ଭ୍ୟାକ୍ସିନ ନେଉଥିବା ଲୋକଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ସମ୍ଭାବନା ୮୦ % କମ, ଦରକାର ହେବନି ଅକ୍ସିଜେନ୍: ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ

Published By : Prameya-News7 Bureau | June 18, 2021 IST

ନୂଆଦିଲ୍ଲୀ ୧୮।୦୬ : ଭାରତରେ କରୋନାର ଦ୍ଵିତୀୟ ଲହର ଉପରେ ବ୍ରେକ୍ ଲାଗିଛି। ସୁସ୍ଥଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। କରୋନାର ଜୋରଦାର ମୁକାବିଲା ପାଇଁ ଦେଶରେ ଟିକାକରଣ ଯୁଦ୍ଧକାଳୀନସ୍ତରରେ ଜାରି ରହିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର  ଯୁଗ୍ମ ସଚିବ ଲଭ ଅଗ୍ରଓ୍ଵାଲ କହିଛନ୍ତି, ମେ ୩ ପରଠୁ ଦେଶରେ ସୁସ୍ଥ ବଢି  ୯୬ ପ୍ରତିଶତରେ ପହଞ୍ଚିଛି। ଅନ୍ୟପଟେ ପଜିଟିଭ୍ ହାରରେ ହ୍ରାସ ଦେଖିବାକୁ ମିଳିଛି। ଜୁନ ୧୧ରୁ ୧୭ ତାରିଖ ମଧ୍ୟରେ ୫୧୩ ଜିଲ୍ଲାରେ ପଜିଟିଭହାର ୫ ପ୍ରତିଶତରୁ ମଧ୍ୟ କମ ରହିଥିଲା। ଗତ ୨୪ ଘଣ୍ଟାରେ ଦେଶରେ ୬୨,୪୮୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ଅଗ୍ରଓ୍ଵାଲ କହିଛନ୍ତି। ଗତ ୧୧ ଦିନରେ ନୂତନ ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷରୁ କମ୍ ରହିଛି।

ଏହା ମଧ୍ୟରେ ନୀତି ଆୟୋଗର ସଚିବ ଭିକେ ପଲ୍ ଶୁକ୍ରବାର  ଟିକା ସଂପର୍କରେ ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇଛନ୍ତି। ପଲ୍ କହିଛନ୍ତି, ଟିକା ନେଉଥିବା ବ୍ୟକ୍ତିଙ୍କ ଅକ୍ସିଜେନ ଆବଶ୍ୟକତା ସମ୍ଭାବନା ମାତ୍ର ୮ ପ୍ରତିଶତ ରହିଛି। ସେହି ପରି କରୋନା ଟିକା ନେଉଥିବା ବ୍ୟକ୍ତି ମେଡିକାଲରେ ଆଡମିଶନ  ହେବାର ସମ୍ଭାବନା ୭୦ ରୁ ୮୦ ପ୍ରତିଶତ କମ ରହିଛି। ଆଇସିୟୁରେ ଆଡମିଟ୍ ହେବାର ବିପଦ କେବଳ ୬ ପ୍ରତିଶତ ରହିଥିବା ପଲ୍ କହିଛନ୍ତି। ଗ୍ରାମାଞ୍ଚଳରେ ୧୮ ବର୍ଷରୁ କମ ଆୟୁ ବର୍ଗର ପିଲାଙ୍କଠାରେ ସେରୋପୋସିଟିଭିଟି ହାର ୫୬ ପ୍ରତିଶତ ଏବଂ ୧୮ ବର୍ଷରୁ ଅଧିକ ବର୍ଗଙ୍କଠାରେ ଏହାର ହାର ୬୩ ପ୍ରତିଶତ ରହିଥିବା ପଲ୍ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.