ଆସନ୍ତାକାଲି ମହାକାଶକୁ ଉପଗ୍ରହ ପ୍ରେରଣ କରିବ ଇସ୍ରୋ, ଶତ୍ରୁଙ୍କ ଗତିବିଧି ଉପରେ ରଖିବ ତୀକ୍ଷ୍ଣ ନଜର ରଖିବ, କାଉଣ୍ଟ ଡାଉନ ଆରମ୍ଭ

Published By : Prameya-News7 Bureau | November 06, 2020 IST

ଶ୍ରୀହରିକୋଟା ୦୬/୧୧ : କରୋନା ମହାମାରୀ ଭିତରେ ମହାକାଶକୁ ଉପଗ୍ରହ ପ୍ରେରଣ କରିବାକୁ ଯାଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) । ଆସନ୍ତା ନଭେମ୍ବର ୭ ତାରିଖ ଅପରାହ୍ନ ୩ ଟା ୨ ମିନିଟ୍‌ରେ ଶ୍ରୀହରିକୋଟାରୁ ଚଳିତ ବର୍ଷର ପ୍ରଥମ ଉପଗ୍ରହ ପ୍ରେରଣ କରାଯିବ । ଏହି ଉପଗ୍ରହକୁ ପିଏସଏଲଭି-ସି ୪୯ ରକେଟ ମାଧ୍ୟମରେ ଉତେକ୍ଷପଣ କରାଯିବ ।  ବହୁ ପ୍ରଭାବଶାଳୀ କ୍ଷମତା ବିଶିଷ୍ଟ ଏହି ଉପଗ୍ରହ ଶତ୍ରୁପକ୍ଷଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବ । ଏନେଇ ଓଲଟା ଗଣତି ଆରମ୍ଭ  ହୋଇ ଯାଇଛି।

ଏହି ରକେଟର ଜରୁରୀକାଳୀନ ଉପଗ୍ରହ ଇଓଏସ-୦୧ ର ପେଲୋଡ ଲଗାଯାଇଛି । ଇଓଏସ-୦୧ ପେଲୋଡରେ ଅତ୍ୟାଧୁନିକ ଯନ୍ତ୍ରାଂଶ ଖଞ୍ଜା ଯାଇଛି ଯାହାକି ଘନ ବାଦଲକୁ ମଧ୍ୟ ଭେଦ କରି ଉଚ୍ଚ କ୍ଷମତାସମ୍ପର୍ଣ୍ଣ ଫଟୋ ଉତ୍ତୋଳନ କରି ପାରିବ । ତେବେ ଏହି ଉପଗ୍ରହ ଅନ୍ତରୀକ୍ଷରୁ ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖିବା ସହିତ ସୀମାରେ ସୁରକ୍ଷାବଳଙ୍କୁ ସାହାଯ୍ୟ କରିପାରିବ । ଏଲଏସିରେ ଚୀନ ସେନାଙ୍କ ଗତିବିଧି ଉପରେ ନଜର ରଖିବାକୁ ଏହା ବିଶେଷ ଭାବେ ସହାୟକ ହେବ।କରୋନା ମହାମାରୀ ସମୟରେ ଇସ୍ରୋ ପକ୍ଷରୁ ଏହା ପ୍ରଥମ କ୍ଷେପଣାସ୍ତ୍ର ପ୍ରେରଣ କରାଯିବ । ମହାମାରୀ ଆରମ୍ଭ ହେବା ଦିନଠାରୁ ଅନ୍ତରୀକ୍ଷ ଗତିବିଧି ଉପରେ ବିଶେଷ ପ୍ରଭାବ ପଡିଛି ।

ପିଏସଏଲଭି-ସି ୪୯ ଉତେକ୍ଷପଣ ପରେ ପିଏସଏଲଭି-ସି ୫୦ ମାଧ୍ୟମରେ ଜିଏସଏଟି-୧୨ଆର କୁ ପ୍ରେରଣ କରାଯିବ ଏବଂ ତା ପରେ ଜିଆଇଏସଏଟି-୧ ଉପଗ୍ରହକୁ ଜିଏସଏଲଭି ରକେଟ ଜରିଆରେ ଉତକ୍ଷେପଣ କରାଯିବ । ଏଥର ପିଏସଏଲଭି ରକେଟରେ ୨୦୧୯ ଜାନୁୟାରୀ ୨୪ରେ ମାଇକ୍ରୋସେଟ ଏବଂ ଉପଗ୍ରହରେ ବ୍ୟବହାର କରାଯାଇଥିବା  ଡିଏଲ ବୈରିଏଣ୍ଟର ଉପଯୋଗ କରିବାକୁ ଲକ୍ଷ ରଖିଛି ଇସ୍ରୋ । ଯେଉଁଥିରେ ଉନ୍ନତମାନର ମଟର ଏବଂ ଯନ୍ତ୍ରାଂଶ ଖଞ୍ଜାଯାଇଛି । ବିଗତ କିଛି ମାସ ଧରି ଚୀନ ଯେଉଁଭଳି ଭାବେ ପୂର୍ବ ଲଦାଖରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି ତାହାକୁ ପ୍ରତିହତ କରିବା ଏବଂ ଚୀନର ଗତିବିଧି ଉପରେ ନଜର ରଖିବ । ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଏହି ଉପଗ୍ରହ ଭାରତୀୟ ସେନା ପାଇଁ ବିଶେଷ ଭାବେ ସହାୟକ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.