ରୋଗୀଙ୍କ ଅଭାବ କାରଣରୁ ବନ୍ଦ ହେବ ଦେଶର ସବୁଠୁ ବଡ କୋଭିଡ୍ କେୟାର ସେଣ୍ଟର
7/09/2020 at 7:04 PM

ବେଙ୍ଗାଲୁରୁ ୦୭।୦୯: ଭାରତ ସଂପ୍ରତି କରୋନା ଭାଇରସ୍ର କେନ୍ଦ୍ରସ୍ଥଳ ପାଲଟିଛି। ପ୍ରତିଦିନ ୮୦ ହଜାରରୁ ଉର୍ଦ୍ଧ୍ଵ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ମାତ୍ର ଏଭଳି ସ୍ଥିତିରେ କର୍ଣ୍ଣାଟକରେ ଏକ କୋଭିଡ୍ ହସ୍ପିଟାଲକୁ ଏଥିପାଇଁ ବନ୍ଦ କରାଯାଇଛି କାରଣ ଏଠାକୁ ରୋଗୀ ଆସୁ ନାହାନ୍ତି। କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ସ୍ଥିତ ଏହି ହସ୍ପିଟାଲ ଭାରତର ସବୁଠୁ ବଡ କୋଭିଡ କେୟାର ସେଣ୍ଟର। ଏବେ ରୋଗୀ ଅଭାବରୁ ଏହାକୁ ସେପ୍ଟେମ୍ବର ୧୫ରେ ବନ୍ଦ କରି ଦିଆଯିବ।
ଏହି କୋଭିଡ୍ କେୟାର ସେଣ୍ଟରକୁ ହାଲୁକା ଓ ବିନା ଲକ୍ଷଣ କୋଭିଡ୍-୧୯ ପଜିଟିଭ୍ଙ୍କ ପାଇଁ ପ୍ରସ୍ତୁତ କରାଯାଇଥିଲା। ଏହି ସେଣ୍ଟରରେ ୧୦ ହଜାର ଶଯ୍ୟାର ବ୍ୟବସ୍ଥା କରାଯାଇଥିଲା। ଏହା ମଧ୍ୟ ଦାବି କରାଯାଇଥିଲା ଯେ ଏହା ଦେଶର ସବୁଠୁ ବଡ କୋଭିଡ୍ କେୟାର ସେଣ୍ଟର। ଏବେ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ଏହି ସେଣ୍ଟରକୁ ବନ୍ଦ କରି ଦିଆଯିବ। ଏହାର ସୂଚନା ବେଙ୍ଗାଲୁରୁ ମହାନଗର ନିଗମର ଆଦେଶରେ ଦିଆଯାଇଛି।
ସୂଚନା ଅନୁଯାୟୀ ବୈଠକରେ ନିଷ୍ପତ୍ତି ହୋଇଛି ଯେ କୋଭିଡ୍ ସେଣ୍ଟରର କନ୍ଥା ପତ୍ର, ପଙ୍ଖା ଓ ପାଣିର ମେସିନ ସମେତ ଅନ୍ୟ ସାମଗ୍ରୀକୁ ସରକାରୀ ଛାତ୍ରାବାସ ଓ ହସ୍ପିଟାଲକୁ ଦେଇ ଦିଆଯିବ। ଉଲ୍ଲେଖନୀୟ କରୋନା ହାଲୁକା ଲକ୍ଷଣ ଓ ବିନା ଲକ୍ଷଣର ରୋଗୀଙ୍କୁ ଏବେ ହୋମ କ୍ଵାରେଣ୍ଟାଇନ୍ର ସୁବିଧା ଦିଆଯାଇଛି। ଏହି କାରଣରୁ ଏବେ କୋଭିଡ୍ ସେଣ୍ଟରକୁ ରୋଗୀ ଆସୁ ନାହାନ୍ତି। ଯେ ପର୍ଯ୍ୟନ୍ତ ହୋମ୍ କ୍ଵାରେଣ୍ଟାଇନ୍ ସୁବିଧା ଦିଆଯାଇନଥିଲା ସେ ପର୍ଯ୍ୟନ୍ତ ଏହି କେନ୍ଦ୍ରକୁ ବଡ ସଂଖ୍ୟାରେ ରୋଗୀ ଆସୁଥିଲେ।