Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଜାଣନ୍ତୁ ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଗିରଫ, ମୁକ୍ତି ଓ ତାଙ୍କ ପରିବାରର ପୂରା କାହାଣୀ

1/03/2019 at 3:20 PM

ନୂଆଦିଲ୍ଲୀ ୧|୩: ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ । ଆଜି ପାକିସ୍ତାନ କବଳରୁ ମୁକ୍ତ ହୋଇ ଭାରତ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ୨୭ତାରିଖରେ ଭାରତୀୟ ସୀମାକୁ ପଶି ଆସିଥିବା ପାକିସ୍ତାନ ବାୟୁସେନା ବିମାନକୁ ପଚ୍ଛା କରି ତଳକୁ ଖସାଇବା ସହ ତାଙ୍କ ନିଜ ବିମାନ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହାପରେ ସେ ପାରାଚ୍ୟୁଟ ଯୋଗେ ଓହ୍ଲାଇଥିଲେ ତଳକୁ । କିନ୍ତୁ ଯେଉଁ ସ୍ଥାନରେ ସେ ଓହ୍ଲାଇଲେ ସେ ସ୍ଥାନ ଭାରତର ନା ପାକିସ୍ତାନର ଜଣାପଡୁନଥିଲା ।

ପାରାଚ୍ୟୁଟରେ ଓହ୍ଲାଇବାବେଳେ ହିଁ ତାଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିଲା । ଅଭିନନ୍ଦନ ଯେଉଁଠି ଓହ୍ଲାଇଥିଲେ ସେ ସ୍ଥାନରେ କିଛି ସ୍ଥାନୀୟ ଲୋକ ପହଂଚିଯାଇଥିଲେ । ଅଭିନନ୍ଦନ ସେମାନଙ୍କୁ ପଚାରିଥିଲେ ସେହି ସ୍ଥାନଟି ଭାରତର ନା ପାକିସ୍ତାନର । ସ୍ଥାନୀୟ ଲୋକେ ମଜା ଦେଖିବା ପାଇଁ କହିଥିଲେ ଏହା ଭାରତର ଯାଗା । ଏତିକିବେଳେ ଅଭିନନ୍ଦନ ନିଜ ଅସୁସ୍ଥତା ସମ୍ପର୍କରେ ସୂଚନା ଦେବା ସହ ପିଇବା ପାଇଁ ପାଣି ମାଗିଥିଲେ । ତେବେ ସ୍ଥାନୀୟ ଲୋକେ ପାଣି ଦେଇନଥିଲେ ।

ଫଳରେ ଯାଗାଟି ସମ୍ପର୍କରେ ଆହୁରି ସ୍ଥିର ହେବା ପାଇଁ ଅଭିନନ୍ଦନ ଜୟହିନ୍ଦ ବୋଲି କହିଥିଲେ । ସେତେବେଳେ ପାକିସ୍ତାନୀ ଲୋକେ ତାଙ୍କ ଆଡେ ମାଡି ଆସିଥିଲେ । ଏହାକୁ ଦେଖି ଅଭିନନ୍ଦନ ନିଜ ପିସ୍ତଲରୁ ଫଙ୍କାଗୁଳିଚାଳନା କରି ସ୍ଥାନୀୟ ଲୋକଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କୁ ଘେରିଯାଇଥିବା ସ୍ଥାନୀୟ ଲୋକେ ତାଙ୍କ ଉପରକୁ ପଥର ମାଡ ଆରମ୍ଭ କରିଦେଇଥିଲେ । ଗୋଟିଏ ପଥର ଅଭିନନ୍ଦନଙ୍କ ଗୋଡରେ ବାଜିଥିଲା ଓ ସେ ଆହତ ହୋଇଥିଲେ । ଏହାପରେ ଅଭିନନ୍ଦନ ପଛେଇ ପଛେଇ ପ୍ରାୟ ୫୦୦ମିଟର ଯିବାପରେ ଏକ ଜଳାଶୟ ଭିତରକୁ କୁଦି ପଡିଥିଲେ ।

