ପୂର୍ବତନ ଆଇଏଏସ ଅଫିସରଙ୍କ ୨୭ କୋଟିରୁ ଅଧିକ ସଂପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

Published By : Prameya-News7 Bureau | November 28, 2020 IST

ରାୟପୁର ୨୮।୧୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଛତିଶଗଡର ପୂର୍ବତନ ପ୍ରଶାସନିକ ଅଧିକାରୀ ବାବୁଲାଲ ଅଗ୍ରଓ୍ଵାଲଙ୍କ ୨୭ କୋଟିରୁ ଅଧିକ ସଂପତ୍ତି ଜବତ କରିଛି। ଆୟବର୍ହିଭୂତ ସଂପତ୍ତି ଠୁଳ ଓ ମନି ଲଣ୍ଡରିଂ ମାମଲାରେ କେନ୍ଦ୍ରୀୟ ଏଜେନ୍ସି ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ୧୯୮୮ ବ୍ୟାଚର ଆଇଏଏସ ଅଧିକାରୀ ବାବୁଲାଲଙ୍କୁ ଇଡି ନଭେମ୍ବର ୯ରେ ରାୟପୁର ସ୍ଥିତ ନିଜ ବାସଭବନରୁ ଗିରଫ କରିଥିଲା। ଏହା ପରେ କୋର୍ଟ ତାଙ୍କୁ ଡିସେମ୍ବର ୫ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ଇଡି ଅଧିକାରୀ ଶନିବାର କହିଛନ୍ତି ଯେ, ଜବତ  ହୋଇଥିବା ସଂପତ୍ତିରେ ଗୋଟିଏ ପ୍ଲାଣ୍ଟ, ବ୍ୟାଙ୍କ ଖାତାରେ ଜମା ଟଙ୍କା ଓ ତାଙ୍କ ପରିବାରରେ ନାଁରେ ଥିବା ଅଚଳ ସଂପତ୍ତି ସାମିଲ। ଏସବୁକୁ ମିଶାଇ ମୋଟ୍ ସଂପତ୍ତିର ମୂଲ୍ୟ ୨୭.୮୦ କୋଟି ହେବ। ଏଥିରେ ୨୬.୨୬ କୋଟି ଟଙ୍କାର ପ୍ଲାଣ୍ଟ ଓ ଯନ୍ତ୍ରାଂଶ, ୨୯୧ ବ୍ୟାଙ୍କ ଖାତାରେ ୨୦.୪୩ ଲକ୍ଷ ଟଙ୍କା, ତାଙ୍କ ସଂପତ୍ତି ଏକ୍ସପ୍ରେସ ମାଇନିଂ ପ୍ରାଇଭେଟ୍‌ ଲିମିଟେଡ୍‌ ନାମରେ ୩୯.୫୨ ଲକ୍ଷ ଟଙ୍କାର ଫ୍ଲାଟ୍ ଓ ଆୟକର ବିଭାଗ  ଚଢାଉରେ ଜବତ ୧୫ ଲକ୍ଷ ଟଙ୍କା ସାମିଲ।

ଛତିଶଗଡ ସରକାରରେ ପ୍ରମୁଖ ସଚିବ ରହିଥିବା ବାବୁଲାଲଙ୍କୁ ୨୦୧୦ରେ ଦୁର୍ନୀତି ଅଭିଯୋଗରେ ସିବିଆଇ ମଧ୍ୟ ଗିରଫ ହୋଇଥିଲା। ଏହା ପରେ ତାଙ୍କୁ  ଚାକିରିରୁ ନିଲମ୍ବିତ କରାଯାଇଥିଲା। ସିବିଆଇ ଓ ଛତିଶଗଡ ଦୁର୍ନୀତି ନିରୋଧୀ ବ୍ୟୁରୋଙ୍କ ଏଫଆଇଆର ଆଧାରରେ ଇଡି ବାବୁଲାଲ, ତାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସୁନିଲ ଅଗ୍ରଓ୍ଵାଲ ଓ ଅନ୍ୟଙ୍କ ବିରୋଧରେ ମନି ଲଣ୍ଡରିଂର କେସ୍ ରୁଜୁ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.