ଦେଶର ଏହି ଷ୍ଟାଡିୟମରେ ଖେଳାଯାଇପାରେ ଟି-୧୦ ବିଶ୍ଵ କପ୍ର ଉଦ୍ଘାଟନୀ ମ୍ୟାଚ୍, ପ୍ରସ୍ତୁତି ଆରମ୍ଭ
6/04/2021 at 5:48 PM

ଧର୍ମଶାଳା ୦୬।୦୪: ଭାରତରେ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଟି-୨୦ ବିଶ୍ଵକପ୍ ଖେଳାଯିବ। ବିଶ୍ଵକପ୍ର ଉଦ୍ଘାଟନୀ ମ୍ୟାଚ୍ ଧର୍ମଶାଳା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇପାରେ। ଏଥିପାଇଁ ଉଦ୍ୟମ ଜାରି ରହିଥିବା କହିଛନ୍ତି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୂମଲ। ସେ କହିଛନ୍ତି ଟି-୨୦ ବିଶ୍ଵ କପ୍ର ସମସ୍ତ ମ୍ୟାଚ୍ ଭାରତରେ ଆୟୋଜନ ହେବ। ଆମେ ଚାହୁଁଛୁ ଯେ, ଉଦ୍ଘାଟନୀ ମ୍ୟାଚ୍ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ(ଏଚପିସିଏ)ର ଧର୍ମଶାଳା ଷ୍ଟାଡିୟମରେ ଖେଳାଯାଉ। ଆୟୋଜନ ହେବାକୁ ଥିବା ଷ୍ଟାଡିୟମ ତାଲିକାରେ ଧର୍ମଶାଳା ସାମିଲ।
ଧୂମଲ କହିଛନ୍ତି, ଧର୍ମଶାଳା ଷ୍ଟାଡିୟମରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ମ୍ୟାଚ୍ ଆୟୋଜିତ ହେଲେ ପର୍ଯ୍ୟଟନ ନଗରୀ ଧର୍ମଶାଳାକୁ ପୁଣି ଥରେ ବିଶ୍ଵସ୍ତରରେ ପରିଚୟ ମିଳିବ। ସ୍ଥାନୀୟ ବ୍ୟବସାୟୀ ମଧ୍ୟ ଏଥିରେ ଉପକୃତ ହେବେ। ଦୀର୍ଘ ଦିନ ହେବ ଧର୍ମଶାଳାରେ ଅନ୍ତରାଷ୍ଟ୍ରୀୟ ମୁକାବିଲା ଖେଳା ଯାଇ ନାହିଁ। ତେଣୁ ବିଶ୍ଵ କପ୍ର ଉଦ୍ଘାଟନୀ ମ୍ୟାଚ୍ ଆୟୋଜନ ଧର୍ମଶାଳାରେ କରିବାକୁ ବିସିସିଆଇ ପ୍ରସ୍ତୁତି ଆରମ୍ଭ କରିଛି।

ଧର୍ମଶାଳାରେ ୨୦୧୬ରେ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଟି-୨୦ ବିଶ୍ଵ କପ୍ ରାଜନୈତିକ କାରଣରୁ ରଦ୍ଦ ହୋଇ ଯାଇଥିଲା। ଏହା ପରେ ଧର୍ମଶାଳା ଷ୍ଟାଡିୟମରେ ୨୦୧୯ ଏବଂ ୨୦୨୦ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ମଧ୍ୟ ବର୍ଷା କାରଣରୁ ରଦ୍ଦ ହୋଇଥିଲା।
ଧର୍ମଶାଳାରେ ପ୍ରଥମ ଆନ୍ତର୍ଜାତିକ ଦିନିକିଆ ଭାରତ ଓ ଇଂଲଣ୍ଡ ମଧ୍ୟରେ ୨୦୧୩ ଜାନୁଆରୀ ୨୭ରେ ଖେଳା ଯାଇଥିଲା। ଏହା ପରେ ୨୦୧୫ ଅକ୍ଟୋବର ୨୦ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଏବଂ ୨୦୧୬ ମାର୍ଚ୍ଚ ୧୮ରେ ନ୍ୟୁଜିଲାଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ବିଶ୍ଵ କପ୍ର ମ୍ୟାଚ୍ ଖେଳା ଯାଇଥିଲା। ଉଲ୍ଲେଖନୀୟ ଧର୍ମଶାଳା କ୍ରିକେଟ୍ ଷ୍ଟାଡିୟମ ଦୁନିଆର ସବୁଠୁ ସୁନ୍ଦର ଷ୍ଟାଡିୟମ ମଧ୍ୟରୁ ଗୋଟିଏ।