କରୋନା କବଳରେ ୧୯୫ ଦେଶ, ମୃତ୍ୟୁ ସଂଖ୍ୟା ୨୧,୨୦୦: ସ୍ପେନ୍‌ରେ ଆତଙ୍କ, ଆମେରିକାରେ ଏକ ହଜାରରୁ ଅଧିକ ମୃତ

Published By : Prameya-News7 Bureau | March 26, 2020 IST

ନୂଆଦିଲ୍ଲୀ।ବେଜିଂ।ରୋମ୍ ୨୬।୩: ବିଶ୍ବର ୧୯୫ ଦେଶ ଏବେ କରୋନା କବଳରେ । ସାରା ବିଶ୍ବରେ  ୨୧,୨୦୦ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ଭାଇରସ୍ ସଂକ୍ରମଣରେ ଏବେ ୪ ଲକ୍ଷ ୬୮ ହଜାର ୯୦୫ ଲୋକ | ୧ ଲକ୍ଷ ୧୪ ହଜାର ୨୧୮ ରୋଗୀ ସୁସ୍ଥ ହୋଇଛନ୍ତି । ବିଶ୍ବ ଜନସଂଖ୍ୟାର ଏକ ତୃତୀୟାଂଶ ଲୋକ ଲକ୍ ଡାଉନ୍ | ଭାରତର ୧.୩ ଅରବ, ଇଟାଲୀର ପ୍ରାୟ ୬୦ କୋଟି ଲୋକ ନିଜ ନିଜ ଘରେ ଅଛନ୍ତି।

ଏହି ସମୟରେ ହଙ୍ଗେରୀରେ ଜଣେ ବରିଷ୍ଠ ବ୍ରିଟିଶ କୂଟନୀତିଜ୍ଞ ଷ୍ଟିଭନ୍ ଡିକ୍ ଙ୍କର କରୋନୋ ଭାଇରସ୍ ଯୋଗୁଁ ମୃତ୍ୟୁ ହୋଇଛି । ତାଙ୍କୁ ୩୭ ବର୍ଷ ହୋଇଥିଲା | ସେ ବୁଡାପେଷ୍ଟରେ ଥିବା ବ୍ରିଟିଶ ଦୂତାବାସର ମିଶନର ଡେପୁଟି ଚିଫ୍ ଥିଲେ । ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଛି। ଏଠାରେ ଏପର୍ଯ୍ୟନ୍ତ ୪୬୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯୬୪୦ ଲୋକ ସଂକ୍ରମିତ ହୋଇଛନ୍ତି ।

ସେପଟେ ଆମେରିକାରେ ମୃତ୍ୟୁସଂଖ୍ୟା ୧ ହଜାର ଅତିକ୍ରମ କରିଛି । ଏକ ରିପୋର୍ଟ ଅନୁଯାୟୀ ବୁଧବାର ଆମେରିକାରେ ୨୨୩ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଏହା ହେଉଛି ଦେଶର ଗୋଟିଏ ଦିନର ସବୁଠାରୁ ବଡ ସଂଖ୍ୟା | ମଙ୍ଗଳବାର ଏଠାରେ ୧୫୪ ଜଣଙ୍କର ମୃତ୍ୟୁ ହୋଇଛି । ଜାନୁଆରୀରେ ଏଠାରେ ପ୍ରଥମ ସଂକ୍ରମଣ ସାମ୍ନାକୁ ଆସିଥିଲା । ସେବେଠାରୁ ୧୦୩୨ ଜଣଙ୍କର ମୃତ୍ୟୁ ଘଟିଛି । ୪ ଦିନ ପୂର୍ବରୁ ରବିବାର ସକାଳ ପର୍ଯ୍ୟନ୍ତ ସାରା ଦେଶରେ ୩୨୬ ଜଣଙ୍କର ମୃତ୍ୟୁ ଘଟିଥିଲା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବୁଧବାର କହିଥିଲେ ଯେ, ଆମେ ସାମାଜିକ ଦୂରତାକୁ ନେଇ ଅଧିକ କଠୋର ପଦକ୍ଷେପ ଗ୍ରହଣ କରିବୁ । ଆମେରିକାରେ ୬୬,୦୪୮ଲୋକ ସଂକ୍ରମିତ ହୋଇଛନ୍ତି ।

