ବାଣ ଫୁଟା ହେଲା କାଳ, ଅଗ୍ନିକାଣ୍ଡରେ ଜଳିପୋଡି ପାଉଁଶ ହେଲା ୫ ବଖରା ଘର ଓ ଲକ୍ଷାଧିକ ଟଙ୍କାର ସଂପତ୍ତି
5/03/2021 at 11:04 PM

ଭଦ୍ରକ ୦୫।୦୩: ବାଣ ଫୁଟାଇବା ଦୁଇଟି ପରିବାରକୁ ସର୍ବସ୍ଵାନ୍ତ କରି ଦେଇଛି। ବାଣ ଫୁଟା ଯୋଗୁଁ ଅଗ୍ନିକାଣ୍ଡ ଘଟିବାରୁ ଘର ସହ ଧାନଗଦା ଏବଂ ଲକ୍ଷାଧିକ ଟଙ୍କାର ସଂପତ୍ତି ଜଳିପୋଡି ପାଉଁଶ ହୋଇ ଯାଇଛି। ଏହି ଘଟଣା ଭଦ୍ରକ ଭଣ୍ଡାରୀପୋଖରୀ ବ୍ଲକ ନପଙ୍ଗ ଗ୍ରାମରେ ଘଟିଛି।
ସୂଚନା ଅନୁଯାୟୀ, ଉକ୍ତ ଗ୍ରାମରେ ଅଷ୍ଟପ୍ରହରୀ ହେଉଥିବା ସମୟରେ ବାଣ ଫୁଟା ଯାଉଥିଲା। ବାଣ ଫୁଟିବା ପରେ ସେହି ନିଆଁ ଗାଁର ଏକ ଘର ଉପରେ ପଡ଼ିଥିଲା ବୋଲି କୁହାଯାଉଛି। ଫଳରେ ଉକ୍ତ ଗ୍ରାମର ନିରଞ୍ଜନ ଧଳଙ୍କ ଘର ଉପରେ ନିଆଁ ପଡିବାରୁ ଅଗ୍ନିକାଣ୍ଡ ହୋଇଥିଲା। ପରେ ନିଆଁ ବ୍ୟାପିବାରୁ ନିକଟସ୍ଥ ଗୋଟିଏ ଘର ମଧ୍ୟ ଜଳି ଯାଇଛି। ଅଗ୍ନିକାଣ୍ଡରେ ଦୁଇଟି ପରିବାରର ପାଞ୍ଚ ବଖରା ଘର, ଦୁଇଟି ଦୋକାନ ଗୃହ ସମେତ ତିନୋଟି ଧାନ ଗଦା ଜଳି ପୋଡି ଛାରଖାର ହୋଇଯାଇଛି। ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି।