କୋଭିଡ୍- ୧୯ ମୁକାବିଲା ଆହୁରି ଶକ୍ତିଶାଳୀ : ଏମ୍କେସିଜିକୁ ମିଳିଲା ପରୀକ୍ଷଣ ମଞ୍ଜୁରୀ, ବ୍ରହ୍ମପୁରରେ ୨୦୦ ବେଡ୍ ହସପିଟାଲ, ଆସି ପହଞ୍ଚିଲା ୪ ହଜାର କିଟ୍
10/04/2020 at 8:51 PM

ଭୁବନେଶ୍ବର ୧୦.୦୪- ରାଜ୍ୟ ସରକାରଙ୍କ କରୋନା ବିରୋଧି ଅଭିଯାନରେ ଆହୁରି ବଳ । ଆଉ ଏକ ନୂଆ ସ୍ବତନ୍ତ୍ର କୋଭିଡ୍୧୯ ଡାକ୍ତରଖାନା କାର୍ଯ୍ୟକ୍ଷମ ହୋଇଛି । ତା ସହ ଏମ୍କେସିଜି ହସପିଟାଲକୁ କୋଭିଡ୍୧୯ ପରୀକ୍ଷଣ ଲାଗି ମଂଜୁରୀ ମିଳିଛି । ଆରଏମ୍ଆରସିରେ ପରୀକ୍ଷଣ କ୍ଷମତା ବୃଦ୍ଧିପାଇଥିବା ବେଳେ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିଛି ୪ ହଜାର ପରୀକ୍ଷଣ କିଟ୍ । ରାଜ୍ୟ ସରକାରଙ୍କ ପକ୍ଷରୁ ଅପରାହ୍ନ ସାଢେ ୪ ଟାରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି ।

ଟାଟା ଷ୍ଟିଲ୍ର ସହାୟତାରେ ବ୍ରହ୍ମପୁରଠାରେ ୨୦୦ ଶଯ୍ୟା ଓ ୧୫ ଆଇସିୟୁ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ରେକର୍ଡ ସମୟ ମଧ୍ୟରେ ପ୍ରସ୍ତୁତ ହୋଇଛି । ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ପ୍ରଶାସନର ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଏହା ଫଳରେ ରେ ରାଜ୍ୟରେ ମୋଟ ୧୭୯୭ ଶଯ୍ୟା ବିଶିଷ୍ଟ ୯ଟି ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟ କ୍ଷମ ହୋଇଛି। ରାଜ୍ୟରେ ଅଧିକ କୋଭିଡ୍-୧୯ ପରୀକ୍ଷା କ୍ଷମତା ବୃଦ୍ଧି ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି।
ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବ୍ରହ୍ମପୁରର ଏମ୍କେସିଜି ମେଡିକାଲ କଲେଜ୍ ଓ ହସ୍ପିଟାଲ୍ରେ କୋଭିଡ୍ ପରୀକ୍ଷା ପାଇଁ ଆଇସିଏମ୍ଆର୍ର ଅନୁମୋଦନ ମିଳିଛି । କଟକର ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ପରେ ଏହା ରାଜ୍ୟର ଦ୍ବିତୀୟ ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ଯେଉଁଠାରେ ଦକ୍ଷିଣ ଓଡ଼ିଶାର ଜନସାଧାରଣଙ୍କ ପାଇଁ କୋଭିଡ୍ ପରୀକ୍ଷଣର ସୁବିଧା ଉପଲବ୍ଧ ହେବ । ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ଭେଷଜ ଅନୁସନ୍ଧାନ କେନ୍ଦ୍ର (ଆର୍ଏମ୍ଆର୍ସି)ରେ ଅତ୍ୟାଧୁନିକ କୋବାସ୍ସିନ୍ ସ୍ଥାପନ କରାଯାଇଛି । ଏହା ଦ୍ବାରା ଆର୍ଏମ୍ଆର୍ସିର କୋଭିଡ୍ ପରୀକ୍ଷଣ କ୍ଷମତା ୧୦୦୦କୁ ବୃଦ୍ଧି ପାଇଛି । କୋଭିଡ୍-୧୯ର ମୁକାବିଲାରେ ରାଜ୍ୟ ସରକାରଙ୍କର ପ୍ରୟାସକୁ ସଶକ୍ତ କରିବା ଲକ୍ଷ୍ୟରେ ମୁମ୍ବାଇରୁ ଏକ ସ୍ବତନ୍ତ୍ର ମାଲ ପରିବହନକାରୀ ବିମାନ ରେ ଗୁରୁବାର ସନ୍ଧ୍ୟାରେ ୪୦୦୦ ପରୀକ୍ଷଣ କିଟ୍ ଭୁବନେଶ୍ବରରେ ପହଞ୍ଚିଛି ।