ବର୍ଷ ବର୍ଷ ଧରି ଭୁଲ୍ ପାଠ ପଢ଼ୁଛନ୍ତି ପିଲା: ନବମ ଶ୍ରେଣୀ ସାହିତ୍ୟ ଓ ଭୂଗୋଳ ବହିରେ ରହିଛି ସାଂଘାତିକ ତ୍ରୁଟି
10/08/2020 at 9:45 PM

ନୟାଗଡ଼୧୦/୮: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପ୍ରକାଶିତ ନବମ ଶ୍ରେଣୀ ସାହିତ୍ୟ ଓ ଭୁଗୋଳ ବହିରେ ଥିବା ତ୍ରୁଟି ସଂଶୋଧନ କରାଯିବା ସହ ପିଲାଙ୍କୁ ଠିକ୍ ପାଠ ପଢ଼ାଇବାକୁ ଶିକ୍ଷକମାନଙ୍କୁ ବୋର୍ଡ଼ ପକ୍ଷରୁ ଅବଗତ କରାଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ପାଠ୍ୟପୁସ୍ତକରେ ଥିବା ଗୁରୁତର ତ୍ରୁଟି ସମ୍ପର୍କରେ ନ୍ୟୁଜ୍ 7ରେ ଖବର ପ୍ରସାରଣ ପରେ ଏଭଳି ଉତ୍ତର ରଖିଛନ୍ତି ମନ୍ତ୍ରୀ ।
ବର୍ଷ ବର୍ଷ ଧରି ଭୁଲ୍ ପାଠ ପଢ଼ୁଛନ୍ତି ପିଲା । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପ୍ରକାଶିତ ନବମ ଶ୍ରେଣୀ ସାହିତ୍ୟ ଓ ଭୂଗୋଳ ବହିରେ ସାଂଘାତିକ ତ୍ରୁଟି ସତ୍ବେ କେମିତି ଚାଲିଥିଲା ପାଠପଢ଼ା ? ବର୍ଷ ବର୍ଷ ଧରି ନା’ ସ୍କୁଲ ଓ ଗଣଶିକ୍ଷା ବିଭାଗ ନା’ ବୋର୍ଡ଼ କର୍ତ୍ତୃପକ୍ଷ କେହି ବି ଧ୍ୟାନ ଦେଇନଥିଲେ । କୋଉଠି ସଂଶୋଧନ କରି ନିଜେ ସ୍କୁଲ ଶିକ୍ଷକ ପିଲାଙ୍କୁ ପଢ଼ାଉଥିଲେ ତ ଆଉ କେଉଁଠି ଭୁଲ୍ ପାଠ ପଢ଼ୁଥିଲେ ପିଲା । ପାଠ୍ୟ ପୁସ୍ତକରେ ଏଭଳି ଗୁରୁତର ତ୍ରୁଟି ସମ୍ପର୍କରେ ନ୍ୟୁଜ୍ 7ରେ ଖବର ପ୍ରସାରଣ ପରେ ସାମ୍ନାକୁ ଆସଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ୍ ।
ନବମ ଶ୍ରେଣୀ ସାହିତ୍ୟ ଓ ଭୁଗୋଳ ବହିରେ ଥିବା ତ୍ରୁଟି ସଂଶୋଧନ କରାଯିବା ସହ ପିଲାଙ୍କୁ ଠିକ୍ ପାଠ ପଢ଼ାଇବାକୁ ଶିକ୍ଷକମାନଙ୍କୁ ବୋର୍ଡ଼ ପକ୍ଷରୁ ଅବଗତ କରାଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ହେଲେ ଏଭଳି ତ୍ରୁଟି ପାଇଁ ଦାୟୀ ଶିକ୍ଷକ କିମ୍ବା ବୋର୍ଡ଼ ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନହେବ ସେ ସମ୍ପର୍କରେ କାହାରି ପାଖରେ ଉତ୍ତର ନାହିଁ । ଯାହା ଅଭିଭାବକ ଓ ଶିକ୍ଷାବିତ୍ମାନଙ୍କୁ ବିବ୍ରତ କରିଛି।
ନବମ ଶ୍ରେଣୀ ବହିରେ ଥିବା ତ୍ରୁଟି ଏଣିକି ସଂଶୋଧନ ହୋଇଯିବ ବୋଲି ମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି । ହେଲେ ମଧୁସୂଦନ ରାଓଙ୍କ ଛବିଳ ମଧୁ ବର୍ଣ୍ଣବୋଧରେ ସ୍ଥାନ ପାଇଥିବା ତଥା ନିକଟକରେ ରାଜ୍ୟ ସଂଗୀତର ମାନ୍ୟତା ପାଇଥିବା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବନ୍ଦେ ଉତ୍କଳ ଜନନୀ ସଂଗୀତରେ ଜନନୀ ଶବ୍ଦରେ ହର୍ଷ’ଇ’ କାର ବ୍ୟବହାରକୁ ନେଇ କୁନି ପିଲାଙ୍କୁ ଯେଭଳି ଦ୍ବନ୍ଦ୍ବରେ ପକାଯାଇଛି ତାର ମଧ୍ୟ ସଂଶୋଧନ ହେବା ଦରକାର ।