ଜୁଲାଇ ୭ରେ କ୍ୟାବିନେଟ୍ ସଂପ୍ରସାରଣ, ସାମିଲ ହେବେ ୧୭ ରୁ ୨୨ ନୂଆ ଚେହେରା, କିଏ ସେ ସମ୍ଭାବ୍ୟ ମନ୍ତ୍ରୀ...

Published By : Prameya-News7 Bureau | July 05, 2021 IST

ନୂଆଦିଲ୍ଲୀ ୦୫।୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ୍ ଶୀଘ୍ର ନିଜ କାର୍ଯ୍ୟକାଳର ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିବାକୁ ଯାଉଛନ୍ତି। ମୋଦୀ ଆସନ୍ତା ବୁଧବାର ପୂର୍ବାହ୍ନ ୧୧ଟାରେ ମନ୍ତ୍ରିମଣ୍ଡଳ ବିସ୍ତାର କରିବେ। ନୂତନ ମନ୍ତ୍ରିମଣ୍ଡଳରେ ୧୭ ରୁ ୨୨ ନୂତନ ମନ୍ତ୍ରୀ ସାମିଲ ହେବେ। ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, ଯେଉଁ ରାଜ୍ୟଗୁଡିକରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ସେହି ରାଜ୍ୟକୁ ମନ୍ତ୍ରିମଣ୍ଡଳରେ ଗୁରୁତ୍ଵ ଦିଆଯିବ।

ଏହା  ବ୍ୟତୀତ ଆଞ୍ଚଳିକ ଦଳର ନେତାଙ୍କୁ ମନ୍ତ୍ରି ପରିଷଦରେ ସାମିଲ କରି ଏନଡିଏ ନିଜକୁ ମଜବୁତ କରିବାକୁ ଚେଷ୍ଟା କରିବ। ଏହାକୁ ନେଇ ଚର୍ଚ୍ଚା ଜୋର ଯେ, କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା  ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନୂତନ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ। ତାଙ୍କୁ କୌଣସି ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ଦିଆଯାଇପାରେ।

ଏହି ନେତାଙ୍କୁ ମିଳିପାରେ ମନ୍ତ୍ରୀ ପଦ

ସୂଚନା ଅନୁଯାୟୀ, ମଧ୍ୟ ପ୍ରଦେଶରୁ ସିନ୍ଧିଆଙ୍କ ସହ  ବିଜେପି ସାଂସଦ ରାକେଶ ସିଂହଙ୍କୁ ମଧ୍ୟ ମୋଦୀ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ। ସେପଟେ ଉତ୍ତର ପ୍ରଦେଶରେ ଆଗାମୀ  ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅପନା ଦଳର ଅନୁପ୍ରିୟା ପଟେଲଙ୍କ ସହିତ ପ୍ରାୟ ଚାରି ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ।

ସେପଟେ  ବିହାରରୁ ସୁଶୀଲ ମୋଦୀ ଓ ଜେଡିୟୁରୁ ଆରସିପି ସିଂହ ଓ ଏଲଜେପିରୁ ପଶୁପତି ପାରସଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ। ମହାରାଷ୍ଟ୍ରରୁ ନାରାୟଣ ରାଣେ, ହିନା ଗାବିତ ଓ ରଣଜୀତ ନାଇକ ନିମ୍ବଲକରଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବା ନେଇ ଚର୍ଚ୍ଚା ହେଉଛି। ସେହି ପରି ଜମ୍ମୁ-କଶ୍ମୀର ଓ ଲଦାଖରୁ ଜଣେ ଲେଖାଏଁ ମନ୍ତ୍ରୀ ଚୟନ କରାଯାଇପାରେ। ଏମାନଙ୍କ ଛଡ଼ା ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଚର୍ଚ୍ଚାରେ ରହିଛି। ମେଣ୍ଟଦଳକୁ ମଧ୍ୟ ଏଥର ମୋଦୀ ମନ୍ତ୍ରିମଣ୍ଡଳରେ ଅଂଶ ହୋଇ ପାରନ୍ତି। କ୍ୟାବିନେଟ୍‌ରେ ଜେଡିୟୁ, ଏଲଜେପି ଓ ଓ୍ଵାଇଏସଆର କଂଗ୍ରେସର ଅନେକଙ୍କୁ ମନ୍ତ୍ରୀ ପଦ ମିଳିପାରେ।

ଅନ୍ୟପଟେ ମନ୍ତ୍ରିମଣ୍ଡଳରେ ଅତିରିକ୍ତ ଭାର ସମ୍ଭାଳୁଥିବା ନଅ ମନ୍ତ୍ରୀଙ୍କୁ ଅତିରିକ୍ତ ମନ୍ତ୍ରଣାଳୟ ଛାଡି ପାରନ୍ତି। ସେଥିରେ ଅଛନ୍ତି ପ୍ରକାଶ ଜାବଡେକର, ପିୟୂଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ନୀତିନ ଗଡକରୀ, ଡ ହର୍ଷବର୍ଦ୍ଧନ, ନରେନ୍ଦ୍ର ସିଂହ ତୋମାର, ରବିଶଙ୍କର ପ୍ରସାଦ, ସ୍ମତି ଇରାନୀ ଓ ହରଦୀପ ସିଂହ ପୁରୀ। ବର୍ତ୍ତମାନ ମୋଦୀ ମନ୍ତ୍ରିମଣ୍ଡଳରେ ମୋଟ୍ ୫୩ ମନ୍ତ୍ରୀ ଅଛନ୍ତି। କିନ୍ତୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ ଆଉ ୨୮ ନୂତନ ମନ୍ତ୍ରୀ ଯୋଡା ଯାଇପାରେ। ସମ୍ବିଧାନ ଅନୁଯାୟୀ ସର୍ବାଧିକ ୮୧ ମନ୍ତ୍ରୀ  ହୋଇ ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.