କ୍ୟାବିନେଟ୍ ବୈଠକ ପରେ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ

Published By : Prameya-News7 Bureau | July 10, 2020 IST

ନ୍ୟୁୟର୍କ୧୦/୦୭: ଆଇଭରି କୋଷ୍ଟର ପ୍ରଧାନମନ୍ତ୍ରୀ ଆମାଡୋଉ ଗୋନ କୋଲିବାଲିଙ୍କର ବୁଧବାର ଅପରାହ୍ଣରେ ଆକସ୍ମିକ ମୃତ୍ୟୁ ହୋଇଛି । ରାଷ୍ଟ୍ରପତି ଭବନ ପରିସରରେ କ୍ୟାବିନେଟର ଏକ ବୈଠକରେ ଯୋଗ ଦେବାର ମାତ୍ର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ସେଠାକାର ରାଷ୍ଟ୍ରପତି ଏହି ଘୋଷଣା କରିବା ପରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଥିଲା ।

କୋଲିବାଲି ପ୍ରାୟ ଦୁଇ ମାସ ଧରି ଫ୍ରାନ୍ସରେ ଚିକିତ୍ସିତ ହେବା ପରେ ଗତ ଗୁରୁବାର ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ । ଆସନ୍ତା ଅକ୍ଟୋବର ମାସରେ ହେବାକୁ ଥିବା ଦେଶର ରାଷ୍ଟ୍ରପତି ନିର୍ବାଚନରେ ସେ ଶାସକ ଦଳ ତରଫରୁ ପ୍ରାର୍ଥୀ ହେବେ ବୋଲି କିଛି ମାସ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଏବେ ତାଙ୍କର ଅକସ୍ମାତ୍‌ ବିୟୋଗ ଯୋଗୁ ତାଙ୍କ ସମର୍ଥକମାନେ ଶୋକରେ ମ୍ରିୟମାଣ ହୋଇଯାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ରାଷ୍ଟ୍ରପତି ଆଲାସାନେ ଓଉଟାରା ପ୍ରଧାନମନ୍ତ୍ରୀ କୋଲିବାଲିଙ୍କ ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିବା ସହିତ ଗତ ୩୦ ବର୍ଷ ଧରି ଉଭୟଙ୍କ ଭିତରେ ଥିବା ସମ୍ପର୍କର ଅବତାରଣା କରିଛନ୍ତି । ଆଇଭରି କୋଷ୍ଟର ଲୋକେ ଦେଶ ପ୍ରତି କୋଲିବାଲିଙ୍କର ଥିବା ସମର୍ପିତ ଭାବ ଏବଂ ପ୍ରେମ ଦ୍ୱାରା ଅନୁପ୍ରାଣୀତ ହେବେ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.