ସେହିଭଳି ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ କରୋନୋ ଭାଇରସ୍ ମହାମାରୀର ମୁକାବିଲା ପାଇଁ ଏକ ଟାସ୍କଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ୧୩୦୭ ସଂକ୍ରମଣ ହୋଇଥିବାବେଳେ ୪୫ ଜଣଙ୍କର ମୃତ୍ୟୁ ହୋଇଛି। ଜାପାନ କ୍ୟାବିନେଟର ମୁଖ୍ୟ ସଚିବ ୟୋଶିହିଦେ ସୁଗା ଗୁରୁବାର କହିଛନ୍ତି ଯେ, ଟାସ୍କଫୋର୍ସ ଗଠନ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯିବା ଆବଶ୍ୟକ । ବୁଧବାର ସର୍ବାଧିକ ୯୮ ଜଣ ସଂକ୍ରମିତ ହୋଇଥିଲେ ।

ସେପଟରେ ବୁଧବାର ହଂକଂରେ ଆଉ ୨୪ ଜଣ ସଂକ୍ରମିତ ହୋଇଛନ୍ତି । ଏଠାରେ ମୋଟ୍ ୪୧୦ଜଣ ସଂକ୍ରମିତ ହୋଇଛନ୍ତି । ଏଠାରେ ସରକାର ଅନ୍ୟ ଦେଶ ସହ ଲାଗିଥିବା ସୀମା ବନ୍ଦ କରି ଦେଇଛନ୍ତି ଯଦିଓ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଛି ତେବେ ଏଠାରେ ୪ ଜଣଙ୍କର ମୃତ୍ୟୁ ହୋଇଛି।

ଇଟାଲୀରେ ଗୋଟିଏ ଦିନରେ କରୋନା ସଂକ୍ରମଣରେ ୬୮୩ ଜଣଙ୍କର ମୃତ୍ୟୁ ହୋଇଥିଲା | ଏଠାରେ ମୃତ୍ୟୁ ସଂଖ୍ୟା ୭୫୦୩ ହୋଇଛି । ଏହାସହ ସଂକ୍ରମଣ ସଂଖ୍ୟା ୭୪୩୮୬କୁ ବୃଦ୍ଧି ପାଇଛି । ମାର୍ଚ୍ଚ ୯ ରେ ଇଟାଲୀରେ ଆରମ୍ଭ ହୋଇଥିବା ଲକ୍ ଡାଉନ୍ ଏପ୍ରିଲ ୩ରେ ଶେଷ ହେବ । ମଙ୍ଗଳବାର ଦିନ କରୋନା ଭାଇରସ୍ କୁ ନେଇ ଅବହେଳା କରୁଥିବା ଲୋକଙ୍କ ସହ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକ ନୂଆ ଆଡଭାଇଜରୀ ଜାରି କରାଯାଇଛି। ଏଥିରେ ହୋମ୍ କ୍ବାରେଣ୍ଟାଇନ୍ ଉଲ୍ଲଂଘନ କରୁଥିବା ଲୋକଙ୍କ ପାଇଁ ଜରିମନା ଏବଂ ଜେଲ୍ ମଧ୍ୟ ହୋଇପାରେ ।

ସ୍ପେନରେ ୨୪ ଘଣ୍ଟା ମଧ୍ୟରେ ୬୫୬ ଜଣ ପ୍ରାଣ ହରାଇଲେଣି| ଏପର୍ଯ୍ୟନ୍ତ ଏଠାରେ ୩୬୪୭ ଜଣଙ୍କର ମୃତ୍ୟୁ ହୋଇଛି। ସ୍ପେନରେ ମୃତ୍ୟୁ ସଂଖ୍ୟା ଚୀନ୍ ତୁଳନାରେ ଅଧିକ ରହିଛି । ଚୀନରେ ୩୨୮୭ ଜଣଙ୍କରର ମୃତ୍ୟୁ ହୋଇଛି । ବୁଧବାର ରାତିରେ ସ୍ପେନର ଉପପ୍ରଧାନମନ୍ତ୍ରୀ କାର୍ମେନ କଲଭୋ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ, ୪ ଦିନ ଧରି କଲଭୋଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ରହିଥିଲା । ସେ ଘରେ ଆଇସୋଲେସନରେ ରହି ସରକାରୀ କାର୍ଯ୍ୟ କରୁଥିଲେ । ବୁଧବାର ରାତିରେ ତାଙ୍କର ପ୍ରଥମ ରିପୋର୍ଟ ପଜିଟିଭ ଆସିଛି । ସ୍ପେନ୍ ସରକାର କଲଭୋଙ୍କର ସମସ୍ତ କର୍ମଚାରୀ ଏବଂ ତାଙ୍କ ସହ ଯୋଗାଯୋଗରେ ଆସିଥିବା ଅନ୍ୟମାନଙ୍କୁ କ୍ବାରେଣ୍ଟାଇନରେ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏକ ମେଡିକାଲ୍ ବୋର୍ଡ ସମସ୍ତଙ୍କର ଯାଞ୍ଚ କରୁଛନ୍ତି ।

