ରାଜ୍ୟ ସଚିବ/ଡିଜିପିଙ୍କ ସହ କ୍ୟାବିନେଟ୍ ସଚିବଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ, ତବଲିଗିରେ ସାମିଲ ଲୋକଙ୍କୁ ଶୀଘ୍ର ଚିହ୍ନଟ କର

Published By : Prameya-News7 Bureau | April 01, 2020 IST

ନୂଆଦିଲ୍ଲୀ ୦୧।୦୪: କରୋନା ସଂକ୍ରମଣ ଓ ଲକ୍‌ଡାଉନ୍‌ ମଧ୍ୟରେ ଦିଲ୍ଲୀର ନିଜାମୁଦ୍ଦିନରେ ତବଲିଗି ଜମାତଙ୍କ ଦ୍ଵାରା ଆୟୋଜିତ ଧାର୍ମିକ ସଭା ଏବେ ସମଗ୍ର ଦେଶ ଉପରେ ଭାରି ପଡିଛି। ଧାର୍ମିକ ସଭାରେ ସାମିଲ ଲୋକଙ୍କୁ ଠାବ କରିବା ସରକାରଙ୍କ ପାଇଁ ପ୍ରଥମ ପ୍ରାଥମିକତା ହୋଇଛି। ଏହା ମଧ୍ୟରେ କ୍ୟାବିନେଟ୍ ସଚିବ ସମସ୍ତ ରାଜ୍ୟର ମୁଖ୍ୟ ସଚିବ/ ଡିଜିପିଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଗୁରୁତ୍ଵପୂର୍ଣ୍ଣ ବୈଠକ କରିଛନ୍ତି। କେନ୍ଦ୍ର ରାଜ୍ୟଗୁଡିକୁ ତବଲିଗିରେ ସାମିଲ ଲୋକ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବାକୁ କହିଛି। ଏହା ସହିତ ସାମାଜିକ ଦୂରତ୍ଵ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ଓ ଯୋଗାଣ ସୁନିଶ୍ଚିତ କରିବାକୁ କୁହାଯାଇଛି।

ରାଜ୍ୟଗୁଡିକୁ ତବଲିଗି  ଜମାତରେ ସାମିଲ ଲୋକଙ୍କ ସଂପୂର୍ଣ୍ଣ ବିବରଣୀ ଦେବାକୁ କୁହାଯାଇଛି, କାରଣ ଏହା କୋଭିଡ୍ ୧୯ ସଙ୍ଗରୋଧ ପ୍ରୟାସ ପ୍ରତି ବଡ ବିପଦ ସୃଷ୍ଟି କରୁଛି। ରାଜ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି।

ଏହା ମଧ୍ୟ କୁହାଯାଇଛି ଯେ, ତବଲିଗି ହମାତରେ ଅଂଶଗ୍ରହଣ କରିଥିବା ବିଦେଶୀ ଭିସା ଆଇନକୁ ଉଲ୍ଲଂଘନ କରିଛନ୍ତି। ତେଣୁ ରାଜ୍ୟଗୁଡିକୁ ଭିସା  ଆଦେଶର ଉଲ୍ଲଂଘନକାରୀ ବିଦେଶୀ ଏବଂ ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି।

ଏହା ସହିତ ରାଜ୍ୟଗୁଡିକୁ ଆଗାମୀ ସପ୍ତାହ ଭିତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଲାଗୁ କରିବାକୁ କୁହାଯାଇଛି। ଏଥିରେ ଲାଭାର୍ଥୀଙ୍କୁ ବଡ ପରିମାଣରେ କ୍ୟାସ୍ ଟ୍ରାନ୍ସଫର ସାମିଲ ରହିଛି। ଏହା ସହିତ ସୁସଙ୍ଗଠିତ ଭାବେ ସାମାଜିକ ଦୂରତ୍ଵ ସୁନିଶ୍ଚିତ କରିବାକୁ କୁହାଯାଇଛି।

ଉଲ୍ଲେଖନୀୟ ଲକ୍‌ଡାଉନ୍‌ ସମଗ୍ର ଦେଶରେ ପ୍ରଭାବୀ ଢଙ୍ଗରେ ଲାଗୁ କରାଯାଇଛି। ରାଜ୍ୟଗୁଡିକୁ ଏହା ସୁନିଶ୍ଚିତ କରିବାକୁ କୁହାଯାଇଛି ଯେ, ସାମାଜିକ ଦୂରତ୍ଵ ବଜାୟ ରଖାଯିବା ସହିତ ବିନା କୌଣସି ବାଧାରେ ଆନ୍ତଃରାଜ୍ୟ ମାଲାବାହୀ ଗାଡିର ପରିବହନ ଅନୁମତି ଦିଆଯାଉ। ଆବଶ୍ୟକ ବସ୍ତୁର ବିନିର୍ମାଣ ସୁନିଶ୍ଚିତ କରାଯାଉ। ଏହା ମଧ୍ୟ ସୁନିଶ୍ଚିତ କରାଯାଉ ଯେ, ଶୃଙ୍ଖଳିତ ଭାବରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଓ ବିତରଣ କେମିତି ହୋଇ ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.