ସେତେବେଳକୁ ଅଭିନନ୍ଦନ ଜାଣିସାରିଥିଲେ ଯେ, ସେ ପାକିସ୍ତାନୀଙ୍କ ହାତରେ ଧରାପଡିବାକୁ ଯାଉଛନ୍ତି । ତେଣୁ ତାଙ୍କ ପାଖରେ ଥିବା ନକ୍ସା ଏବଂ କେତେକ ଗୁପ୍ତ ତଥ୍ୟକୁ ଦେଶର ସୁରକ୍ଷା ପାଇଁ ନଷ୍ଟ କରିବା ନିହାତି ଆବଶ୍ୟକ । ପାଣି ଭିତରେ ପଶିବା ମାତ୍ରେ ସେ କିଛି କାଗଜ ପତ୍ରକୁ ଗିଳି ଦେଇଥିବାବେଳେ ଆଉ କିଛି ପାଣିରେ ପକାଇ ନଷ୍ଟ କରିଦେଇଥିଲେ । କାଗଜପତ୍ର ନଷ୍ଟ ହେବା ପରେ ଅଭିନନ୍ଦନ ଆଶ୍ବସ୍ଥ ହୋଇଯାଇଥିଲେ । ଏଥର ଆଉ ଜୀବନ ଗଲେ ବି ଚିନ୍ତା ନାହିଁ ।

ଏହାପରେ ପାକିସ୍ତାନର ସ୍ଥାନୀୟ ଲୋକେ ଅଭିନନ୍ଦନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଅଭିନନ୍ଦନଙ୍କୁ ଧରିବା ମାତ୍ରେ ତାଙ୍କୁ ମାରପିଟ କରିବା ଆରମ୍ଭ କରିଦେଇଥିଲେ । ପ୍ରଚଣ୍ଡ ମାଡ ସତ୍ତ୍ବେ ଅଭିନନ୍ଦନ ଅବିଚଳିତ ଥିଲେ । ଶେଷରେ ପାକିସ୍ତାନ ସେନା ସେଠାରେ ପହଞ୍ଚି ଅଭିନନ୍ଦନଙ୍କୁ ହେପାଜତକୁ ନେଇଥିଲା । ଏ ସମ୍ପର୍କିତ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଅଭିନନ୍ଦନଙ୍କୁ ପାକିସ୍ତାନର ଆଞ୍ଚଳିକ ଲୋକେ ମାଡ ମାରୁଥିବା ଭିଡିଓ ଦେଖି ଦେଶବାସୀଙ୍କ ଦେହରେ ନିଆଁ ଲାଗିଯାଇଥିଲା ।

ତେବେ ସେ କେମିତି ପାକିସ୍ତାନ ସେନା କବଳରୁ ରକ୍ଷା ପାଇବେ ତାକୁ ନେଇ ସମସ୍ତେ ଚିନ୍ତିତ ହୋଇପଡିଥିଲେ । ପାକିସ୍ତାନ ପକ୍ଷରୁ ଅଭିନନ୍ଦନଙ୍କ ୫ଟି ଭିଡିଓ ଭାଇରାଲ ହୋଇଥିଲା । ଗୋଟିଏ ଭିଡିଓରେ ଗୋଟେ ଅଭିନନ୍ଦନ ଚା କପ୍ ଧରି ପାକିସ୍ତାନର ଜଣେ ମେଜରଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓରେ ପାକିସ୍ତାନ ମେଜରଙ୍କ ପ୍ରଶ୍ନର ଉତ୍ତର ଯେଉଁଭଳି ଅଭିନନ୍ଦନ ଦେଉଥିଲେ ତାହା ଦେଶବାସୀଙ୍କୁ ଗର୍ବିତ କରିଥିଲା । ଅଭିନନ୍ଦନ ଏହି ଭିଡିଓରେ ନିଜ ନାଁ କହିଥିଲେ ।

