କରୋନା କାଳରେ ଏହି କମ୍ପାନୀ ଆୟରେ କାଟିଲା ୧୩ ବର୍ଷର ରେକର୍ଡ, ଏବେ ଏହାକୁ ବିକିବାକୁ ବସିଛନ୍ତି ସରକାର !
20/12/2020 at 10:30 PM

ନୂଆଦିଲ୍ଲୀ ୨୦।୧୨: କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ ସମୟରେ ଅଲଗା ଅଲଗା କମ୍ପାନୀରେ ନିଜର ଅଂଶଧନ ବିକ୍ରି କରି ୨.୧୦ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ବଡ ଲକ୍ଷ୍ୟ ରଖିଛନ୍ତି। ହେଲେ ଏବେ ଏହି ଲକ୍ଷ୍ୟ ହାସଲ କରିବା ମୁସ୍କିଲ ଲାଗୁଛି। ଅଂଶଧନ ବିକ୍ରି ହେଉଥିବା କମ୍ପାନୀ ତାଲିକାରେ ଏୟାର ଇଣ୍ଡିଆ, ଏଲଆଇସି ଓ ବିପିସିଏଲ ସାମିଲ।
ସୂଚନାଯୋଗ୍ୟ କେନ୍ଦ୍ର ସରକାର ଗତ ଆର୍ଥିକ ବର୍ଷରେ ବିପିସିଏଲ, ବିଇଏମଏଲ, କଣ୍ଟେନର କର୍ପୋରେସନ ଅଫ ଇଣ୍ଡିଆ(କନକର) ଏବଂ ସିପିଂ କର୍ପୋରେସନ ଅଫ ଇଣ୍ଡିଆ(ଏସସିଆଇ)ରେ ନିଜର ଅଂଶଧନ ବିକିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇ ସାରିଛନ୍ତି। ଅନ୍ୟପଟେ ଚଳିତ ବର୍ଷ କରୋନା ସଙ୍କଟ କାରଣରୁ ବିନିବେଶ ଗତି ଧିମା ପଡି ଯାଇଛି।

ହେଲେ ସରକାରଙ୍କୁ ଚଳିତ ମାସରେ ଦେଶର ଦ୍ଵିତୀୟ ସବୁଠୁ ବଡ ତୈଳ କମ୍ପାନୀ ଭାରତ ପେଟ୍ରୋଲିୟମ କର୍ପୋ ଲିମିଟେଡ୍(ବିପିସିଏଲ) ପାଇଁ ତିନୋଟି ଟେଣ୍ଡର ମିଳିଛି। ସରକାର ବିପିସିଏଲରେ ଥିବା ନିଜର ୫୯.୨୮ ପ୍ରତିଶତ ଅଂଶଧନ ବିକ୍ରି କରୁଛନ୍ତି। ଏହାକୁ କିଣିବା ପାଇଁ ଦୌଡରେ ମାଇନିଂ କ୍ଷେତ୍ରର ବଡ କମ୍ପାନୀ ବେଦାନ୍ତ ବ୍ୟତୀତ ଆମେରିକାର ଦୁଇଟି ଘରୋଇ ଇକ୍ଵିଟି ଇନଭେଷ୍ଟର୍ସ ଫାର୍ମ ଆପୋଲୋ ଗ୍ଲୋବାଲ ମ୍ୟାନେଜମେଣ୍ଟ ଓ ଆଇ ସ୍କ୍ଵାୟାର୍ଡ କ୍ୟାପିଟାଲର ୟୁନିଟ୍ ଥିଙ୍କ ଗ୍ୟାସ୍ ସାମିଲ।
ଅନ୍ୟପଟେ ସରକାର ବର୍ତ୍ତମାନ ଆଉ ଏକ ସିପିଂ କର୍ପୋରେସନ ଅଫ ଇଣ୍ଡିଆ(ଏସସିଆଇ)ର ଘରୋଇକରଣ ପାଇଁ ଟେଣ୍ଡର ଆମନ୍ତ୍ରଣ କରି ପାରନ୍ତି। ଏହାକୁ କିଣିବାକୁ ରୁଚି ଦେଖାଉଥିବା ଲୋକଙ୍କ ପାଇଁ କାଗଜପତ୍ର ଜମା କରିବାର ସମୟସୀମା ଫେବୃଆରୀ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରିତ କରାଯାଇଛି। ବିପିସିଏଲ ପରି ଏହି ସରକାରୀ କମ୍ପାନୀ ମଧ୍ୟ କରୋନା ସଙ୍କଟ ସମୟରେ ବହୁତ ଭଲ ଆୟ କରିଥିଲା।

କରୋନା ସଙ୍କଟ ସମୟରେ ଦେଶରେ ଆର୍ଥିକ ଗତିବିଧି ମନ୍ଥର ହୋଇଥିଲେ ମଧ୍ୟ ଏହି କମ୍ପାନୀ ଉତ୍ସାହଜନକ ଆୟ କରିଥିଲା। ଆର୍ଥିକ ବର୍ଷ ୨୦୨୦-୨୧ର ପ୍ରଥମ ତ୍ରୈୟୋମାସିକରେ ଏସସିଆଇ ୩୧୭ କୋଟି ଟଙ୍କାର ରେକର୍ଡ ମୁନାଫା କରିଥିଲା। ଯାହା ଗତ ପ୍ରାୟ ସାଢେ ୧୩ ବର୍ଷର ତ୍ରୈମାସିକ ତୂଳନାରେ ସର୍ବାଧିକ ଥିଲା।
ସରକାର ପ୍ରବନ୍ଧନ ନିୟନ୍ତ୍ରଣ ସହିତ ସିପିଂ କର୍ପୋରେସନରେ ନିଜର ସମସ୍ତ ୬୩.୭୫ ପ୍ରତିଶତ ଅଂଶଧନକୁ ବିକ୍ରି କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ସୂଚନା ଅନୁଯାୟୀ ଚଳିତ ସପ୍ତାହରେ ପ୍ରାରମ୍ଭିକ ସୂଚନା ଜାରି କରାଯିବ। ଏହାକୁ କିଣିବା ପାଇଁ ଆଗ୍ରହୀ କମ୍ପାନୀ ପାଇଁ ସମୟସୀମା ଫେବୃଆରୀ ୧୫ ରଖାଯାଇଛି।