କେଜ୍ରିଓ୍ଵାଲଙ୍କ ମହତ୍ଵାକାଂକ୍ଷୀ 'ଘର-ଘର ରାସନ ଯୋଜନା' ଉପରେ ପୁଣି ଥରେ ରୋକ୍ ଲଗାଇଲେ କେନ୍ଦ୍ର ସରକାର, କାରଣ କ'ଣ ?

Published By : Prameya-News7 Bureau | June 05, 2021 IST

ନୂଆଦିଲ୍ଲୀ ୦୫।୦୬: ଦିଲ୍ଲୀ ସରକାର ଆଗାମୀ ସପ୍ତାହରେ ନିଜର ମହତ୍ଵାକାଂକ୍ଷୀ 'ଘର-ଘର ରାସନ ଯୋଜନା'କୁ ଲାଗୁ କରିବାକୁ ପ୍ରସ୍ତୁତି କରିଥିଲେ। ମାତ୍ର ଏହା ଉପରେ ଏବେ ବ୍ରେକ୍ ଲାଗି ଯାଇଛି। କେନ୍ଦ୍ର ସରକାର ଘରକୁ ଘର ଯାଇ ରାସନ ବଣ୍ଟନ କରିବା ଦିଲ୍ଲୀ ସରକାରଙ୍କ ଏହି ଯୋଜନା ଉପରେ ସଂପ୍ରତି ରୋକ୍ ଲଗାଇଛନ୍ତି। ଦିଲ୍ଲୀ ସରକାରଙ୍କ ସୂତ୍ର ଅନୁଯାୟୀ, କେନ୍ଦ୍ର ଏହି ଯୋଜନା ଉପରେ ଏଥିପାଇଁ ରୋକ୍ ଲଗାଇଛି, କାରଣ କେଜ୍ରିଓ୍ଵାଲ ସରକାର କେନ୍ଦ୍ରଠୁ ମଞ୍ଜୁରୀ ନେଇ ନାହାନ୍ତି।

ଅଧିକାରୀ କହିଛନ୍ତି, ଏହି ଯୋଜନାରେ ୭୨ ଲକ୍ଷ ଲୋକଙ୍କୁ ଘର ଘର ଯାଇ ଶସ୍ତାରେ ରାସନ ଯୋଗାଇବାର ବ୍ୟବସ୍ଥା କରାଯାଇଥିଲା। ଦିଲ୍ଲୀ ପ୍ରଥମେ ଏହି ଯୋଜନାକୁ 'ମୁଖ୍ୟମନ୍ତ୍ରୀ ଘର-ଘର ରାଶନ ଯୋଜନା' ମାମରେ ଆରମ୍ଭ କରିବାକୁ ଘୋଷଣା କରିଥିଲା। ମାର୍ଚ୍ଚ ୨୫ରେ ଏହାକୁ ଉଦଘାଟନ କରାଯିବାର ଥିଲା,ମାତ୍ର କେନ୍ଦ୍ର ସରକାରଙ୍କ ଆପତ୍ତି ପରେ ଏହାକୁ ସ୍ଥଗିତ ରଖାଯାଇଥିଲା। କେନ୍ଦ୍ର ଅନୁଯାୟୀ, ଜାତୀୟ ଖାଦ୍ୟ ସୁରକ୍ଷା ଆକ୍ଟ ଆଧାରରେ ସବସିଡିରେ ମିଳୁଥିବା ଖାଦ୍ୟ ପଦାର୍ଥକୁ ଏହି ଯୋଜନାରେ ବ୍ୟହହାର କରାଯାଇ ପାରିବ ନାହିଁ। ଯୋଜନାରେ ଯେ କୌଣସି ପରିବର୍ତ୍ତନ ସଂସଦ କରିପାରିବ। ଏହା ପରେ ଦିଲ୍ଲୀ ସରକାର ଏହି ଯୋଜନାକୁ ବିନା କୌଣସି ନାମରେ ଆରମ୍ଭ କରିବାକୁ ଘୋଷଣା କରିଥିଲା। ହେଲେ କେନ୍ଦ୍ର ପୁଣି ଥରେ ଏହା ଉପରେ ରୋକ୍ ଲଗାଇ ଦେଇଛି।

କେନ୍ଦ୍ର ସରକାର ଦିଲ୍ଲୀ ସରକାରଙ୍କ ଖାଦ୍ୟ ଯୋଗାଣ ସଚିବଙ୍କୁ ଚିଠି ଲେଖି ଏହି ଯୋଜନା ଆରମ୍ଭ ନକରାଯାଉ ବୋଲି ଜଣାଇଥିଲେ। କିନ୍ତୁ କେଜ୍ରିଓ୍ଵାଲ ସରକାର ଏହି ଯୋଜନା ପାଇଁ ଟେଣ୍ଡର ଜାରି କରି ସାରିଥିଲେ ଏବଂ ମାର୍ଚ୍ଚ ୨୫ରେ ଏହାର ଉଦଘାଟନ ହେବାର ଥିଲା। କେନ୍ଦ୍ରର ଏହି ପଦକ୍ଷେପ ପରେ ଆପ୍‌ ପ୍ରଶ୍ନ କରିଥିଲା ଯେ, ମୋଦୀ ସରକାର ରାସନ ମାଫିଆଙ୍କୁ ସମାପ୍ତ କରିବା ବିରୋଧରେ କଣ ପାଇଁ ରହିଛନ୍ତି ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.