କରୋନାକୁ ମାତ୍ ଦେଇଥାନ୍ତା ଏହି ଔଷଧ, କିନ୍ତୁ ପ୍ରଥମ ଟ୍ରାଏଲରେ ହେଲା ଫେଲ୍ !

Published By : Prameya-News7 Bureau | April 25, 2020 IST

ନ୍ୟୁୟର୍କ ୨୫।୪: ସାରା ବିଶ୍ବ କରୋନା ଭାଇରସ୍ ପାଇଁ ଟୀକା ଖୋଜିବାରେ ଲାଗିପଡିଛନ୍ତି । ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ପରେ ଯେଉଁ ଔଷଧର ସବୁଠୁ ଅଧିକ ଚର୍ଚ୍ଚା ହେଉଥିଲା ତାହା ହେଉଛି ରେମଡେସିଭିର । ଅଧ୍ୟୟନରେ ଏହାର ଫଳାଫଳ ଉତ୍ସାହଜନକ ରହିଛି ବୋଲି କୁହାଯାଇଥିଲା । ମାତ୍ର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ର ଡକ୍ୟୁମେଣ୍ଟରୁ ଜଣାପଡିଛି ଯେ, ଏହାକୁ ନେଇ ଚୀନରେ କରାଯାଇଥିବା ପ୍ରଥମ ପରୀକ୍ଷା ବିଫଳ ହୋଇଛି ।

ନ୍ୟୁଜ୍ ଏଜେନ୍ସି AFPର ରିପୋର୍ଟ ଅନୁଯାୟୀ, WHOର ୱେବସାଇଟରେ କିଛି ସମୟ ପାଇଁ ଡ୍ରାଫ୍ଟର ସାରାଂଶ ଅପଲୋଡ୍ ହୋଇଥିଲା । ଏହି ଖବର ପ୍ରଥମେ ଫାଇନାନସିଆଲ ଟାଇମ୍ସ ଏବଂ ଷ୍ଟାଟ୍ ଦ୍ବାରା ସ୍କ୍ରିନସଟ୍ ସହିତ ରିପୋର୍ଟ କରାଯାଇଥିଲା । କିନ୍ତୁ ଏହି ଔଷଧ ତିଆରି କରୁଥିବା କମ୍ପାନୀ WHOର ଡିଲିଟ୍ ହୋଇଥିବା ପୋଷ୍ଟର ଫଳାଫଳ ବିଷୟରେ କହିଛି ଯେ ତଥ୍ୟର 'ସମ୍ଭାବ୍ୟ ଲାଭ' ଅଛି ।

ଡକ୍ୟୁମେଣ୍ଟ ଅନୁଯାୟୀ ୨୩୭ ରୋଗୀଙ୍କ ଉପରେ ଏହି ଟ୍ରାଏଲ କରାଯାଇଥିଲା । ଯେଉଁଥିରୁ ୧୫୮ ରୋଗୀଙ୍କୁ ରେମଡେସିଭିର ଔଷଧ ଦିଆଯାଇଥିଲା । ୭୯ରୋଗୀଙ୍କୁ କଣ୍ଟ୍ରୋଲ ଗ୍ରୁପରେ ରଖାଯାଇଥିଲା । ରେମଡେସିଭିରର ପାର୍ଶ୍ବ ପ୍ରତିକ୍ରିୟା ହେତୁ ୧୮ ରୋଗୀଙ୍କୁ ଦିଆଯାଇଥିବା ଔଷଧ ଶୀଘ୍ର ବନ୍ଦ କରିବାକୁ ପଡିଲା । ଏକ ମାସ ପରେ ରେମଡେସିଭିର ନେଉଥିବା ଲୋକଙ୍କ ମଧ୍ୟରୁ ୧୩.୯ ପ୍ରତିଶତ ଏବଂ କଣ୍ଟ୍ରୋଲ ଗ୍ରୁପରେ ରଖାଯାଇଥିବା ଲୋକଙ୍କ ମଧ୍ୟରୁ ୧୨.୮ ପ୍ରତିଶତ ଲୋକଙ୍କର ମୃତ୍ୟୁ ହୋଇଛି । ରିପୋର୍ଟରେ ଦର୍ଶାଯାଇଛି ଯେ ପାର୍ଥକ୍ୟ ପରିସଂଖ୍ୟାନ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ନୁହେଁ । WHO ଫାଇନାନସିଆଲ ଟାଇମ୍ସକୁ କହିଛି ଯେ, ଡ୍ରାଫ୍ଟର ସମୀକ୍ଷା କରାଯାଉଛି । ଏହା ଭୁଲରେ ଉଚିତ୍ ସମୟ ପୂର୍ବରୁ ପ୍ରକାଶିତ ହୋଇଥିଲା ।

ଏହା ଏକ ଆଣ୍ଟି-ଭାଇରାଲ୍ ଔଷଧ । ୨୦୧୪ରେ ଏହା ଗିଲିୟଡ୍ ନାମକ ଏକ ଆମେରିକୀୟ କମ୍ପାନୀ ଦ୍ବାରା ପ୍ରସ୍ତୁତ କରାଯାଇଥିଲା । ଇବୋଲା ରୋଗର ଚିକିତ୍ସା ପାଇଁ ଏହା ପ୍ରସ୍ତୁତ କରାଯାଇଥିଲା । ଏହାସହ ମର୍ସ ଏବଂ ସାର୍ସ ନାମକ ରୋଗର ଚିକିତ୍ସାରେ ମଧ୍ୟ ଏହା ବ୍ୟବହୃତ ହୋଇଥିଲା । ମର୍ସ ଏବଂ ସାର୍ସ ମଧ୍ୟ କରୋନା ଭାଇରସ୍ ପରିବାରରୁ ହିଁ ବ୍ୟାପିଥିବା ରୋଗ । ବିଶେଷଜ୍ଞ କହିଛନ୍ତି ଯେ ରେମଡିସିଭିର କରୋନା ଭାଇରସ୍ ବିସ୍ତାରକୁ ରୋକିଥାଏ ।

ପ୍ରକୃତରେ କରୋନା ଭାଇରସ୍ ମନୁଷ୍ୟର କୋଷରେ ପ୍ରବେଶ କରନ୍ତି । ଏହାପରେ ଭାଇରସ୍ RdRP ନାମକ ଏକ ଏନଜାଇମ୍ ଛାଡିଥାଏ । ଏହି ଏନଜାଇମ୍ ସାହାଯ୍ୟରେ ଭାଇରସ୍ ବିସ୍ତାର ହୁଏ । ରେମଡେସିଭିର ଏହି ଏନଜାଇମକୁ ପ୍ରତିରୋଧ କରିଥାଏ । ଫଳରେ ଶରୀରରେ ଭାଇରସ୍ ବିସ୍ତାର ବନ୍ଦ ହୋଇଥାଏ । ଅର୍ଥାତ୍ ଏହି ଔଷଧ ଶରୀରରେ କରୋନା ବିସ୍ତାରକୁ ରୋକିଥାଏ । ଏହି କାରଣରୁ, କରୋନା ଚିକିତ୍ସାରେ ଏହି ଔଷଧ ବିଷୟରେ ବିଶେଷଜ୍ଞମାନେ ଉତ୍ସାହିତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.