ମଙ୍ଗଳ ଗ୍ରହକୁ ଯିବ ମଣିଷ, ଉଡାଇବ ପ୍ରଥମ ହେଲିକେପ୍ଟର

Published By : Prameya-News7 Bureau | July 31, 2020 IST

ନୂଆଦିଲ୍ଲୀ ୩୧/୭: ଜୁଲାଇ ମାସରେ ମଙ୍ଗଳ ଗ୍ରହରେ ଉଡିବ ହେଲିକେପ୍ଟର। ଏହି ମାସକୁ ମଙ୍ଗଳ ମାସ ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। କାରଣ ଏହି ମାସ ୩ ମହାକାଶ ମିସନ୍‌ ଜରିଆରେ ମଙ୍ଗଳ ଗ୍ରହର ଅଧ୍ୟୟନ ଆରମ୍ଭ ହୋଇଛି । ଏହି ତିନି ମଙ୍ଗଳ ମିସନ୍‌ ମଧ୍ୟରେ ନାସାର ‘ପ୍ରିଜରଭାନ୍ସ’ ରୋଭର୍‌ ଅନ୍ୟତମ । ଗତ କାଲି ଏହି ଯାନ ମଙ୍ଗଳ ଅଭିମୁଖେ ଯାତ୍ରା କରିଛି । ରୋଭର୍‌ଟି ୬ ଚକ ବିଶିଷ୍ଟ ଏକ ରୋବୋ, ଯାହା ମଙ୍ଗଳରେ ଏକ ଛୋଟ ହେଲିକପ୍ଟର ମୁତୟନ କରିବ । ହେଲିକପ୍ଟରର ନାମ ଇନ୍‌ଜେନୁଇଟି । ମଙ୍ଗଳ ଗ୍ରହକୁ ଭବିଷ୍ୟତର ମାନବ ମିସନ୍‌ ନିମନ୍ତେ ଏହା ମାର୍ଗ ପ୍ରଶସ୍ଥ କରିବ ବୋଲି ନାସା ବୈଜ୍ଞାନିକମାନେ ଆଶାବାଦୀ ଅଛନ୍ତି ।

ରୋଭର୍‌ଟି ୧.୮ କିଲୋଗ୍ରାମ୍‌ର ସ୍ୱୟଂଚାଳିତ ଇନ୍‌ଜେନୁଇଟି ନାମକ ହେଲିକପ୍ଟର ବହନ କରିବ । ପରୀକ୍ଷାମୂଳକ ଭାବେ ଏହା ପ୍ରଥମ ଥର ମଙ୍ଗଳ ପୃଷ୍ଠରେ ଉଡ଼ାଣ ଭରିବ । ଯଦି ଏହା ସଫଳ ହୁଏ, ତେବେ ଭବିଷ୍ୟତରେ ନାସା ଏକ ରୋବୋ ମଙ୍ଗଳକୁ ପଠାଇବ, ଯାହା ଲାଲ୍‌ ଗ୍ରହର ଅଧ୍ୟୟନ ନିମନ୍ତେ ଏକାଧିକ ହେଲିକପ୍ଟର ମୁତୟନ କରିବ। ୨.୪ ବିଲିଅନ୍‌ ଡଲାର ଖର୍ଚ୍ଚରେ ପ୍ରସ୍ତୁତ ଏହି ମିସନ୍‌ ଗତ କାଲି ସକାଳ ୭.୫୦ରେ ଫ୍ଲୋରିଡାର କେପ୍‌ କାନାଭରାଲରୁ ମଙ୍ଗଳ ଅଭିମୁଖେ ଯାତ୍ରା କରିଛି । ଆମେରିକୀୟ ମହାକାଶ ଏଜେନ୍ସି ପକ୍ଷରୁ ମଙ୍ଗଳ ପୃଷ୍ଠକୁ ଏବେ ସୁଦ୍ଧା ଯାତ୍ରା କରିଥିବା ଏହା ୯ମ ମିସନ୍‌ । କାର ଆକୃତିର ଏହି ରୋଭର୍‌ ଆସନ୍ତା ବର୍ଷ ଫେବ୍ରୁଆରୀରେ ମଙ୍ଗଳରେ ପହଞ୍ଚିବ ବୋଲି ଆଶା କରାଯାଉଛି । ମଙ୍ଗଳର ୮୨୦ ଫୁଟ ଗଭୀର ଜେଜେରୋ ନାମରେ ପରିଚିତ କ୍ରାଟର୍‌ରେ ଅବତରଣ କରିବାକୁ ରୋଭର୍‌ର ଲକ୍ଷ୍ୟ ରହିଛି । ଜେଜେରୋ ୩୫୦ କୋଟି ବର୍ଷ ପୂର୍ବର ଏକ ହ୍ରଦ । ଏହି ମିସନ୍‌ ଜରିଆରେ ଏଠାରେ ଅତୀତରେ ଥିବା ସୂକ୍ଷ୍ମ ଜୀବଙ୍କର କିଛି ଅବଶେଷ କିମ୍ବା ସଙ୍କେତ ମିଳିବ ବୋଲି ବୈଜ୍ଞାନିକମାନେ ଆଶା କରୁଛନ୍ତି ।

