ଆଇନ୍ ଆଖିରେ ସମସ୍ତେ ସମାନ: ବିଜେଡି ପରେ କଂଗ୍ରେସର ପାଳି...

Published By : Prameya-News7 Bureau | January 09, 2020 IST

ଭୁବନେଶ୍ବର୯/୧:  ବିଜେଡି ପରେ ଏବେ କଂଗ୍ରେସର ପାଳି । ଭାରତ ବନ୍ଦ ସମୟରେ ଯୁବ, ଛାତ୍ର କଂଗ୍ରେସ କର୍ମୀମାନେ ବିନା ହେଲମେଣ୍ଟରେ ବାଇକ ଚଳାଉଥିଲେ । ଯାହା କମିସନେରେଟ୍ ପୋଲିସ ସିସିଟିଭି ଫୁଟେଜରୁ ସ୍ପଷ୍ଟ କରିଛି। ସିସିଟିଭି ଫୁଟେଜ ଆଧାରରେ ବାଇକ ମାଲିକଙ୍କ ପାଖକୁ ଯିବ ଚାଲାଣ ।

ଆଇନ ଆଖିରେ ସମସ୍ତେ ସମାନ । ଏହି କଥା ସବୁ ସ୍ତରରେ ବିଭିନ୍ନ ଦଳର ନେତାମାନେ ମତ ଦେଇଥାନ୍ତି । ଆଉ ସେହିଥି ପାଇଁ ତ  ବିଜେଡି ପ୍ରତିଷ୍ଠା ଦିବସରେ ବିନା ହେଲମେଣ୍ଟରେ ବାଇକ ଚଳାଇ ତଣ୍ଡ ଗଣିଥିଲେ ବିଜେଡି କର୍ମୀ । ଯାହାଙ୍କ ମଧ୍ୟରେ ରହିଥିଲେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା । ଆଉ ଏବେ ସେଇ ଭୁଲ୍ କରିଛନ୍ତି କଂଗ୍ରେସର କର୍ମୀମାନେ ।  ସିସିଟିଭି ଫୁଟେଜକୁ ଆଧାର କରି ସେମାନଙ୍କର ବାଇକ ମାଲିକ ମାନଙ୍କ ସଂମ୍ପର୍କରେ ଏବେ ତାଲିକା ପ୍ରସ୍ତୁତ କରୁଛି ଟ୍ରାଫିକ ବିଭାଗ । ଏଥିରେ ଯେଉଁମାନଙ୍କର ସଂପୃକ୍ତି ବାହାରିବ ସେମାନେ ଟ୍ରାଫିକ ତଣ୍ଡ ଗଣିବାଟା ଥୟ ।

ଭାରତ ବନ୍ଦ ପରିପ୍ରେକ୍ଷୀରେ କେବଳ ରାଜନୈତିକ ଦଳ ନୁହଁନ୍ତି ଯେଉଁମାନେ ଟ୍ରାଫିକ ନିୟମ ଭାଙ୍ଗି ବିନା ହେଲମେଣ୍ଟରେ ବାଇକ କିମ୍ବା କାର ଚାଳନା କରୁଥିଲେ ସେମାନଙ୍କୁ ସିସିଟିଭି ମାଧ୍ୟମରେ ଠାବ କରାଯାଇ ତାଙ୍କ ବିରୁଦ୍ଧରେ ଫାଇନ ଚାଲାଣ କଟାଯିବ । କେବଳ ଭୁବନେଶ୍ବରରେ ନୁହେଁ ଖଣ୍ଡଗିରି ଛକରେ ଚାଲିଥିବା ଓଭରବ୍ରୀଜ କାମ ସରିବା ପରେ ଖୋର୍ଦ୍ଧାଠାରୁ କଟକ ପର୍ଯ୍ୟନ୍ତ ରାସ୍ତାରେ ଲାଗିବ ସିସିଟିଭି । ଆଉ ଏହି ସିସିଟିଭି ବିନା ହେଲମେଣ୍ଟ ସିଟ୍‌ବେଲଟ୍‌ ଓ ସ୍ପିଡ୍ ଗାଡି ଚାଳକଙ୍କ ଉପରେ ରଖିବ କଡା ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.