୫୬ ତମ ସଂକ୍ରମିତଙ୍କୁ ଗାଡିରେ ଆଣିଥିବା ବ୍ୟବସାୟୀ, ଡ୍ରାଇଭରଙ୍କ ସହ ୪ ଜଣ କ୍ବାରେଣ୍ଟାଇନରେ...

Published By : Prameya-News7 Bureau | April 16, 2020 IST

ଯାଜପୁର୧୬/୪: ରାଜ୍ୟର ୫୬ ତମ କୋଭିଡ୍-୧୯ ପଜିଟିଭ୍‌ଙ୍କ ଟ୍ରାଭେଲ ହିଷ୍ଟ୍ରି ଜଣାପଡିବା ପରେ ଆରମ୍ଭ ହୋଇଛି ଆକ୍ସନ। କୋଲକାତାରୁ ଆସିଥିବା ୫୬ ତମ କୋଭିଡ-୧୯ ପଜିଟିଭ୍‌ ଯାଜପୁର ପାଣିକୋଇଲିରୁ ଏକ ମାଛ ଗାଡିରେ ନିଜ ଗାଁରେ ପହଞ୍ଚିଥିଲେ। ଏହି କଥା ସାମ୍ନାକୁ ଆସିବା ପରେ ଡ୍ରାଇଭର ସମେତ ୪ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି। ସେହି ୪ ଜଣଙ୍କ ସହ ମିଳିମିଶା କରିଥିବା ଲୋକଙ୍କୁ କ୍ବାରେନ୍‌ଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟରେ ୫୬ ତମ କରୋନା ପଜିଟିଭ୍‌ ଯାଜପୁର ବ୍ଳକ୍ ଜାଫରପୁର ପଞ୍ଚାୟତରେ ଚିହ୍ନଟ ହୋଇଥିଲେ। ଏହି ବ୍ୟକ୍ତି ଜଣଙ୍କ ଗତ ୨୮ ତାରିଖର ରାତିରେ ନିଜ ଗାଁରେ ପହଞ୍ଚିଥିଲେ। କିନ୍ତୁ ତାଙ୍କ ଟ୍ରାଭେଲ ହିଷ୍ଟ୍ରି ଅନୁସାରେ ଯାଜପୁର ପାଣିକୋଇଲିରୁ ସେ ଏକ ମାଛ ଗାଡିରେ ବସି ଆସିଥିଲେ। ଗାଡି ଡ୍ରାଇଭର ଏବଂ ମାଛ ବ୍ୟବସାୟୀଙ୍କୁ ମିଶାଇ ମୋଟ୍ ଚାରିଜଣ ଗୋଟିଏ ଗାଡିରେ ଯାତ୍ରା କରିଥିଲେ।

ଏହା ମଧ୍ୟରେ ଯାଜପୁର ଟାଉନରେ ୨ ଜଣ ଓହ୍ଲାଇ ପଡିଥିବା ବେଳେ ଡ୍ରାଇଭର ଜଣଙ୍କ ମାଛ ଅନଲୋଡ୍ କରି ଚାଲି ଯାଇଥିଲେ। କିନ୍ତୁ  ଦଶରଥପୁର ବ୍ଲକ ଥାଲୁକୁଡି ଗ୍ରାମର ମାଛ ବ୍ୟବସାୟୀ ଜଣଙ୍କ ସ୍ଥାନୀୟ କିଛି ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ଏହି ଘଟଣା ଜଣାପଡିବା ପରେ ଜିଲ୍ଲା ଏବଂ ବ୍ଳକ ପ୍ରଶାସନ ଉଦ୍ୟମରେ ସଂପୃକ୍ତ ମାଛ ବ୍ୟବସାୟୀଙ୍କ ସମେତ ତାଙ୍କ  ପରିବାର ଏବଂ କିଛି ସ୍ଥାନୀୟ ଲୋକଙ୍କୁ ଆଇସୋଲେସନରେ ରଖାଯାଇଛି।

ଅନ୍ୟପଟେ ଯାଜପୁର ଜିଲ୍ଲାରେ ଦ୍ବିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଦ୍ବିତୀୟ ଆକ୍ରନ୍ତ ଚିହ୍ନଟ ହୋଇଥିବା ଜାଫରପୁର ପଞ୍ଚାୟତର ତ୍ରିଲୋଚନପୁର ଗାଁ ଓ ଏହାର ନିକଟବର୍ତ୍ତୀ ସହିପୁର-୩କୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।ତେଣୁ ସେହି ସବୁ ଅଞ୍ଚଳରେ ସାନିଟାଇଜେସନ୍‌ କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.