୯ ବର୍ଷ ଧରି ଲାଗି ରହିଥିବା ଆଇନଗତ ଲଢେଇର ଅନ୍ତ, ଆସିଲା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି

Published By : Prameya-News7 Bureau | July 13, 2020 IST

ଥିରୁବନନ୍ତପୁରମ୧୩/୭:  ୯ ବର୍ଷର ଆଇନଗତ ଲଢେଇ ପରେ ଦେଶର ସବୁଠୁ ଧନୀ ମନ୍ଦିର ଶ୍ରୀ ପଦ୍ମନାଭସ୍ବାମୀ ମନ୍ଦିରର ପ୍ରଶାସନ ଓ ପରିଚାଳନା ଅଧିକାର ଟ୍ରାଭାନକୋର ରାଜପରିବାର ଉପରେ ନ୍ୟସ୍ତ କଲେ ସୁପ୍ରିମକୋର୍ଟ। ସୁ୍ପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି । ଏକ ସ୍ଥାୟୀ କମିଟି ଗଠନ ନହେବା ପର୍ଯ୍ୟନ୍ତ ଥିରୁବନନ୍ତପୁରମ ଜିଲ୍ଲା ଦୌରାଜଜଙ୍କ ଅଧ୍ୟକ୍ଷତାରେ ଏକ କାମଚଳା କମିଟି ଗଠନ କରି ମନ୍ଦିର ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

୯ ବର୍ଷ ଧରି ଲାଗିରହିଥିବା ଆଇନଗତ ଲଢେଇର ଅନ୍ତ। ଆସିଲା ସୁପ୍ରିମକୋର୍ଟଙ୍କ ସୁପ୍ରିମ ଫଏସଲା । କେରଳର ଐତିହାସିକ ପଦ୍ମନାଭସ୍ବାମୀ ମନ୍ଦିରର ପରିଚାଳନାରେ ଟ୍ରାଭାନକୋରର ପୂର୍ବତନ ରାଜପରିବାରର ଅଧିକାରକୁ କାଏମ ରଖିଲେ ସର୍ବୋଚ୍ଚ ଅଦାଲତ । ମନ୍ଦିର ପ୍ରଶାସନ ଓ ପରିଚାଳନା ନେଇ ୨୦୧୧ ଜାନୁଆରୀ ୩୧ରେ କେରଳ ହାଇକୋର୍ଟ ଦେଇଥିବା ରାୟକୁ ଖାରଜ କରି ଦେଇଛନ୍ତି ସୁପ୍ରିମ କୋର୍ଟ ।

୨୦୧୧ରେ କେରଳ ହାଇକୋର୍ଟ ରାୟ ଦେଇଥିଲେ ୧୯୯୧ରେ ଟ୍ରାଭାନକୋର ରାଜପରିବାରର ଶେଷ ରାଜାଙ୍କ ମୃତ୍ୟୁ ପରେ ମନ୍ଦିରର ପ୍ରଶାସନିକ ପରିଚାଳନା ନେଇ ରାଜପରିବାରର ଯେଉଁ ଅଧିକାର ଥିଲା ତାହା ସମାପ୍ତ ହୋଇଯାଇଛି। କେରଳ ହାଇକୋର୍ଟଙ୍କ ଏହି ରାୟକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ ରାଜପରିବାର। ଆଜିର ରାୟରେ ସୁପ୍ରିମକୋର୍ଟ କହିଛନ୍ତି ଟ୍ରାଭାନକୋରର ଶେଷ ରାଜାଙ୍କ ମୃତ୍ୟୁର ଏହା ମାନେ ନୁହେଁ ଯେ ଉତ୍ତରାଧିକାରୀ ନଥିବା ଯୋଗୁ ସରକାର ରାଜପରିବାରର ସବୁ ସମ୍ପତ୍ତି ବାଜ୍ୟାପ୍ତି କରି ମନ୍ଦିର ପ୍ରଶାସନ ଓ ପରିଚାଳନାରୁ ରାଜପରିବାରଙ୍କ ଅଧିକାର ପ୍ରତ୍ୟାହାର କରିନେବେ।

ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଶେଷ ରାଜାଙ୍କ ମୃତ୍ୟୁ  ପରେ ବି ମନ୍ଦିରର ସମ୍ପତ୍ତିର ପରିଚାଳନା ଅଧିକାର ରାଜପରିବାରର ସଦସ୍ୟଙ୍କ ରହିଛି ଏବଂ ଗଡିଆସୁଥିବା ପରମ୍ପରା ଅନୁଯାୟୀ ଏହା ରାଜପରିବାରର ସଦସ୍ୟଙ୍କ ପାଖରେ ରହିବ। ତେବେ ମନ୍ଦିର ପରିଚାଳନା ପାଇଁ ସୁ୍ପ୍ରିମକୋର୍ଟ ଏକ କାମଚଳା କମିଟ ଗଠନ କରିବାକୁ କହିଛନ୍ତି। ଥିରୁବନନ୍ତପୁରମର ଜିଲ୍ଲା ଦୌରାଜଜ ଏହି କମିଟିର ଚେୟାରମ୍ୟାନ ରହିବେ । ମନ୍ଦିରର ପ୍ରଶାସନର ଦାୟିତ୍ବ ତାଙ୍କ ଉପେର ନ୍ୟସ୍ତ ରହିବ । ନୂଆ କମଟି ଗଠନ ନହେବାପର୍ଯ୍ୟନ୍ତ ଏହି ସେ ଏହି ଦାୟିତ୍ବରେ ରହିବେ।

ସୁପ୍ରିମକୋର୍ଟଙ୍କ ଫଇସଲାକୁ ସ୍ବାଗତ କରିଛନ୍ତି ଟ୍ରାଭାନକୋର ରାଜପରିବାରର ସଦସ୍ୟ ଆଦିତ୍ୟ ବର୍ମା। ସୁପ୍ରିମକୋର୍ଟଙ୍କ ଫଏସଲା ପୁଣି ଥରେ ଶ୍ରୀପଦ୍ମନାଭ ମନ୍ଦିର ସହିତ ରାଜରିବାରର ସମ୍ପର୍କକୁ ମଜଭୁତ୍‌ କରିଛି ବୋଲି ସେ କହିଛନ୍ତି। ଶ୍ରୀପଦ୍ମନାଭ ମନ୍ଦିରର ପରିଚାଳନା ନେଇ କେରଳ ହାଇକୋର୍ଟ ୨୦୧୧ ଜାନୁଆରୀ ୩୧ରେ ଏକ କମିଟି କିମ୍ବା ଟ୍ରଷ୍ଟ ଗଠନ କରିବାକୁ କହିଥିଲେ।  ପରମ୍ପରା ଅନୁଯାୟୀ ମନ୍ଦିରର ପରିଚାଳନା ଏବଂ ଏହାର ସମ୍ପତ୍ତିର ତଦାରଖ ଏହି ଟ୍ରଷ୍ଟକୁ ବୁଝିବାକୁ କହିଥିଲେ । ଏହି ରାୟ ବିରୋଧରେ ରାଜପରିବାର ପିଟିସନ ଆଗତ କରିଥିଲେ । ଏହାର ଶୁଣାଣି ସୁପ୍ରିମକୋର୍ଟର ବିଚାରପତି ୟୁ.ୟୁ ଲଲିତ ଓ ବିଚାରପତି ଇନ୍ଦୁ ମାଲହୋତ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.