କଣିହାଁ: ଅଗ୍ନିକାଣ୍ଡ ଘଟି ଗୁହାଳ ଘର ସହ ଜଳିଗଲା ପାଳଗଦା, ଚିନ୍ତାରେ ଚାଷୀ
19/12/2020 at 10:21 PM

କଣିହାଁ ୧୯।୧୨: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅର୍କିଳ ଗ୍ରାମରେ ଶନିବାର ଅଗ୍ନିକାଣ୍ଡ ଘଟି ଦୁଇଟି ଗୁହାଳ ଘର ସହ ପାଳଗଦା ସମ୍ପୂର୍ଣ୍ଣ ଜଳି ଯାଇଛି। ଫଳରେ ଗୃହ ପାଳିତ ଗାଈ ଗୋରୁଙ୍କୁ ବର୍ଷସାରା କଣ ଖାଇବାକୁ ଦେବା ନେଇ ଚାଷୀଙ୍କ ଚିନ୍ତା ବଢି ଯାଇଛି। କ୍ଷତିପୂରଣ ପ୍ରଦାନ ନେଇ ଗ୍ରାମବାସୀ ଦାବି କରିଛନ୍ତି।
ସୂଚନା ଅନୁଯାୟୀ ଅର୍କିଳ ଗ୍ରାମର ପ୍ରବୀଣ କୁମାର ସାହୁ ଏବଂ ଚନ୍ଦ୍ରମଣି ସାହୁଙ୍କ ଗୁହାଳଘର ଏବଂ ପାଳଗଦା ଜଳିଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ପ୍ରଥମେ ଗ୍ରାମବାସୀ ବହୁ ଚେଷ୍ଟା କରି ନିଆଁକୁ ଲିଭାଇ ପାରି ନ ଥିଲେ। ତୁରନ୍ତ କଣିହାଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। କଣିହାଁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଛନ୍ତି। ତେବେ କେତେ ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ହୋଇଛି ତାହା ଜଣା ପଡି ନ ଥିବା ବେଳେ ପାଳିତ ଗୋରୁଗାଈଙ୍କୁ ବର୍ଷ ସାରା କଣ ଖାଇବାକୁ ଦେବେ ଏବେ ଚିନ୍ତାରେ ଚାଷୀ। ତେଣୁ ସ୍ଥାନୀୟ ପ୍ରଶାସନ କ୍ଷୟକ୍ଷତି ଆକଳନ କରି ଆର୍ଥିକ ସାହାଯ୍ୟ କରିବାକୁ ଦାବି ହେଉଛି।