ଅଯୋଧ୍ୟାରେ ହେବାକୁ ଥିବା ମସଜିଦ ପାଇଁ ହିନ୍ଦୁ ଦେଲେ ସର୍ବପ୍ରଥମ ଦାନ, ମିଳୁଛି ଚାରିଆଡୁ ପ୍ରଶଂସା

Published By : Prameya-News7 Bureau | October 04, 2020 IST

ଅଯୋଧ୍ୟା ୦୪।୧୦: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଦଶନ୍ଧି ଧରି ଚାଲି ଆସିଥିବା ମନ୍ଦିର-ମସଜିଦ ବିବାଦର ସମାଧାନ ହେବା ପରେ ଏବେ ଦୁଇ ପକ୍ଷ ନିଜ ନିଜର ଜାଗାରେ ଧାର୍ମିକ ସ୍ଥଳ ନିର୍ମାଣ ପାଇଁ  ଜୁଟି ଯାଇଛନ୍ତି। ସବୁଠୁ ଉଲ୍ଲେଖନୀୟ କଥା ଅଯୋଧ୍ୟାରେ ହେବାକୁ ଥିବା ମସଜିଦ୍ ପାଇଁ ସର୍ବ ପ୍ରଥମ ଚାନ୍ଦା ହିନ୍ଦୁ ନାଗରିକଙ୍କ ପକ୍ଷରୁ ଦିଆଯାଇଛି। ଯାହା ସଭିଙ୍କ ପାଇଁ ଉଦାହରଣ ପାଲଟିଛି। ଇଣ୍ଡୋ-ଇସଲାମିକ କଲଚର ଫାଉଣ୍ଡେସନର ସେକ୍ରେଟାରୀ ଅଥରହ ହୁସେନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଗଙ୍ଗା ଯମୁନାର ଉଦାହରଣ ଦେଇ ଲକ୍ଷ୍ନୌ ୟୁନିଭର୍ସିଟିରେ କାର୍ଯ୍ୟରତ ରୋହିତ ଶ୍ରୀବାସ୍ତବ ମସଜିଦ ପାଇଁ ସର୍ବ ପ୍ରଥମେ ଚାନ୍ଦା ଦେଇଛନ୍ତି।

ହୁସେନ କହିଛନ୍ତି ଏହି ଯୋଗଦାନ ବହୁତ ମହତ୍ଵପୂର୍ଣ୍ଣ ଏବଂ ଏହା ଅଯୋଧ୍ୟାରେ ୫ ଏକର ଆବଣ୍ଟିତ ଜମିରେ ମସଜିଦ ନିର୍ମାଣ ଲକ୍ଷ୍ୟ ପୂରା କରିବାରେ ଉତ୍ସାହିତ କରିବ। କାଲି ଆମ ପାଇଁ ଏକ ଖୁସିର ଦିନ ଥିଲା ଯେବେ ଆମକୁ ଟ୍ରଷ୍ଟର ବାହାରୁ ପ୍ରଥମ ଦାନ ସ୍ଵୀକାର କଲୁ। ଏହା ସଭିଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ରୋହିତ ଶ୍ରୀବାସ୍ତବଙ୍କ ଏହି ଚାନ୍ଦା ପାଇଁ ଚାରିଆଡୁ ପ୍ରଶଂସା କରାଯାଉଛି।

ହୁସେନ କହିଛନ୍ତି ଆମେ ଆଶା କରୁଛୁ ଧନିପୁର ମସଜିକ ପ୍ରକଳ୍ପ ଏହି ବିଚାରଧାରା ସହିତ ଆଗକୁ ବଢିବ। ସେ କହିଛନ୍ତି ହସ୍ପିଟାଲର ନିର୍ମାଣ ଏବଂ ଅନ୍ୟ ମୌଳିକ ସୁବିଧା ପାଇଁ କାମ ପୂରା ଗତିରେ ଜାରି ରହିଛି। ଟ୍ରଷ୍ଟ ଦେଶର ଇଣ୍ଡୋ-ଇସଲାମିକ ସଂସ୍କୃତିର ଲମ୍ବା ଇତିହାସକୁ ପ୍ରଦର୍ଶିତ କରୁଛି ଏବଂ ଅତୀତରେ ଦୁଇ ସଂପ୍ରଦାୟର ଶାନ୍ତିପୂର୍ଣ୍ଣ ସଦ୍‌ଭାବ ଆଧାରରେ କାମ କରିବାର ଯୋଜନା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.