ଶ୍ରୀରାମ ମନ୍ଦିର ଭୂମି ପୂଜନ ପାଇଁ ସଜେଇ ହେଉଛି ଅଯୋଧ୍ୟା ନଗରୀ...

Published By : Prameya-News7 Bureau | August 02, 2020 IST

ଅଯୋଧ୍ୟା୨/୮:  ଶ୍ରୀରାମ ମନ୍ଦିର ଭୂମି ପୂଜନ ପାଇଁ ସଜେଇ ହେଉଛି ଅଯୋଧ୍ୟା ନଗରୀ । ପ୍ରସ୍ତୁତି ଜୋର ସୋରରେ ଆଗେଇ ଚାଲିଥିବା ବେଳେ ପୂରା ସହରରେ ହାଇ ଆଲର୍ଟ ଜାରି ସହ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଭୂମି ପୂଜନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହ ଆରଏସଏସ ମୁଖ୍ୟ ମୋହନ ଭାଗବତ ଏବଂ ରାମଜନ୍ମ ଭୂମି ନ୍ୟାସ ମୁଖ୍ୟ ନୃତ୍ୟ ଗୋପାଳ ଦାସ ସାମିଲ ହେବେ। ଏହି କାର୍ଯ୍ୟକ୍ରମକୁ ଶଙ୍କରାଚାର୍ଯ୍ୟଙ୍କ ସହ ବୌଦ୍ଧ, ଜୈନ, ମୁସିଲମ, ଖ୍ରୀଷ୍ଟିଆନ ପ୍ରତିନିଧିମାନଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଛି ।

ସଜେଇ ହେଉଛି ଅଯୋଧ୍ୟା ନଗରୀ । ବୁଧବାର ଦିନ ୧୨ଟା ୧୫ ମିନିଟ ୧୫ ସେକେଣ୍ଡରୁ ୪୭ ସେକେଣ୍ଡ ଭିତରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ମନ୍ଦିର ପାଇଁ ହେବ ଭୂମି ପୂଜନ । ଏଥିପାଇଁ ଜୋର ସୋରରେ ଆଗେଇ ଚାଲିଛି ପ୍ରସ୍ତୁତି। ଭୂମି ପୂଜନ ପାଇଁ ୪ ତାରିଖ ସକାଳୁ ଆରମ୍ଭ ହୋଇଯିବ ପୂଜା ବିଧି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବେ।ତାଙ୍କ ସହିତ ରହିବେ ଆରଏସଏସ୍  ମୁଖ୍ୟ ମୋହନ ଭାଗବତ ଏବଂ ରାମଜନ୍ମଭୂମି ନ୍ୟାସ ମୁଖ୍ୟ ନୃତ୍ୟ ଗୋପାଳ ଦାସ ।

ରାମ ଜନ୍ମଭୂମି ଆନ୍ଦୋଳନରେ ସାମିଲ ଥିବା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଏବଂ ମୁରଲି ମନୋହର ଯୋଶୀ  ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହେବେ। ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗଦେବାକୁ ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ଅଧ୍ୟକ୍ଷ ଜାଫର ଫାରୁକି, ଅଯୋଧ୍ୟାର ସମାଜସେବୀ ପଦ୍ମଶ୍ରୀ ମହମ୍ମଦ ଶରିଫ, ମୁସଲିମ ପକ୍ଷରୁ ବାବ୍ରି ମସଜିଦ୍ ମାମଲା ଲଢୁଥିବା ଇକବାଲ୍ ଅନସାରୀଙ୍କୁ ମଧ୍ୟ  ନିମନ୍ତ୍ରଣ କରାଯାଇଛି । ଶଙ୍କରାଚାର୍ଯ୍ୟଙ୍କ ସହ ସୁଫି ମୁଖ୍ୟ ଏବଂ ବୌଦ୍ଧ, ଜୈନ, ମୁସଲିମ, ଖ୍ରୀଷ୍ଟିଆନ ଧର୍ମର ପ୍ରତିନିଧିମାନଙ୍କୁ ମଧ୍ୟ ଭୂମିପୂଜନ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଛି। ଅତିଥି ତାଲିକାରେ ଯୋଗଗୁରୁ ବାବା ରାମଦେବ, ଗାୟତ୍ରୀ ପରିବାରରୁ ପ୍ରଣବ ପାଣ୍ଡ୍ୟା, କେରଳର ମା ଅୃତାନନ୍ଦମୟୀଙ୍କ ନାଁ ମଧ୍ୟ ରହିଛି ।

ଭୂମି ପୂଜନ ଉତ୍ସବ ପାଇଁ ପୂରା ଅଯୋଧ୍ୟାକୁ ସୁରକ୍ଷା ବଳୟ ଭିତରେ ରଖାଯିବ । ୩ ହଜାର ୫ଶହରୁ ୪ ହଜାର ସୁରକ୍ଷାକର୍ମୀ ନିୟୋଜିତ ହେବେ । କୌଣସି ସ୍ଥାନରେ ୫ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେନି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ପାଇଁ କୋଭିଡ୍ ନେଗେଟିଭ୍  ଏବଂ ୪୫ ବର୍ଷରୁ କମ୍ ବୟସ୍କ ଯୁବ ପୋଲିସ ମୁତୟନ ହେବେ।

ସେପଟେ ଅଯୋଧ୍ୟାରେ ପ୍ରତିଦିନ ପହଞ୍ଚିବାରେ ଲାଗିଛି ପବିତ୍ର ମାଟି ଓ ଜଳ । ସେପଟେ ଅଯୋଧ୍ୟାର ସରଜୁ ନଦୀ କୂଳରେ ବିଶ୍ବର ସବୁଠୁ ଉଚ୍ଚ ଶ୍ରୀରାମ ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ଆଜି ଉତ୍ତରପ୍ରଦେଶ ସରକାର ମଞ୍ଜୁରି ଦେଇଛନ୍ତି । ୪୫୦ କୋଟି ବିନିମୟରେ ରାମ ନଗରୀ ଅଯୋଧ୍ୟା ପ୍ରକଳ୍ପ ମାଧ୍ୟମରେ ନିର୍ମାଣ ହେବ ୨୨୧ ମିଟର ଉଚ୍ଚତାର ଶ୍ରୀରାମଙ୍କ ମୂର୍ତ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.