ସେ ଦକ୍ଷିଣ ଭାରତୀୟ ବୋଲି କହିବା ସହ ସେ ୱିଙ୍ଗ କମାଣ୍ଡର ଭାବେ ଭାରତୀୟ ବାୟୁସେନାରେ କାର୍ଯ୍ୟରତ ବୋଲି କହିଥିଲେ । ତେବେ ତାଙ୍କ ମିଶନ ସମ୍ପର୍କରେ ପାକିସ୍ତାନୀ ମେଜର ପଚାରିଥିବା କୌଣସି ପ୍ରଶ୍ନର ଉତ୍ତର ଦେଇପାରିବେ ନାହିଁ ବୋଲି ରୋକଠୋକ କିନ୍ତୁ ଅତି ଭଦ୍ର ଭାବେ ଶୁଣାଇଦେଇଥିଲେ । ଅଭିନନ୍ଦନ ପାକିସ୍ତାନ କବ୍‌ଜାରେ ଅଛନ୍ତି ବୋଲି ପାକିସ୍ତାନ ପକ୍ଷରୁ ଘୋଷଣା କରାଯାଇଥିଲା । ତେବେ ପାକିସ୍ତାନ ତାର ପ୍ରଥମ ବିବୃତ୍ତିରେ ଦୁଇଜଣ ଭାରତୀୟ ପାଇଲଟଙ୍କୁ ନିଜ କବଜାରେ ରଖିଥିବା ଦାବି କରିଥିଲା । ଏଥି ସହ ପାକିସ୍ତାନ ବାୟୁସେନା ଭାରତର ଦୁଇଟି ଲଢୁଆ ବିମାନକୁ ମଧ୍ୟ ଧ୍ବଂସ କରିଛି ବୋଲି ସୂଚନା ଦେଇଥିଲା ।

 ତେବେ ପରବର୍ତ୍ତି ଅବସ୍ଥାରେ କେବଳ ଅଭିନନ୍ଦନ ସେମାନଙ୍କ ହେପାଜତରେ ଥିବା ପାକିସ୍ତାନ ସ୍ପଷ୍ଟ କରିଥିଲା । ଏହି ଆକ୍ରମଣ ଓ ପ୍ରତିଆକ୍ରମଣରେ ଭାରତର ଦୁଇଟି ବିମାନ ଧ୍ବଂସ ହୋଇଥିବାବେଳେ ପାକିସ୍ତାନର କୌଣସି ବିମାନ ଧ୍ବଂସ ହୋଇନାହିଁ ବୋଲି ପାକିସ୍ତାନ କହିଆସୁଥିଲା । ତେବେ ଗତକାଲି ଭାରତୀୟ ସୀମା ମଧ୍ୟରେ ପାକିସ୍ତାନ ଏଫ-୧୬ ବିମାନର ଧ୍ବଂସାବଶେଷ ଠାବ କରାଯାଇଛି । ଅଭିନନ୍ଦନଙ୍କୁ ପାକିସ୍ତାନ ସେନା ଗିରଫ କରିଛି ବୋଲି କହିବା ପରଠୁ ଦେଶରେ ଅଭିନନ୍ଦନଙ୍କ ସୁରକ୍ଷା ନେଇ ସମଗ୍ର ଦେଶ ଚିନ୍ତା ପ୍ରକଟ କରିଥିଲା । ଏପରିକି ଅଭିନନ୍ଦନଙ୍କୁ ନିସର୍ତ୍ତ ମୁକ୍ତ ନକଲେ ପରିଣାମ ଭୟାବହ ହେବ ବୋଲି ଭାରତ କହିଥିଲା ।

ଆନ୍ତର୍ଜାତିକସ୍ତରରୁ ମଧ୍ୟ ପାକିସ୍ତାନ ଉପରେ ଅଭିନନ୍ଦନଙ୍କୁ ଛାଡିବା ପାଇଁ ଚାପ ପଡିବା ଆରମ୍ଭ ହୋଇଥିଲା । ପ୍ରରମ୍ଭିକ ପର୍ଯ୍ୟାୟରେ ଯୁଦ୍ଧ ବନ୍ଦ କଲେ ଯ।ଇ ଅଭିନନ୍ଦନଙ୍କୁ ମୁକ୍ତ କରାଯିବ ବୋଲି ସର୍ତ୍ତ ଆରୋପ କରିଥିବା ପାକିସ୍ତାନ ଶେଷରେ ଭାରତର ଆକ୍ରମଣ ଭୟରେ ଅଭିନନ୍ଦନଙ୍କୁ ନିସର୍ତ୍ତ ମୁକ୍ତି କରିବାକୁ ନିଷ୍ପତ୍ତି ନେଇଥିଲା ।

