ଚଳିତ ବର୍ଷ ଆୟୋଜିତ ହେବ ନାହିଁ ଦଶମ ଓ ଦ୍ଵାଦଶ ଶ୍ରେଣୀର ପ୍ରି ଟେଷ୍ଟ, ଏହି ରାଜ୍ୟ ସରକାର ନେଲେ ନିଷ୍ପତ୍ତି

Published By : Prameya-News7 Bureau | November 11, 2020 IST

ନୂଆଦିଲ୍ଲୀ ୧୧।୧୧: କରୋନା ମହାମାରୀକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସରୁ ସ୍କୁଲ, କଲେଜ ସମେତ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଛି। ହେଲେ ଅନେକ ରାଜ୍ୟରେ ନବମରୁ ଦ୍ଵାଦଶ ପର୍ଯ୍ୟନ୍ତ ଶ୍ରେଣୀ କକ୍ଷକୁ ଖୋଲା ଯାଇଛି। ତଥାପି ଏବେ ମଧ୍ୟ ଅଧିକାଂଶ ପାଠପଢା ଅନଲାଇନ୍‌ ଭରସାରେ ଚାଲିଛି। ଏହା ମଧ୍ୟରେ ପଶ୍ଚିମବଙ୍ଗ ସରକାରର ଶିକ୍ଷା ବିଭାଗ ଚଳିତ ବର୍ଷ ଦଶମ ଏବଂ ଦ୍ଵାଦଶ ଶ୍ରେଣୀର ପ୍ରି ଟେଷ୍ଟ ଆୟୋଜିତ ହେବ ନାହିଁ ବୋଲି ନିଷ୍ପତ୍ତି ନେଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏମିତି ନିଷ୍ପତ୍ତି ନିଆଯାଇଛି।

ବାନାର୍ଜୀ ପ୍ରଥମେ କହିଥିଲେ ଯେ, ତାଙ୍କ ପ୍ରଶାସନ ନଭେମ୍ଵର ୧୫ରେ କାଳୀପୂଜା ପରେ ଶିକ୍ଷାନୁଷ୍ଠାନ ପୁଣି ଥରେ ଖୋଲିବା ନେଇ ବିଚାର କରିବେ। ଅନ୍ୟପକ୍ଷେ ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ(ସିବିଏସଇ) କୋଭିଡ୍-୧୯ ମହାମାରୀ କାରଣରୁ ୨୦୨୧ରେ ଦଶମ ଏବଂ ଦ୍ଵାଦଶ ଶ୍ରେଣୀର ପରୀକ୍ଷା କାର୍ଯ୍ୟସୂଚୀ ବଦଳାଇପାରେ। ଏହା ପୂର୍ବରୁ ସିବିଏସଇ ମହାମାରୀ କାରଣରୁ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ସିଟିଇଟି) ସ୍ଥଗିତ ରଖିଥିଲା। ସିଟିଇଟି ପରୀକ୍ଷା ୨୦୨୧ ଜାନୁଆରୀ ୩୧ରେ ଆୟୋଜିତ ହେବ।

ସ୍ଵାସ୍ଥ୍ୟ ବିଭାଗର ବୁଲେଟିନ୍ ଅନୁଯାୟୀ ପଶ୍ଚିମବଙ୍ଗରେ ମଙ୍ଗଳବାର ୪,୪୧୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩, ୭୨,୨୬୫କୁ ବୃଦ୍ଧି ଘଟିଛି। କରୋନାରେ ଆଉ ୫୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନାଜନିତ ମୃତ୍ୟୁ ସଂଖ୍ୟା ୭,୪୦୩ରେ ପହଞ୍ଚିଛି। ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୩, ୪୪୪ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.