କଟକୀ ଷଣ୍ଢର ଭାରି ସାହସ : ତିନି ମହଲାରେ ଚଢିଛି, ଦେଖିବ ଆସ…

Published By : Prameya-News7 Bureau | July 06, 2020 IST

କଟକ ୦୫ା୦୭ : କଟକୀ ଷଣ୍ଢ ରାସ୍ତାରେ ରାଜ୍‌ କରନ୍ତି । କୁହାଯାଏ, କଟକର ଷଣ୍ଢ ଗଲା ବେଳେ ରାସ୍ତା କଡ଼ରୁ ଏକ ପ୍ରକାର ବଟି ନେଇ ଯାଆନ୍ତି । ଅର୍ଥାତ୍‌ ଦୋକାନ ହେଉ ବା ଘର କିଛି ନା କିଛି ଖାଦ୍ୟ ଜିନିଷ ନନେଲେ ସେମାନେ ଆଗକୁ ପାଦେ ଚାଲନ୍ତିନି । ଥରେ ଲଢେଇ ଆରମ୍ଭ ହେଇଗଲେ ରାସ୍ତାଘାଟ ଜାମ୍‌ । ଏପରି ଏକ କଟକୀ ଷଣ୍ଢର ଏକ ବିଚିତ୍ର ରୂପ କଟକ ସହରରେ ଦେଖିବାକୁ ମିଳିଛି । ଗୋଟିଏ ଷଣ୍ଢ ଏକ ତିନି ମହଲା କୋଠା ଉପରକୁ ଚଢ଼ିଯାଇଛି । ଏହାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି । ଘଟଣାଟି ଘଟିଛି ସିଡିଏ ସେକ୍ଟର-୯ ଅଞ୍ଚଳରେ । ପରେ ଅଗ୍ନିଶମ କର୍ମଚାରୀ ଆସି ଷଣ୍ଢକୁ ତଳକୁ ଆଣିଛନ୍ତି ।

ସୂଚନା ଅନୁସାରେ, କଟକ ସିଡିଏ ସେକ୍ଟର-୯ ଟମ୍ପେ ରୋଡ୍‌ରେ ଏକ ତିନି ମହଲା କୋଠା ଅଛି । କୋଠାଟି ମୁଖ୍ୟ ରାସ୍ତାକୁ ଲାଗି କରି ଅଛି । ଘର ମାଲିକ ଫୁଲ ତୋଳିବା ପାଇଁ ଘରୁ ବାହାରକୁ ବାହାରିଥିଲେ । ସେ ମୁଖ୍ୟ ଗେଟ୍‌କୁ ସାମାନ୍ୟ ଖୋଲା ଛାଡ଼ି ଦେଇଥିଲେ । ପ୍ରାୟ ଅଧଘଣ୍ଟାଏ ପରେ ସେ ଘରକୁ ଫେରି ଦେଖିଲା ବେଳକୁ ତାଙ୍କ କୋଠାର ତୃତୀୟ ମହଲା ଛାତ ଉପରେ ଏକ କଳା ରଙ୍ଗର ଷଣ୍ଢ ଛିଡ଼ା ହୋଇଛି । ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଧୀରେଧୀରେ ଘଟଣାଟି ପ୍ରଚାରିତ ହେବା ପରେ ସେଠାରେ ବହୁ ଲୋକ ରୁଣ୍ଡ ହୋଇ ଦେଖିବାକୁ ଲାଗିଲେ । କିଛି ସମୟ ମଧ୍ୟରେ ଛାତ ଉପରେ ଥିବା ଷଣ୍ଢର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାକୁ ଲାଗିଲା ।

ତେବେ ଷଣ୍ଢକୁ ତଡ଼ିବା ପାଇଁ ଭୟରେ କେହି ଘର ଉପରକୁ ଗଲେ ନାହିଁ । ଶେଷରେ ଅଗ୍ନିଶମ କାର୍ଯ୍ୟାଳୟ ଓ ପୁଲିସକୁ ଖବର ଦିଆଗଲା । ମର୍କତନଗର ଅଗ୍ନିଶମ କେନ୍ଦ୍ରର ଏକ ଟିମ୍‌ ଛାତ ଉପରକୁ ଯାଇ ଧୀରେଧୀରେ ଷଣ୍ଢକୁ ତଳକୁ ଆଣିବାରେ ସକ୍ଷମ ହୋଇଥିଲା । ତେବେ ଘରର ପାହାଚଗୁଡ଼ିକ ବଡ଼ ବଡ଼ ଓ ଚଉଡ଼ା ହୋଇଥିବାରୁ ଷଣ୍ଢଟି ଉପରକୁ ଚଢ଼ି ଚାଲିଯିବାରେ ସକ୍ଷମ ହୋଇଛି ବୋଲି ଅଗ୍ନିଶମ କର୍ମଚାରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.