ଐତିହ୍ୟ କ୍ୟାବିନେଟରେ ୭ଟି ପ୍ରସ୍ତାବକୁ ମଞ୍ଜୁରୀ: ଭର୍ଚୁଆଲ ହେବ ରାଜ୍ୟ ସଂଗ୍ରହାଳୟ, ବଢିଲା ପୁରସ୍କାର ରାଶି, ଗୋପବନ୍ଧୁଙ୍କ ଜନ୍ମସ୍ଥାନର କରାଯିବ ବିକାଶ

Published By : Prameya-News7 Bureau | September 02, 2020 IST

ଭୁବନେଶ୍ଵର ୦୨।୦୯: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ଭର୍ଚୁଆଲ ମାଧ୍ୟମରେ ହୋଇଛି। ଅନେକ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯିବା ସହ ଗୁଡାଏ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବସିଥିବା ଐତିହ୍ୟ କ୍ୟାବିନେଟ୍‌ରେ ୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ  ମାନ୍ୟତା ଦେବା ପାଇଁ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି। ଏହା ସହିତ ଏକାଡେମୀ ପୁରସ୍କାର ରାଶି ବଢାଇବାକୁ ନିଷ୍ପତ୍ତି ହୋଇଛି।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ରକୁ ଅନୁମୋଦନ ନିମନ୍ତେ ପ୍ରସ୍ତାବ ପାରିତ ହୋଇଛି। ଓଡିଶା ରାଜ୍ୟ ସଂଗ୍ରହାଳୟର ସୁପରିଚାଳନା ପାଇଁ ସ୍ଵତନ୍ତ୍ର ନିର୍ଦ୍ଦେଶାଳୟ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ପ୍ରତ୍ନତତ୍ତ୍ଵ ପାଇଁ ସ୍ଵତନ୍ତ୍ର ନିର୍ଦ୍ଦେଶାଳୟ ଓ ନିର୍ଦ୍ଦେଶକ ପାଇଁ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ରାଜ୍ୟ ସଂଗ୍ରହାଳୟ ଓ ଆନନ୍ଦ ଭବନ ସଂଗ୍ରହାଳୟକୁ ଭର୍ଚୁଆଲ କରାଯିବାକୁ ନିଷ୍ପତ୍ତି ହୋଇଛି।

ଏହା ସହିତ ସଂସ୍କୃତି ବିଭାଗ ଦ୍ଵାରା ପରିଚାଳିତ ଏକାଡେମୀ ପୁରସ୍କାର ରାଶି ବୃଦ୍ଧି ନିଷ୍ପତ୍ତି ହୋଇଛି। ଅତିବଡି ସମ୍ମାନ, କବି ସମ୍ରାଟ ସମ୍ମାନ, ଧର୍ମପଦ ସମ୍ମାନ, ବ୍ୟାସକବି ସମ୍ମାନର ଅର୍ଥ ରାଶିକୁ ଏକ ଲକ୍ଷରୁ ୫ ଲକ୍ଷ ଟଙ୍କା ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି। ଏକାଡେମୀ ପୁରସ୍କାର ରାଶି ୫୦ ହଜାରରୁ ୨ଲକ୍ଷକୁ ବୃଦ୍ଧି ଘଟିଛି। ଏଥିସହ ଏକାଡେମୀ ସମ୍ବର୍ଦ୍ଧନା ପୁରସ୍କାର ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ବୈଠକରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋର ବିକାଶ କରିବାକୁ ନିଷ୍ପତ୍ତି ହୋଇଛି। ସୁଆଣ୍ଡୋର ବିକାଶ ପାଇଁ ସାଢେ ୧୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.