ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ସଂଗୀନ୍

Published By : Prameya-News7 Bureau | May 10, 2020 IST

ବ୍ରହ୍ମପୁର୧୦/୫: ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ସଂଗୀନ୍। ଜଣଙ୍କ ମୃତ୍ୟୁ ସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୧୨୫ରେ। ରବିବାର ଟ୍ରେନ ଯୋଗେ ଆଉ ୨ ହଜାର ପ୍ରବାସୀ ଆସି ପହଞ୍ଚିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୪୦ ହଜାର କ୍ବାରାଣ୍ଟାଇନ ସେଣ୍ଟରରେ ରହିଛନ୍ତି । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବାଚସ୍ପତି ସାଂସଦ, ବିଧାୟକ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିବା ବେଳେ ଗଞ୍ଜାମରେ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ୍ ମହାନିର୍ଦ୍ଦେଶକ।

ମାତ୍ର  ୫ଦିନରେ ଗଞ୍ଜାମରେ ୧୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ସାଂଘତିକ । ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛନ୍ତି ସୁରତ ଫେରନ୍ତା।ମାତ୍ର ୪ ଦିନରେ ଗଞ୍ଜାମ ଜିଲ୍ଲା ଏବେ କରୋନା ମାନଚିତ୍ରରେ ପ୍ରଥମ ସ୍ଥାନ ଦଖଲ କରିଛି । ପରିସ୍ଥିତି ଅଣାୟତ୍ତ ହୋଇପଡିଛି । ଆଜି ସଂଖ୍ୟା ପହଞ୍ଚିଛି ୧୨୫ରେ । ଏହାରି ଭିତରେ କରୋନା ଜଣଙ୍କ ଜୀବନ ନେଇଛି । ଜିଲ୍ଲାରେ ସମସ୍ତ କରୋନା ଆକ୍ରାନ୍ତ ପ୍ରବାସୀ ଓଡ଼ିଆ । କ୍ବାରେଣ୍ଟାଇନ୍ କେନ୍ଦ୍ରରେ ଥିବା ବେଳେ ସେମାନଙ୍କଠାରେ ପଜିଟିଭ୍ ଚିହ୍ନଟ ହୋଇଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବୃଦ୍ଧି ପାଉଛି । ଆଗକୁ ଆହୁରି ବହୁ ସଂଖ୍ୟାରେ ପ୍ରବାସୀ ଆସିବେ । ତେବେ ସବୁ ପ୍ରକାରର ଚ୍ୟାଲେଞ୍ଜକୁ ଗ୍ରହଣ କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ କହିଛନ୍ତି ।

ସେପଟେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଏବଂ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା,  ଉପସ୍ଥିତ ଥିଲେ। ଜିଲ୍ଲାକୁ ଏକ ସ୍ବତନ୍ତ୍ର ଟିମ୍ ଗସ୍ତ କରିଛନ୍ତି । ଏହି ଟିମ୍ ବିଭିନ୍ନ ଅଞ୍ଚଳ ଗସ୍ତ କରିବା ପରେ ଯେଉଁ ପରାମର୍ଶ ଦେବେ ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ।

ସେପଟେ ପୋଲିସ ମହାନିର୍ଦ୍ଦେଶକ ଅଭୟ ଆଜି ଗଞ୍ଜାମ ଗସ୍ତ କରି ସ୍ଥିତି ଆକଳନ କରିଛନ୍ତି । ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଦକ୍ଷିଣାଞ୍ଚ ଡିଆଇଜି, ବ୍ରହ୍ମପୁର ଏସପି ଓ  ଗଞ୍ଜାମ ଏସପିଙ୍କ ସହ ସ୍ଥିତି ସମୀକ୍ଷା କରିଥିଲେ ଡିଜିପି। ଅତି ସତର୍କତାର ସହ ନିୟମ ମାନି ଚଳିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ।

ବର୍ତ୍ତମାନ ସୁଦ୍ଧା ୪୦ ହଜାର ପ୍ରବାସୀ ଗଞ୍ଜାମ ଆସିଛନ୍ତି । ଟ୍ରେନ ଯୋଗେ ଆଜି ଆଉ ୨ ହଜାର ପ୍ରବାସୀ ଆସି ଜିଲ୍ଲାରେ ପହଞ୍ଚିଛନ୍ତି। ଜିଲ୍ଲାରେ ୨ ହଜାର ୯୮୩ ଟି କ୍ବାରାଣ୍ଟାଇନ ସେଣ୍ଟରରେ ସେମାନେ ରହିଛନ୍ତି। କ୍ବାରାଣ୍ଟାଇନ ସେଣ୍ଟର ନିକଟରେ ୧୪୪ ଧାରା ଜାରି କରାଯାଇଛି । ଅନ୍ୟ ସାଂସଦ ଓ ବିଧାୟକମାନେ ନିଜ ନିର୍ବାଚନ ମଣ୍ଡଳୀର ବ୍ଳକ୍ କାର୍ଯ୍ୟାଳୟରେ ଉପସ୍ଥିତ ରହି ଆଲୋଚନା କରିଥିଲେ । କରୋନା ମୁକାବିଲା ପାଇଁ ପ୍ରଶାସନ ପୂରା ପ୍ରସ୍ତୁତ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.