ଅଭିଷେକ ବାନାର୍ଜୀଙ୍କ ଶାଳୀଙ୍କ ଘରେ ସିବିଆଇ ଟିମ୍, ପଚରାଉଚରା ପାଇଁ ଜାରି କରିଥିଲା ନୋଟିସ : ଟିଏମସି କହିଲା ରାଜନୈତିକ ଷଡଯନ୍ତ୍ର
22/02/2021 at 3:20 PM

କୋଲକାତା ୨୨/୦୨ : ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ଶାଳୀ ମେନକା ଗମ୍ଭୀରଙ୍କ ଘରେ ପହଞ୍ଚିଛି ସିବିଆଇ । ସୋମବାର ସିବିଆଇର ଗୋଟିଏ ଟିମ୍ ପଚରାଉଚରା ପାଇଁ ମେନକାଙ୍କ ଘରେ ପହଞ୍ଚିଥିବା ସୂଚନା ମିଳିଛି । ଏହା ପୂର୍ବରୁ ରବିବାର ଦିନ ସିବିଆଇର ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ହାଜର ପାଇଁ ନୋଟିସ୍ ଜାରି କରିଥିଲା । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ନେତାମାନଙ୍କ ବିରୁଦ୍ଧରେ ସିବିଆଇ ଯାଞ୍ଚ ବିବାଦକୁ ବଢାଇଦେଇଛି ।
ଅଭିଷେକ ବାନାର୍ଜୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା । ତେଣୁ ରାଜନୈତିକ ଆକ୍ରୋଶ ରଖି ବିଜେପି ଏଭଳି କରୁଥିବା ପୂର୍ବରୁ ମଧ୍ୟ କହିସାରିଛନ୍ତି ମମତା ବାନାର୍ଜୀ । ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରାଙ୍କୁ ମଧ୍ୟ ସିବିଆଇ ପଚରାଉଚରା ପାଇଁ ନୋଟିସ ଜାରି କରିଛି । ମଙ୍ଗଳବାର ଦିନ ତାଙ୍କ ବାସଭବନକୁ ଆସି ପଚରାଉଚରା କରିପାରେ ସିବିଆଇ ।
ସୂଚନାଯୋଗ୍ୟ, କୋଇଲା ଚୋରା ଚାଲାଣ ମାମଲାରେ ଗତ ରବିବାର ସିବିଆଇର ଏକ ଟିମ୍ ଅଭିଷେକ ବାନାର୍ଜୀଙ୍କ ଘରେ ପହଞ୍ଚି ତାଙ୍କ ପତ୍ନୀଙ୍କୁ ପଚରାଉଚରା ପାଇଁ ନୋଟିସ୍ ଜାରି କରିଥିଲା । ଏହା ସହିତ ଅଭିଷେକ ବାନାର୍ଜୀଙ୍କ ଶାଳୀ ମେନକା ଗମ୍ଭୀରଙ୍କୁ ମଧ୍ୟ ପଚରାଉଚରା ପାଇଁ ନୋଟିସ ଜାରି କରିଛି ସିବିଆଇ ।
ତେବେ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ପଶ୍ଚିମବଙ୍ଗରେ ସିବିଆଇର ଏପରି ସକ୍ରିୟତା ରାଜନୈତିକ ମାହୋଲକୁ ମଧ୍ୟ ସରଗରମ କରିଛି । ଟିଏମସିର ତମାମ ନେତାମାନଙ୍କୁ ସିବିଆଇ ଅଡୁଆ ହୋଇଛି । ସେପଟେ ରାଜନୈତିକ ମାଇଲେଜ୍ ନେବା ପାଇଁ ବିଜେପି ଏପରି ଚକ୍ରାନ୍ତ କରୁଥିବା ଟିଏମସି ନେତାମାନେ ଅଭିଯୋଗ କରିଛନ୍ତି ।