ମିଶର ଏବଂ ଏହାର ରାଜଧାନୀ କାଇରୋକୁ ସଟଡାଉନ୍ କରିଦିଆଯାଇଛି । ଏଠାରେ ପ୍ରାୟ ଦୁଇ କୋଟି ଲୋକ ବସବାସ କରନ୍ତି । କରୋନା ଭାଇରସ୍ ସହିତ ମୁକାବିଲା ପାଇଁ ଅଧିକାରୀମାନେ ସହରରେ କର୍ଫ୍ୟୁ ଲାଗୁ କରିଛନ୍ତି। ସହରର ରେଷ୍ଟୁରାଣ୍ଟ ଏବଂ କାଫେ ସାଧାରଣତଃ ସକାଳ ପର୍ଯ୍ୟନ୍ତ ଖୋଲା ରହିଥାଏ | କିନ୍ତୁ କର୍ଫ୍ୟୁ ଆରମ୍ଭ ହେବା ପୂର୍ବରୁ ଦୋକାନ ଏବଂ ରେଷ୍ଟୁରାଣ୍ଟ ବନ୍ଦ କରିଦିଆଯାଇଥିଲା । ମିଶରର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁବାର କହିଛି ଯେ, ଦେଶରେ ଏପର୍ଯ୍ୟନ୍ତ ୪୫୬ ସଂକ୍ରମଣ ହୋଇଛନ୍ତି । ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୫  ଜଣ ସୁସ୍ଥ ହୋଇଛନ୍ତି ।

ନ୍ୟୁଜିଲ୍ୟାଣ୍ଡ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଦେଶରେ ଆଉ ୭୩ ଜଣ କରୋନା ଭାଇରସ ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ହେଉଚି ଦେଶରେ ସର୍ବାଧିକ ଗୋଟିଏ ଦିନର ସଂକ୍ରମଣଙ୍କ ସଂଖ୍ୟା । ଅଧିକାଂଶ କ୍ଷେତ୍ରରେ ସଂକ୍ରମିତ ଲୋକଙ୍କର ବିଦେଶ ଯାତ୍ରା କରିବାର ଇତିହାସ ରହିଛି । ବିଦେଶରୁ ଫେରିବା ପରେ ସେମାନେ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହିପରି ଭାବରେ ସଂକ୍ରମଣ ମାମଲା ବୃଦ୍ଧି ପାଇଛି ।

ପ୍ରବାସୀ ଭାରତୀୟ ପ୍ରସିଦ୍ଧ ସେଫ୍ ଫ୍ଲାଏଡ୍ କାର୍ଡୋଜଙ୍କର ମାର୍ଚ୍ଚ ୧୮ରେ ନ୍ୟୁୟର୍କର ଏକ ଡାକ୍ତରଖାନାରେ କରୋନା ଟେଷ୍ଟ କରାଯାଇଥିଲା । ଏହାର ରିପୋର୍ଟ ପଜିଟିଭ ଥିଲା | ଏହାପରେ ୫୯ ବର୍ଷ ବୟସ୍କ ଫ୍ଲଏଡଙ୍କର ନ୍ୟୁଜର୍ସିରେ ଚିକିତ୍ସା ଜାରି ରହିଥିଲା । ତାଙ୍କ କମ୍ପାନୀ ହଙ୍ଗର ଇଙ୍କ୍ ତରଫରୁ କୁହାଯାଇଛି ଯେ, ସେଫ୍ ଫ୍ଲଏଡଙ୍କର ମାର୍ଚ୍ଚ ୨୫ରେ ଦେହାନ୍ତ ହୋଇଛି। ସେ ତାଙ୍କ ପରିବାରରେ ମା ବେରିଲ, ପତ୍ନୀ ବରଖା ଏବଂ ଦୁଇ ପୁଅ ଜଷ୍ଟିସ୍ ଏବଂ ପିଟରଙ୍କୁ ଛାଡି ଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.