ଭୁବନେଶ୍ୱର୧୭/୭: ହସ୍ପିଟାଲରେ ଏବେ କରୋନା ସଂକ୍ରମଣର ଭୟ ବଢ଼ିଛି । ଡାକ୍ତର, ନର୍ସ ଠୁ ଆରମ୍ଭ କରି ବହୁ ଷ୍ଟାଫ୍ ସଂକ୍ରମିତ ହୋଇଛନ୍ତି । ଅନେକ ହସ୍ପିଟାଲରେ ଓପିଡି, ଆଇପିଡି ସେବା ମଧ୍ୟ ବନ୍ଦ କରିବାକୁ ପଡ଼ିଛି । ଏହି ସମୟରେ ଯେମିତି ଅଲଗା ରୋଗୀ ହଇରାଣ ନହୁଅନ୍ତୁ । ସେଥିପାଇଁ ସରକାର ଟେଲି ମେଡିସିନ୍ ସେବା ଆରମ୍ଭ କରିବେ। ୪୧ଟି ସରକାରୀ ହସ୍ପିଟାଲରେ ଏହି ସେବା ମିଳିବ । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି ।
ଟେଲି ମେଡିସିନ୍ ଆରମ୍ଭ ହେଲେ, ରୋଗୀମାନେ ଟେଲିଫୋନ୍ ମାଧ୍ୟମରେ ଡାକ୍ତରଙ୍କ ସହ ସିଧାସଳଖ କଥା ହେବା ସହ ପରାମର୍ଶ ନେଇପାରିବେ । ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୭ ସରକାରୀ ମେଡିକାଲ କଲେଜ, ଆର୍ଜିଏଚ୍ ରାଉରକେଲା, କ୍ୟାପିଟାଲ ହସ୍ପିଟାଲ, ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର ଓ ଶିଶୁଭବନ ସବୁଠି ରୋଗୀ ଫୋନ୍ରେ ପରାମର୍ଶ ପାଇବେ ।
ଜିଲ୍ଲା ହସ୍ପିଟାଲଗୁଡ଼ିକରେ ସେବା ସକାଳ ୮ଟାରୁ ଅପରାହ୍ଣ ୫ଟା ଯାଏ ଜାରି ରହିବ । ମେଡିକାଲ କଲେଜରେ ସେବା ୨୪ ଘଣ୍ଟା ଚାଲୁ ରହିବ । ଟେଲି ମେଡିସିନ୍ ସେବା ଆସନ୍ତା ୨୦ ତାରିଖରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ଓକାକ୍ ତରଫରୁ ପ୍ରତି କେନ୍ଦ୍ରକୁ ୨ଟି ଲେଖାଏଁ ମୋବାଇଲ୍ ସେଟ୍ ଦିଆଯିବ । ଏହା ସହିତ ସିମ୍କାର୍ଡ ମଧ୍ୟ ମିଳିବ । ଫୋନ୍ ନମ୍ବରଗୁଡ଼ିକୁ ସରକାର ସାର୍ବଜନୀନ କରିବେ । ଏହି ଅବସରରେ ବିଭାଗର ସ୍ୱତନ୍ତ୍ର ସଚିବ, ଡିଏମ୍ଇଟି ପ୍ରଫେସର ସିବିକେ ମହାନ୍ତି ଓ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ଉପସ୍ଥିତ ଥିଲେ ।