ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ

Published By : Prameya-News7 Bureau | December 07, 2020 IST

ଭୁବନେଶ୍ବର ୭।୧୨: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ। ସୋମବାର ଶୁଣାଣି ଶେଷ କରି ଏଡିଜେ-୩ କୋର୍ଟ ବିଧାୟକଙ୍କ ଜାମିନ ଖାରଜ କରିଛନ୍ତି।  ଏହା ପୂର୍ବରୁ ଏସଡିଜେଏମ କୋର୍ଟ ମଧ୍ୟ ବିଧାୟକଙ୍କ ଜାମିନ ଆବେଦନ ଖାରଜ କରିଥିଲେ। ଏବେ ଝାରପଡା ଜେଲ୍‌ରେ ଅଛନ୍ତି ବିଧାୟକ ପ୍ରଦୀପ ପ୍ରାଣିଗ୍ରାହୀ।

ପ୍ରଦୀପଙ୍କ ଓକିଲ ଜାମିନ ଦେବା ପାଇଁ କହିଥିବା ବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ ଓକିଲ ତଦନ୍ତ ଚାଲିଥିବା ବେଳେ ଜାମିନ ନଦେବା ପାଇଁ ମତ ରଖିଥିଲେ । ତାଙ୍କ ଓକିଲଙ୍କ କହିବା ଅନୁସାରେ ଏଫଆଇଆରରେ ଆକାଶଙ୍କ ନାଁ ଥିବାବେଳେ ପ୍ରଦୀପଙ୍କ ନାଁ ନାହିଁ।  ଆଗରୁ କୌଣସି ଅପରାଧିକ ମାମଲା ନାହିଁ । ରାଜନୈତିକ ଉଦ୍ଦେଶ୍ୟ ରଖି ଏହା କରାଯାଇଛି । ତାଙ୍କୁ ଫସାଇ ଦିଆଯାଇଛି । ସେପଟେ ସରକାରୀ ପକ୍ଷର ଓକିଲ କିନ୍ତୁ ଆକାଶ ପାଠକଙ୍କ ସହ ତାଙ୍କର ଲିଙ୍କ୍ ଥିଲା ଆଉ ଏହି ଲିଙ୍କ୍ ଉଭୟ ବ୍ୟକ୍ତିଗତ ଓ ପାରିବାରିକ ବୋଲି ଦର୍ଶାଇଛନ୍ତି । ଆକାଶ ଜାଲିଆତି କରି ଏମଡି ବୋଲି ଦର୍ଶାଇ ଅର୍ଥ ହଡପ କରୁଥିଲା ।

ଖୋର୍ଦ୍ଧା ଜିଲ୍ଲା ଦୌରା ଜଜରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଡିସେମ୍ବର ୪ରେ ଜାମିନ ଆବେଦନ କରିଥିଲେ। ୩ ତାରିଖରେ ଏସଡିଜେଏମ କୋର୍ଟରେ ଜାମିନ ଖାରଜ ହୋଇଥିଲା।

ସୂଚନାଯୋଗ୍ୟ, ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଗତ ଗୁରୁବାର ସନ୍ଧ୍ୟାରେ ପ୍ରଦୀପଙ୍କୁ ଗିରଫ କରିଥିଲା। ଜାଲିଆତି, ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗ ଆଧାରିତ ମାମଲାରେ ପ୍ରଦୀପ ଗିରଫ ହୋଇଥିଲେ। ଟାଟା କମ୍ପାନୀରେ ଚାକିରି କରାଇ ଦେବା ପ୍ରତିଶ୍ରୁତି ଦେଇ ପ୍ରଦୀପ ଆକାଶ ପାଠକଙ୍କ ପକ୍ଷରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପ୍ରଦୀପଙ୍କ ବିରୋଧରେ ଦଫା ୪୧୯, ୪୨୦, ୪୬୭, ୪୬୮,  ୪୬୯, ୪୭୧ ଓ ୧୨୦(ଖ)ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.