କୁକୁଡ଼ାକୁ ନେଇଗଲା କୁକୁର: ଏପଟେ ଦୁଇ ଗୋଷ୍ଠୀ ମଧ୍ୟରେ ଛୁରା ମାଡ଼

Published By : Prameya-News7 Bureau | April 18, 2020 IST

ଭଦ୍ରକ୧୮/୪: କୁକୁଡ଼ା ନେଇଗଲା କୁକୁର । କିନ୍ତୁ କୁକୁଡ଼ା ଚୋରି ହୋଇଥିବା ସନ୍ଦେହରେ ପ୍ରଥମେ କମେଣ୍ଟମରା ଓ ପରେ ଦୁଇ ଗୋଷ୍ଠୀ ମୁହାଁ ମୁହିଁ । ଏହି ଗୋଷ୍ଠୀ ସଂଘର୍ଷରେ ଜଣେ ଗୁରୁତର ହୋଇଥିବା ବେଳେ  ୬ ଆହତ ହୋଇଛନ୍ତି । ଏହି ଘଟଣାରେ ପୋଲିସ୍‌ ଦୁଇଜଣଙ୍କୁ ଅଟକ ରଖିଛି। ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ରାହାଞ୍ଜ ପଞ୍ଚାୟତର ମେଲଣପଦା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁଯାୟୀ ଗାଁର ଜନୈକ ବ୍ୟକ୍ତି ତିନିଗୋଟି କୁକୁଡ଼ା ନିଜ ସାଇକେଲ ହ୍ୟାଣ୍ଡେଲରେ ଟାଙ୍ଗି ଆଣୁଥିଲେ। କିଛି ସମୟ ପାଇଁ ରାସ୍ତାରେ ସାଇକେଲ ରଖି କୌଣସି କାମରେ ଯାଇଥିବା ସମୟରେ ୩ଟି କୁକୁଡ଼ାକୁ କୁକୁର ନେଇ ଯାଇଥିଲା। କିନ୍ତୁ ତାଙ୍କ  କୁକୁଡ଼ା କେହି ଚୋରି କରି ନେଇଯାଇଥିବା ସେ ସନ୍ଦେହ କରିଥିଲେ।  ଏହି କଥା କେବଳ ରାସ୍ତାରେ ଶେଷ ହୋଇ ନଥିଲା।  ସଂପୃକ୍ତ ବ୍ୟକ୍ତି ସନ୍ଦେହରେ କେତେକ ଲୋକଙ୍କୁ ଗାଳି ଗୁଲଜ କରିଥିଲେ।

ତେବେ ଏହି କଥାର ସମାଧାନ ହୋଇଥିଲା କିନ୍ତୁ ପରେ ପୁଣି ଏହି କୁକୁଡ଼ା ଚୋରି କଥାକୁ ନେଇ ଝଗଡା ଆରମ୍ଭ ହୋଇଥିଲା । ପରେ ଦୁଇ ଗୋଷ୍ଠୀ ମୁହାଁ ମୁହିଁ ହୋଇଥିଲେ । ଏହି ସମୟରେ ଉଭୟ ପକ୍ଷ ଛୁରା ମାଡ଼ କରିଥିଲେ। ଫଳରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ଉଭୟ ପକ୍ଷର ଅନ୍ୟ ୬ ଜଣ ଆହତ ହୋଇଥିଲେ। ଗୁରୁତରଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଦୁଇଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ତେବେ ସାଇକେଲ ହ୍ୟାଣ୍ଡେଲରେ ଥିବା ୩ଟି କୁକୁଡ଼ା କୁ କୁକୁର ନେଇଯାଇଥିବା କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.