ଶେଷରେ ପଛକୁ ହଟିଲା ଚୀନ୍ ସେନା: ସେପଟେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କହିଲେ, ୨ ଦେଶ ଉପରେ ରହିଛି ନଜର

Published By : Prameya-News7 Bureau | June 25, 2020 IST

ଲଦାଖ୨୫/୬: ପୂର୍ବ ଲଦାଖର ଗଲୱାନ୍ ଘାଟିରେ ଭାରତ ଚୀନ୍‌ ମଧ୍ୟରେ ଲାଗିଥିବା ଉତ୍ତେଜନା ଧିରେ ଧିରେ କମିବାରେ ଲାଗିଛି । ଯେଉଁଠାରେ ଦୁଇ ଦେଶରର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା ସେହି ସ୍ଥାନରୁ ଆଜି ଚୀନ୍‌ ସେନା ପାଖାପାଖି ଏକ କିଲୋମିଟର ଦୂର ହଟିଯାଇଥିବା ସାଟେଲାଇଟ୍ ଚିତ୍ରରୁ ଜଣା ପଡିଛି । ସେପଟେ ଅନ୍ୟ କେତେକ ସୁତ୍ରରୁ ଜଣାପଡିଛି ଚୀନ୍‌ ଏଣେ କଥାବାର୍ତ୍ତା ଜାରି ରଖିଛି ସେପଟେ ସୀମାରେ ସୈନ୍ୟ ଠୁଳ ଅଭ୍ୟାସ ଛାଡ଼ିନି।

ଶେଷରେ ପଛକୁ ହଟିଲା ଚୀନ୍ ସେନା । ପୂର୍ବ ଲଦାଖ ଗଲୱାନ୍ ଘାଟିରେ ଚୀନ୍‌ ସେନା ପାଖାପାଖି ଏକ କିଲୋମିଟର ପଛକୁ ହଟିଥିବା କୁହାଯାଉଛି । ଘାଟିର ଯେଉଁ ସ୍ଥାନରେ ଭାରତ ଓ ଚୀନ୍‌ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା ସେହି ସ୍ଥାନରୁ ତାର ଯାନବାହାନ ହଟାଇଛି ଚୀନ୍‌ । ଗଲୱାନ୍ ଘାଟିରେ ମଧ୍ୟ ଚୀନ ତାର ସେନା ସଂଖ୍ୟା କମ୍‌ କରିଥିବା ସାଟେଲାଇଟ୍ ଚିତ୍ରରୁ ଜଣାପଡୁଛି । ପ୍ରଥମ ଥର ପାଇଁ ଚୀନ ସେନା ପଛକୁ ହଟିଥିବା କୁହାଯାଉଛି । ଅନ୍ୟ କେତେକ ସୁତ୍ରରୁ ଜଣା ପଡିଛି ଯେ ଏପଟେ ଭାରତ ଚୀନ୍ କଥାବାର୍ତ୍ତା ଜାରି ରହିଥିବା ବେଳେ ସେପଟେ ସୀମାରେ ଚୀନ୍‌ ସୈନିକ ଠୁଳ କରିବାରେ ଲାଗିଛି। ଗଲୱାନ୍ ସହିତ ଦୌଲତବେଗ ଓଲଡି ଅଞ୍ଚଳରେ ଚୀନ ସ୍ଥାୟୀ ବଙ୍କର ନିର୍ମାଣ କରୁଛି ।

ଭାରଚ-ଚୀନ ସୀମାର କେତେକ ସ୍ଥାନରେ ଚୀନ ସେନା ଆଧୁନିକ ଅସ୍ତ୍ରଶସ୍ତ୍ର ସହ ରହିଛି । ସୀମାରେ ଚୀନ ସେନା ସଂଖ୍ୟା ୧୦ ହଜାରରୁ ଅଧିକ ହେବ ବୋଲି କୁହାଯାଉଛି । ସେହିଭଳି ଭାରତ ଓ ଚୀନ୍ ମଧ୍ୟରେ ଲାଗିଥିବା ବିବାଦକୁ ଦେଖି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ କହିଛନ୍ତି ଦୁଇ ଦେଶ ମଧ୍ୟରେ ଲାଗିଥିବା ବିବାଦ ବେଶ ଚିନ୍ତାଜନକ । ଉଭୟ କଥାବାର୍ତ୍ତା ମଧ୍ୟରେ ଏହାର ସମାଧାନ କରିବାକୁ ସେ ଅହ୍ବାନ ଦେଇଛନ୍ତି । ଉଭୟ ଦେଶର ସ୍ଥିତି ଉପରେ ବ୍ରିଟେନ୍‌ ନଜର ରଖିଥିବା କହିଛନ୍ତି ।

ସେପଟେ ଚୀନ ଭାରତ ବିବାଦକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବୟାନ ବାଜି ବି କିଛି କମ୍‌ ନୁହେଁ । ଉଭୟ ପରସ୍ପରକୁ ଘେରିବାକୁ ଲାଗିଛନ୍ତି । ଆଜି କେନ୍ଦ୍ରୀୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏକ ସାମ୍ବାଦିକ ସମ୍ମନିଳନୀ କରି କହିଛନ୍ତି କଂଗ୍ରେସ ଚୀନ ଆଗରେ ନତମସ୍ତକ ହୋଇଛି । କାରଣ ରାଜୀବ ଗାନ୍ଧୀ ଫାଉଣ୍ଡେସନ୍‌କୁ ଚୀନ୍‌ରୁ ଡୋନେସନ୍‌ ମିଳୁଛି । ଯାହାର କଡା ଜବାବ ଦେଇଛି କଂଗ୍ରେସ ।

ଗତ ୧୫ ତାରିଖରେ ଗଲୱାନ୍ ଘାଟିରେ ଦୁଇ ଦେଶର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ଭାରତର ଜଣେ କର୍ଣ୍ଣେଲକଙ୍କ ସହ ୨୦ ଜଣ ଯବାନ ସହିଦ ହୋଇଥିଲେ । ସେହିଭଳି ଚୀନର ଜଣେ କମାଣ୍ଡିଂ ଅଫିସରଙ୍କ ମୃତ୍ୟୁ ହୋଇଥିବା ଚୀନ୍‌ ବହୁ ଡେରିରେ ମାନିଥିଲା । ତେବେ ତାର ୪୫ ରୁ ଅଧିକ ସୈନିକ ମୃତାହତ ହୋଇଥିବା କୁହାଯାଉଥିଲେ ବି ଚୀନ୍‌ ଏହାକୁ ବୁଲେଇ ବଙ୍କେଇ ସ୍ବୀକାର କରି କହୁଛି ମୃତାହତଙ୍କ ସଂଖ୍ୟା ଏତେ ନୁହେଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.