ଆସନ୍ତାକାଲି ଜାରି ହେବ ଟିଏମ୍‌ସିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ! କ'ଣ ରହିବ ଦିଦିଙ୍କ ଗେମ୍ ପ୍ଲାନ୍?

Published By : Prameya-News7 Bureau | February 28, 2021 IST

କୋଲକାତା ୨୮/୦୨ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ସୋମବାର ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମିଳିଥିବା ସୂଚନା ଅନୁସାରେ ସନ୍ଧ୍ୟା ୫ଟା ବେଳେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରନ୍ତି ଦିଦି ।

ପଶ୍ଚିମବଙ୍ଗରେ ମୋଟ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟ ୨୭ ମାର୍ଚ୍ଚ, ଦ୍ବିତୀୟ ପର୍ଯ୍ୟାୟ ୧ ଏପ୍ରିଲ, ତୃତୀୟ ୬ ଏପ୍ରିଲ, ଚତୁର୍ଥ ପର୍ଯ୍ୟାୟ ୧୦ ଏପ୍ରିଲ, ପଞ୍ଚମ ୧୭ ଏପ୍ରିଲ, ଷଷ୍ଠ ୨୨ ଏପ୍ରିଲ, ସପ୍ତମ ୨୬ ଏପ୍ରିଲ ଏବଂ ଅଷ୍ଟମ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୨୯ ତାରିଖରେ ଅନୁଷ୍ଠିତ ହେବ । ଚଳିତ ଥର ମୋଟ ୧ ଲକ୍ଷ ୧ ହଜାର ୯୧୬ଟି ଭୋଟ ଗ୍ରହଣ କେନ୍ଦ୍ର କରାଯିବ । ମେ ୨ ତାରିଖରେ ଫଳାଫଳ ଘୋଷଣା କରାଯିବ ।

ଦେଶର ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ବିଧାନସଭା ନିର୍ବାଚନ ତାରିଖ ଏବଂ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନର । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସାଧାରଣ ନିର୍ବାଚନ ସେମିଫାଇନାଲ ମ୍ୟାଚ୍‌ ବୋଲି ଧରାଯାଉଛି । ତେବେ  ଘୋଷଣା ହୋଇଥିବା ରାଜ୍ୟମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ନଜର ରହିଛି ପଶ୍ଚିମବଙ୍ଗ ଉପରେ ।

୨୦୧୬ ସାଧାରଣ ନିର୍ବାଚନରେ ବିଜେପିକୁ ମୋଟ ୨୯୪ ସିଟ୍‌ରୁ ମାତ୍ର ୩ଟି ସିଟ୍‌ ମିଳିଥିଲା । କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ଦମ ଦେଖାଇଥିଲା ଦଳ । ମୋଟ ୪୨ଟି ସଂସଦୀୟ କ୍ଷେତ୍ର ମଧ୍ୟରୁ ୧୮ଟି ହାତେଇ ନେଇଥିଲା ଗେରୁଆ ଦଳ ଏବଂ ଭୋଟ ପ୍ରତିଶତ ଥିଲା ୪୦.୪୬ ପ୍ରତିଶତ । ଯାହାକି ଟିଏମସି ଠାରୁ ମାତ୍ର ୩ ପ୍ରତିଶକ କମ । ତେଣୁ ଏଥର ସାଧାରଣ ନିର୍ବାଚନରେ ଉଭୟ ଦଳ ମଧ୍ୟରେ ଜୋରଦାର ଟକ୍କର ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଗୋଟିଏ ପଟେ ମମତା ବାନାର୍ଜୀଙ୍କ ଲୋକପ୍ରିୟତା ଏବଂ ଅନ୍ୟପଟେ ମୋଦି ମ୍ୟାଜିକ୍‌ ଓ ଶାହା ଫ୍ୟାକ୍ଟର୍‌ । ତେବେ ନିର୍ବାଚନ ପୂର୍ବରୁ ଓପିନିଅନ୍‌ ପୋଲ ଜାରି କରିଛି ସି-ଭୋଟର । ଏହି ସର୍ଭେରେ ବେଙ୍ଗଲ ଜନତାଙ୍କ ମୁଡ୍‌କୁ ପରଖିଛି ସି-ଭୋଟର ।

 ବେଙ୍ଗଲରେ କାହାକୁ ମିଳିପାରେ ବହୁମତ ?

ଏବିପି ନ୍ୟୁଜ୍‌ ସି-ଭୋଟର ଓପିନିୟନ୍‌ ପୋଲ୍ ଅନୁଯାୟୀ ପଶ୍ଚିମବଙ୍ଗର ମୋଟ ୨୯୪ ଆସନରେ ଭୋଟ ପ୍ରତିଶତ କଥାକହିବାକୁ ଗଲେ ଟିଏମ୍‌ସିକୁ ୪୩ ପ୍ରତିଶଥ ଭୋଟ ମିଳିବ । ବିରୋଧୀ ବିଜେପିକୁ ୩୮ ପ୍ରତିଶତ ଭୋଟ ମିଳିବା ନେଇ ଆକଳନ କରାଯାଉଛି । ସେହିଭଳି କଂଗ୍ରେସ-ବାମପନ୍ଥୀ ମେଣ୍ଟକୁ ୧୩ ପ୍ରତିଶତ ଏବଂ ଅନ୍ୟମାନଙ୍କୁ ୬ ପ୍ରତିଶତ ଭୋଟ ମିଳିପାରେ ।

ଆସନ ସଂଖ୍ୟା କଥା କହିବାକୁ ଗଲେ ମମତା ବାନାର୍ଜୀଙ୍କ ଟିଏମ୍‌ସି ପୁଣି ଥରେ ପଶ୍ଚିମବଙ୍ଗ କବ୍‌ଜା କରିପାରେ । ସର୍ଭେ ଅନୁଯାୟୀ TMCକୁ ୧୪୮-୧୬୪ ସିଟ୍‌ ମିଳିପାରେ । ୨୦୦ରୁ ଉର୍ଦ୍ଧ୍ବ ସିଟ୍‌ରେ ବିଜୟ ହେବା ନେଇ ଆଶାବାଦୀ ଥିବା BJPକୁ ୯୨-୧୦୮ ସିଟ୍‌ ମିଳିପାରେ । ସେହପରି କଂଗ୍ରେସ-ବାମପନ୍ଥୀ ମେଣ୍ଟକୁ ୩୧-୩୯ ସିଟ୍‌ ମିଳିବା ନେଇ ଆକଳନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.