ଜାରି ରହିଛି ମହା ପ୍ରଭୁଙ୍କ ରଥ ନିର୍ମାଣ: ତୃତୀୟ ଦିନରେ ସରିଲା ତିନି ରଥର ତୁମ୍ବ, ବିନ୍ଧ ଓ ଗୁଜ

Published By : Prameya-News7 Bureau | May 10, 2020 IST

ପୁରୀ୧୦/୫: ଜାରି ରହିଛି ମହା ପ୍ରଭୁଙ୍କ ରଥ ନିର୍ମାଣ । ରବିବାର ତୃତୀୟ ଦିନରେ ତିନି ରଥର ତୁମ୍ବ, ବିନ୍ଧ ଓ ଗୁଜ ନିର୍ମାଣ ହୋଇଛି । ଆଜିଠୁ ସମସ୍ତ ବିଶ୍ବକର୍ମା ମହାରଣା, ଭୋଇ ସେବାୟତ, ରୂପାକର ଓ କମାର ସେବାୟତ ଭକ୍ତ ନିବାସରେ ରହି କାର୍ଯ୍ୟ କରିବେ । ରଥ ଖଳାକୁ ଯିବା ପୂର୍ବରୁ ଥର୍ମାଲ ସ୍କ୍ରିନିଂ ସହ ନିୟମିତ ବ୍ୟବଧାନରେ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି ।

ଦ୍ରୁତ ଗତିରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥନିର୍ମାଣ । ଏବେ ୩ ରଥର ତୁମ୍ବ, ବିନ୍ଧ ଓ ଗୁଜ ନିର୍ମାଣ ଜାରି ରହିଛି। ୩ ରଥର ପ୍ରାୟ ୧୨ ଟି ତୁମ୍ବ କାର୍ଯ୍ୟ ଶେଷ ହୋଇଥିବା ବେଳେ ରଥଖଳାରେ ଅଖ କାଠ ପ୍ରସ୍ତୁତ ରଖାଯାଇଛି । ଭଉଁରୀ ଅବସରରେ ୩ ରଥର ଦୁଇଟି ଲେଖାଏଁ ଚକ ସହ ଅଖ କିପରି ସଂଯୋଗ ହେବ ସେଥିପାଇଁ ନିଷ୍ଠାର ସହ ଲାଗିଛନ୍ତି ମହାରଣା ସେବାୟତ । ଏପଟେ କମାରଶାଳରେ ଲୁହା କାମରେ ଲାଗିଛନ୍ତି ୨୦ ରୁ ଅଧିକ କାରିଗର । ଦୋଳବେଦୀରେ ଅସ୍ଥାୟୀ ଶାଳ କରାଯାଇ ରଥର ବଳା, ପନ୍ଦାରି, ଚାବି, କଣ୍ଟା ଆଦି ପ୍ରସ୍ତୁତ ହେଉଛି ।

ରଥ ନିର୍ମାଣ ଜାରି ରହିଥିବା ବେଳେ କରୋନା କବଳରୁ ରକ୍ଷା ପାଇଁ ସବୁ ପ୍ରକାର ପ୍ରତିଶେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି । କାରିଗରଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ହେଉଛି । ଥର୍ମାଲ ସ୍କ୍ରିନିଂ କରାଯିବା ପରେ ରଥ ଖଳାକୁ ଛଡାଯାଉଛି । ଆବଶ୍ୟକ ହେଲେ କାରିଗରଙ୍କ କୋଭିଡ଼ ଟେଷ୍ଟ  କରାଯିବ। ଆଜିଠୁ ସମସ୍ତ ୧୪୦ ଜଣ ବିଶ୍ବକର୍ମା ମହାରଣା, ଭୋଇ ସେବାୟତ, ରୂପାକର ଓ କମାର ସେବାୟତ ୩ ଟି ଭକ୍ତ ନିବାସରେ ରହି କାର୍ଯ୍ୟ କରିବେ । ପ୍ରଥମକରି ରଥଖଳାକୁ ସଂପୂର୍ଣ୍ଣ ଆବୃତ୍ତ କରାଯାଇ ନିଷିଦ୍ଧାଞ୍ଚଳ ମଧ୍ୟରେ ରଥକାମ କରାଯାଉଛି। ରଥଖଳା ଚତୁଃପାର୍ଶ୍ବ ୨୦୦ ମିଟର ଅଞ୍ଚଳରେ ବ୍ୟାରିକେଡ଼ିଂ ସହ ସିସିଟିଭି ଲାଗିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.