ଗତକାଲି ଅପରାହ୍ନରେ ଅନୁଷ୍ଠିତ ପାକିସ୍ତାନ ପାର୍ଲାମେଣ୍ଟର ସଂଯୁକ୍ତ ଅଧିବେଶନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅଭିନନ୍ଦନଙ୍କୁ ଶୁକ୍ରବାର ଛାଡିଦିଆଯିବ ବୋଲି ଘୋଷଣା କରିଥିଲେ । ଭାରତ-ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଲକ୍ଷ୍ୟରେ ସେ ଏହି ନିଷ୍ପତ୍ତି ନେଇଥିବା ଘୋଷଣା କରିଥିଲେ ।

ଅପରପକ୍ଷରେ ଅଭିନନ୍ଦନ ଯେହେତୁ ଯୁଦ୍ଧ ବନ୍ଧୀ ଏବଂ ଆନ୍ତର୍ଜାତିକ ଆଇନ ଓ ଜାତି ସଂଘର ଜେନେଭା ଚୁକ୍ତି ଅନୁସାରେ ଅଭିନନ୍ଦନଙ୍କୁ ପାକିସ୍ତାନ ସସମ୍ମାନେ ଭାରତକୁ ଫେରାଇବାକୁ ବାଧ୍ୟ ଥିଲା ।

ସୂଚନାଯୋଗ୍ୟ ଯେ, ଅଭିନନ୍ଦନଙ୍କ ପିତା ମଧ୍ୟ ଜଣେ ଅବସରପ୍ରାପ୍ତ ଏୟାର ମାର୍ସଲ ଏସ ବର୍ତ୍ତମାନ । ସେ ଏବେ ଚେନ୍ନାଇର ତାମ୍ବକମ ନିକଟସ୍ଥ ଡିଫେନ୍ସ କଲୋନୀରେ ରହୁଛନ୍ତି । ଅଭିନନ୍ଦନଙ୍କ ପତ୍ନୀ ତନଭି ମାରୱା ମଧ୍ୟ ଭାରତୀୟ ବାୟୁସେନାରେ ସ୍କାର୍ଡ୍ରନ ଲିଡର ଭାବେ କାମ କରୁଥିଲେ । ଏବେ ସେ ସେନାରୁ ଅବସର ନେଇସାରିଛନ୍ତି । ଅଭିନନ୍ଦନଙ୍କ ୪ ବର୍ଷର ପୁଅ ତାଭିଶ ।

ଦୁଇବର୍ଷ ତଳେ ବିଶିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ମଣିରତ୍ନମ କତ୍ରୁବେଲିୟିଦାୟୀ ନାମକ ଏକ ତାମିଲ ସିନେମା ନିର୍ମାଣ କରିଥିଲେ । ଦୁଇ ଦେଶର ଯୁଦ୍ଧ ସମୟରେ ଜଣେ ପାଇଲଟ ଶତ୍ରୁ ପକ୍ଷ ଦ୍ବାରା ବନ୍ଦୀ ହେବା ପରର ପରିସ୍ଥିତିକୁ ନେଇ ଏହି ଫିଲ୍ମର କାହାଣୀ ରହିଥିଲା । ଫିଲ୍ମର ପରାମର୍ଶଦାତା ଥିଲେ ଅଭିନନ୍ଦନଙ୍କ ପିତା ଏସ ବର୍ତ୍ତମାନ । ଅଭିନନ୍ଦନ ପାକିସ୍ତାନ ଦ୍ବାରା ଗିରଫ ହେବା ପରେ ଏହି ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ରିଲ ଲାଇଫର କାହାଣୀ ରିଅଲ ଲାଇଫରେ ଘଟିଲା ବୋଲି ଚର୍ଚ୍ଚା ହୋଇଥିଲା ।

   Related Posts