ପିପିଲି ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ, ଅମାନତ ହରାଇଲେ ବିଶ୍ବକେଶନ

Published By : Prameya-News7 Bureau | October 03, 2021 IST

ପିପିଲି ୦୩/୧୦ : ପିପିଲି ଉପନିର୍ବାଚନରେ ବାଜିମାତ୍‌ କରିଛନ୍ତି ଜୁନିଅର ମହାରଥୀ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଠାରୁ ୨୦ ହଜାର ୬୦୦ରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ମୋଟ ୯୬ ହଜାର ୯୭୨ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୭୬ ହଜାର ୦୫୬ ଭୋଟ ପାଇଛନ୍ତି ।

ତେବେ ବଡ କଥା ହେଉଛି ପିପିଲିରେ ଅମାନତ ହରାଇଲା କଂଗ୍ରେସ । ଦଳ ଏଭଳି ଶୋଚନୀୟ ପରାଜୟ ବରଣ କରିଛି ଯେ ମାତ୍ର ୪୨୬୧ ଭୋଟରେ ହିଁ ସୀମିତ ରହିଛି । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ଉପନିର୍ବାଚନ ସ୍ଥଗିତ ରହିଥିଲା । ପରେ ବିଶ୍ବକେଶନ ହରିଚନ୍ଦନଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ । ତେବେ ସେ ମାତ୍ର ୪୨୬୧ ଭୋଟ ପାଇବାକୁ ହିଁ ସକ୍ଷମ ହୋଇଛନ୍ତି । ବିଜେଡି ଏବଂ ବିଜେପି ଠାରୁ ଢେର୍‌ ପଛରେ ରହିଯାଇଛି କଂଗ୍ରେସ ।

ପରିସ୍ଥିତି ଏଭଳି ଯେ, ନିଜ ସ୍ଥିତି ତ ଛାଡ ସମ୍ମାନ ମଧ୍ୟ ରକ୍ଷା କରିପାରିନି କଂଗ୍ରେସ । ଦଳର ଏଭଳି ଶୋଚନୀୟ ପରାଜୟ ପାଇଁ ପ୍ରକୃତରେ କିଏ ଦାୟୀ ଏବଂ କେଉଁଠାରେ ଭୁଲ ରହିଲା ତାହା ତ ଦଳ ସମୀକ୍ଷା କରିବ କିନ୍ତୁ ଦଳ ଏଭଳି ମାଟି କାମୁଡିବା ହୁଏତ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ କିଛି ସହାନୂଭୁତି ଭୋଟ ପାଇବ ବୋଲି ଆଶା କରାଯାଉଥିଲା କିନ୍ତୁ ଦଳ ତାହା ମଧ୍ୟ ହାସଲ କରିପାରିଲା ନାହିଁ ।

ଗୋଟିଏ ପଟେ ରାଜ୍ୟ କଂଗ୍ରେସରେ କନ୍ଦଳ ଚରମ ସୀମାରେ ପହଞ୍ଚିଛି ଅନ୍ୟପଟେ ପିପିଲିରେ ଦଳର ଭୋଟ ହାର ନୈରାଶ୍ୟଜନକ । ଏହା ଦେଖିବାପରେ ନିହାତି ଭାବେ ଦଳ କେଉଁଠି ନା କେଉଁଠି ଅସ୍ଥିର ହେବାଭଳି ମନେହେଉଛି । ଗତକାଲି ପିସିସି ସଭାପତି ପଦରୁ ଅବ୍ୟାହତି ନେବାକୁ ଘୋଷଣା କରିଥିଲେ ନିରଞ୍ଜନ ପଟ୍ଟନାୟକ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.