ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନଗ୍ନ ଚିତ୍ର: ସଂପୂର୍ଣ୍ଣ ହୋଇନି ଘର ନିର୍ମାଣ, ସେପଟେ ମିଳିମିଶି ଅର୍ଥ ଲୁଟି ନେଲେ ଠିକାଦାର ଓ ସରକାରୀ ବାବୁ

Published By : Prameya-News7 Bureau | January 05, 2021 IST

ତେଲକୋଇ ୦୫।୦୧: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ ଶିବନାରାୟଣପୁର ଗୋଡା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେବା ସହ ଏହାର ବିକଳ ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଡ ଘୋଟାଲା ଦେଖିବାକୁ ମିଳିଛି । ହିତାଧିକାରୀଙ୍କ ଘରର ଝରକା କବାଟ ନ ଲାଗିବା ସହ ଘରର ପ୍ଲାଷ୍ଟର ହୋଇନଥିବା ବେଳେ ସମ୍ପୂର୍ଣ୍ଣ ବିଲ୍ କରାଯାଇ ଅର୍ଥ ଉଠାଣ ହୋଇସାରିଛି। ସେହିପରି କେତେକ ସ୍ଥାନରେ ନିମ୍ନମାନର କାର୍ଯ୍ୟ ଯୋଗୁଁ ଘରର ତାଜା ମଧ୍ୟ ଭୁଷୁଡି ପଡିଛି । କେଉଁଠି ଘରର ଛାତରୁ ବର୍ଷାପାଣି ଗଳୁଛି ତ ଆଉ କେଉଁଠି ଛାତ ଫାଟି ଆଁ କରି ରହିଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି ତେଲକୋଇ ବ୍ଲକର ତମାଙ୍ଗ ଗାଁରେ ।

ଗାଁରେ ପାହାଡି ଭୂୟାଁ ଜନଜାତିର ଲୋକେ ବସବାସ କରୁଥିବା ବେଳେ ସେମାନଙ୍କ ଆର୍ଥିକ ଅବସ୍ଥା ସେତେ ଭଲନାହିଁ । ୨୦୧୭,୨୦୧୮,୨୦୧୯, ୨୦୧୯ ଓ ୨୦୨୦ ମସିହାରେ ୪୫ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ ଘରର କାର୍ଯାଦେଶ ପ୍ରଦାନ କରାଯାଇଥିଲା । ତେବେ ସେମାନଙ୍କ ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନଥିବାରୁ ପଞ୍ଚାୟତର କିଛି ଠିକାଦାର ଘର ତିଆରି ପାଇଁ ଦାୟିତ୍ୱ ନେଇଥିଲେ।

{"id":387378,"sizeSlug":"large","linkDestination":"none"}

ଠିକାଦାର , ପଞ୍ଚାୟତ ଅଧିକାରୀ ଏବଂ ଜିଆରଏସଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଅଧାପନ୍ତରିଆ ଘର ନିର୍ମାଣ କରି ସମ୍ପୂର୍ଣ୍ଣ ବିଲ ଉଠାଣ ସରିଥିବା ସୂଚନା ଅଧିକାରରେ ତଥ୍ୟ ପଦାକୁ ଆସିଛି। କିଛି ହିତାଧିକାରୀଙ୍କ ଝରକା ଲାଗିନଥିବା ବେଳେ କିଛି ଲୋକ କବାଟରେ  ଛିଡା ଲୁଗା ଓ ମଶାରୀ ଟାଙ୍ଗି କାମ ଚଳାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ସୁରକ୍ଷିତ ଭାବେ ଘରେ ରହିବା ସେମାନଙ୍କ ପାଇଁ ସମ୍ଭବ ହେଉନାହିଁ । ଠିକାଦାର ଘରର ତଳ ମେଜିଆ ମଧ୍ୟ କରିନଥିବାରୁ ଲୋକେ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି ।

ସେପଟେ ନିମ୍ନମାନର କାମ ଯୋଗୁଁ ଗାଁର ମଞ୍ଜରୀ ଦେହୁରୀଙ୍କ ଘରର ତାଜା ଭୂଷୁଡି ପଡିଥିବା ଦେଖିବାକୁ ମିଳିଛି। ଗାଁର ବାବୁଲି ଦେହୁରୀଙ୍କର ଘରର ଛାତ ଫାଟି ଆଁ କରି ରହିଛି ଯାହାକୁ ନେଇ ପରିବାର ଲୋକେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । ଆଦିବାସୀ ଅନୁନ୍ନତ ଅଞ୍ଚଳରେ ଆବାସ ଯୋଜନା କେତେ ସଫଳ ଏହାର ନଗ୍ନ ନମୁନା ହେଉଛି ତମାଙ୍ଗ ଗାଁରେ ।ପଞ୍ଚାୟତ ଅଧିକାରୀ ଓ ଜିଆରଏସ ଉକ୍ତ ଗାଁକୁ ପରିଦର୍ଶନ ନକରି ତୁମର ଅଧେକୁ ଆମର ଅଧେ ନୀତିରେ  ଠିକାଦାରଙ୍କ କଥାରେ ବିଲ କରୁଥିବା ରୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.