବନ୍ତ ସିଂହ ପନ୍ନୁ। କଂଗ୍ରେସ ବିଧାୟକଙ୍କ ଅନୁଯାୟୀ, ପନ୍ନୁ ଫୋନରେ ଧମକ ଦେଇଛନ୍ତି ଯେ, ସ୍ଵାଧୀନତା ଦିବସରେ ରାଜ୍ୟରେ କାହାରିକୁ ପତାକା ଉଡାଇବାକୁ ଦେବେ ନାହିଁ। ଏପରିକି ଅଗଷ୍ଟ ୧୫ରେ ଲୋକଙ୍କୁ ଘରେ ଭିତରେ ରହିବାକୁ ଚେତାବନୀ ଦେଇଛନ୍ତି।

ଏହା ପୂର୍ବରୁ ଜୁଲାଇ ୩୦ରେ ସିମଲାର ଅନେକ ସାମ୍ବାଦିକଙ୍କୁ ରେକର୍ଡ କଲ୍ ଜରିଆରେ ଧମକପୂର୍ଣ୍ଣ ସନ୍ଦେଶ ପଠାଯାଇଥିଲା। କଲ୍‌ର ନିଜକୁ ପନ୍ନୁର ପରିଚୟ ଦେଇଥିଲା, ଯିଏ ଏସଏଫଜେର ଜେନେରାଲ କାଉନସିଲ। ଏହି ଧମକରେ କୁହାଯାଇଥିଲା ଯେ, ରାଜ୍ୟର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କୁ ଜାତୀୟ ପତାକା ଉଡାଇବାକୁ ଦିଆଯିବ ନାହିଁ।

ଏହା ପରେ ପୋଲିସ ଶନିବାର ପନ୍ନୁ ବିରୋଧରେ ଦେଶଦ୍ରୋହ ଓ ଅନ୍ୟ ଅଭିଯୋଗ ଆଧାରରେ କେସ୍ ରୁଜୁ କରାଯାଇଛି। ନାଦୌନର ବିଧାୟକ ସୁଖବିନ୍ଦର ସିଂହ ସୁଖୁ କହିଛନ୍ତି, ତାଙ୍କୁ ଏହି ଧମକଭରା ଫୋନ କଲ୍ ସେହି ସମୟରେ ଆସିଥିଲା ଯେତେବେଳେ ସେ କିଛି ସମୟ ପାଇଁ ବିଧାନସଭା ବାହାରକୁ ଆସିଥିଲେ। ଫେରିବା ପରେ ସେ ବିଧାନସଭା ଗୃହରେ ଏହି ମାମଲା ଉଠାଇଥିଲେ। ହିମାଚଳରେ ବିଧାନସଭାର ମୌସୁମି ଅଧିବେଶନ ସୋମବାରଠୁ ଆରମ୍ଭ ହୋଇଛି ଏବଂ ଅଗଷ୍ଟ ୧୫ରେ ସମାପ୍ତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.