ବଦଳିଲେନି ଆୟୁଷ ନିର୍ଦ୍ଦେଶକ: ପୁଣି ପଦାକୁ ଆସିଲା ଆଉ ଏକ କଳା କାରନାମା

Published By : Prameya-News7 Bureau | July 24, 2020 IST

ଭୁବନେଶ୍ବର୨୪/୭:  ପଦାକୁ ଆସିଲା ରସିକିଆ OASଙ୍କ ଆଉ ଏକ କଳା କାରନାମା । ଯୁବତୀଙ୍କୁ ଅଶ୍ଳୀଳ ମେସେଜ ଓ ଭିଡିଓ ପଠାଇ ଜେଲ ଯାଇଥିବା ରସିକିଆ OAS ତଥା ତତକାଳୀନ ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡଙ୍ଗୀଙ୍କ ଆଉ ଏକ କଳା କାରନାମା ପଦାକୁ ଆସିଛି । ସରକାର ତାଙ୍କୁ ଚାକିରିରୁ ସସପେଣ୍ଡ କରିବା ପରେ ମଧ୍ୟ ଘରେ ରହି ଏକାଧିକ ଗୁରୁତ୍ବପୂର୍ଣ୍ଣ ଫାଇଲ ଦସ୍ତଖତ କରିଛନ୍ତି ।

କର୍ମଚାରୀଙ୍କ ପଦୋନ୍ନତିଠାରୁ ଆରମ୍ଭ କରି ସରକାରଙ୍କୁ ଖାଲି ଥିବା ପଦବୀ ସମ୍ପର୍କରେ ଚିଠି ଲେଖିଛନ୍ତି । କାଳେ ତଦନ୍ତ ହେଲେ ଫସିଯିବେ ସେଥିଲାଗି ଯେତେସବୁ ଅନିୟମିତତା ଥିଲା, ସେ ସବୁକୁ ରାତାରାତି ଠିକ୍ କରି ଦେଇଛନ୍ତି । ଖାଲି ସେତିକି ନୁହେଁ ତାଙ୍କ ବିରୋଧରେ ଅଭିଯୋଗକାରିଣୀଙ୍କୁ ଚାକିରିରୁ ଇସ୍ତଫା ଦେବା ପାଇଁ ଚାପ ପକାଉଥିବା ଅଭିଯୋଗ ହୋଇଛି । ବିଭୁପ୍ରସାଦ ଗତ ୯ ତାରିଖରେ ଜେଲ ଯାଇଥିଲେ । ସେହିଦିନ ସରକାର ତାଙ୍କୁ ଚାକିରିରୁ ବହିସ୍କାର କଲେ ।

୪ ଦିନ ଜେଲରେ ରହି ସର୍ତ୍ତମୂଳକ ଜାମିନରେ ଆସିଲେ । ଜେଲରୁ ଫେରିବା ପରେ ନିଜ ଘରକୁ ଫାଇଲ ମଗାଇ ନିଜର କେତେଜଣ ଅନୁଗତଙ୍କୁ ଡକାଇ ରିତିମତ କାମ କରିଚାଲିଥିଲେ । ସସପେଣ୍ଡ ହେବା ପରେ ନିଜ ହସ୍ତାକ୍ଷରରେ ପ୍ରାୟ ୫୦ରୁ ଅଧିକ ଚିଠି କରିଛନ୍ତି । ଏଥିସହିତ ୫୦୦ରୁ ଅଧିକ ଫାଇଲରେ ଦସ୍ତଖତ ମଧ୍ୟ କରିଛନ୍ତି ।  ଏହାଛଡା ସଂପୃକ୍ତ ଯୁବତୀଙ୍କୁ ଚାକିରି ଦେଇଥିବା ସଂସ୍ଥାକୁ ଜୁଲାଇ ୧୬ରେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।  ତେବେ ଏଠି ପ୍ରଶ୍ନ ଉଠୁଛି , ତାଙ୍କର ସସ୍ ପେନସନ ଅର୍ଡର ପ୍ରତ୍ୟାହାର ହୋଇନଥିବା ବେଳେ ସେ କେମିତି ଅଫିସ କାମ କଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.