ଜେଜେରୋ କ୍ରାଟର୍‌ରେ ରୋଭର୍‌ଟି ୬୦୦ ଦିନ ବିତାଇବ । ଏହି ୬ ଚକିଆ ରୋବୋ ଯେକୌଣସି ଏକ ରୋବୋ ଭଳି, ଯାହାକୁ ନାସା ପୂର୍ବରୁ ମଙ୍ଗଳ ମିସନ୍‌ରେ ପଠାଇଛି । ପ୍ରାଚୀନ ଜୀବଜଗତର ପ୍ରମାଣ ଅନ୍ୱେଷଣ ନିମନ୍ତେ ଏହା ଚେଷ୍ଟା କରିବ । ବୈଜ୍ଞାନିକମାନେ ଜାଣନ୍ତି ଯେ ମଙ୍ଗଳକୁ ନେଇ ଅଧ୍ୟୟନର ସଠିକ୍‌ ତଥ୍ୟ ସେତେବେଳେ ମିଳିପାରିବ, ଯଦି ସେଠାକାର ତତ୍ତ୍ୱଗୁଡ଼ିକୁ ପୃଥିବୀକୁ ଆଣି ଅଧ୍ୟୟନ କରାଯିବ । ଏହି ଉଦ୍ଦେଶ୍ୟ ପ୍ରିଜରଭାନ୍ସର ରହିଛି । ଏହା ପ୍ରଥମ ଥର ମଙ୍ଗଳ ଶିଳାର ନମୁନା ପୃଥିବୀକୁ ଆଣିବାକୁ ଚେଷ୍ଟା କରିବ । ନିଜର ସିଗାର ଆକୃତିର କ୍ୟାପ୍‌ସୁଲରେ ମଙ୍ଗଳର ସାମଗ୍ରୀ ସଂଗ୍ରହ କରିବା ସହିତ ସେଗୁଡ଼ିକୁ ପୃଷ୍ଠରେ ବିଛେଇବ । ପରବର୍ତ୍ତୀ ସମୟରେ ଭବିଷ୍ୟତର ରୋଭର୍‌ ଦ୍ୱାରା ଏହାର ପୁରରୁଦ୍ଧାର ହେବ ।

ସୂଚନାଯୋଗ୍ୟ, ଅନ୍ୟ ଦୁଇ ମଙ୍ଗଳ ମିସନ୍‌ ଦୁବାଇ ଓ ଚୀନ୍‌ ପକ୍ଷରୁ ଏହି ମାସ ଲଞ୍ଚ କରାଯାଇଛି । ଦୁବାଇର ମଙ୍ଗଳ ମିସନ୍‌ ‘ଦ ହୋପ୍‌ ପ୍ରୋବ୍‌’ ଏବଂ ଚୀନ୍‌ର ‘ତିଆନ୍‌ୱେନ୍‌-୧’ ମଙ୍ଗଳ ଗ୍ରହର ଅଧ୍ୟୟନ ଉପରେ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବେ । ଦୁବାଇର ହୋପ୍‌ ପ୍ରୋବ୍‌ ଏକ ଅର୍ବିଟର ସାହାଯ୍ୟରେ ମଙ୍ଗଳର ବାୟୁମଣ୍ଡଳ ଉପରେ ଅଧ୍ୟୟନ କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପକ୍ଷେ ଚୀନ୍‌ର ତିଆନ୍‌ୱେନ୍‌-୧ ଏକ ଅର୍ବିଟର, ଏକ ଲ୍ୟାଣ୍ଡର ଓ ରୋଭର୍‌ ସାହାଯ୍ୟରେ ଲାଲ୍‌ ଗ୍ରହର ଏକ ବିଶ୍ୱସ୍ତରୀୟ ସର୍ଭେ କରିବ ।

ପୃଥିବୀ ଓ ମଙ୍ଗଳ ପରସ୍ପରର ଅତି ନିକଟରେ, ଅର୍ଥାତ ମାତ୍ର ୫୫୦ କୋଟି କିଲୋମିଟର ଦୂରରେ ଅବସ୍ଥାନ କରିବାର ସମୟ ଆକଳନ କରି ଚଳିତ ବର୍ଷ ଜୁଲାଇକୁ ଏହି ତିନି ରାଷ୍ଟ୍ର ମଙ୍ଗଳ ଗ୍ରହର ଅଧ୍ୟୟନ ପାଇଁ ପ୍ରକୃଷ୍ଟ ସମୟ ମନେକରି ମଙ୍ଗଳ ଯାନ ପଠାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.