ଆଖି ବୁଜିଲେ ନବବଧୂ, ନିର୍ଯ୍ୟାତନା ଅଭିଯୋଗ ଆଣିଲେ ବାପ ଘର ଲୋକେ, ବନ୍ଧା ହେଲେ ସ୍ଵାମୀ

Published By : Prameya-News7 Bureau | October 22, 2021 IST

ନୀଳଗିରି ୨୨/୧୦: ସାତ ଜନ୍ମ ପାଇଁ ନିଜର କରିବାକୁ ହାତ ଧରିଥିଲେ। କିଏ ଜାଣିଥିଲା ସ୍ୱାମୀ ନିର୍ଯ୍ୟାତନା ବାରମ୍ବାର ଦେବ। ଶେଷରେ ନବବଧୂଙ୍କ ମୃତ୍ୟୁ ପରେ ଶାଶୁ ଘର ଲୋକେ ବିଷ ପିଆଇ ମାରି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତ ସ୍ଵାମୀକୁ ପୋଲିସ ଗିରଫ କରିଛି।

ସୂଚନାରୁ ପ୍ରାପ୍ତ ଯେ, ବାଲେଶ୍ଵର ଜିଲ୍ଲା ସଦର ଥାନା ଅଧିନ ବାଙ୍ଗରା ଗ୍ରାମର ତ୍ରିଲୋଚନ ପାତ୍ରଙ୍କ ଝିଅ ଗାୟତ୍ରୀ(୨୩)ଙ୍କୁ ନୀଳଗିରି ଥାନା ଔପଦା ବ୍ଲକ ସନ୍ତରାଗଡ଼ିଆ ଗ୍ରାମର ପ୍ରେମାନନ୍ଦ ମହାନ୍ତିଙ୍କ ପୁଅ ପତ୍ୟୁଷ ଗତ ଫେବୃଆରୀ ୨୧ ତାରିଖରେ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରେ ଝିଅ ଉପରେ ଆରମ୍ଭ ହୋଇଥିଲା ଯୌତୁକ ନିର୍ଯ୍ୟାତନା।ତେବେ ଗତ ୭ ତାରିଖରେ ଗାୟତ୍ରୀ ଅସୁସ୍ଥ ହେବାକଥା ଶ୍ବଶୁର ଘର ଲୋକେ ବାପ ଘରକୁ ଖବର ଦେଇଥିଲେ। ନାମ ପରିବର୍ତ୍ତନ କରି ଶ୍ରଦ୍ଧାଞ୍ଜଳି ନାମରେ ନବବଧୂକୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରିବା ନେଇ ସନ୍ଦେହ ଉପୁଜିଥିଲା।

{"id":531533,"sizeSlug":"full","linkDestination":"none"}

ପରେ ଗାୟତ୍ରୀ ଗୁରୁତର ହୋଇ ବାଲେଶ୍ଵର, କଟକ ଓ ପରେ ଏମ୍ସରେ ଭର୍ତ୍ତି କରିଥିଲେ। ହେଲେ ଗତ ୧୬ ତାରିଖରେ ଘରକୁ ଫେରିବା ପରେ ପୁଣି ଅସୁସ୍ଥ ହେବାରୁ ଗାୟତ୍ରୀଙ୍କୁ ବାଲେଶ୍ଵର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ପୂର୍ବରୁ କିପରି ନିର୍ଯ୍ୟାତନା ଦିଅନ୍ତି ସମସ୍ତ ଘଟଣା ପରିବାର ଲୋକଙ୍କୁ ସେ ବଖାଣିବାର ଭିଡିଓ ଫୁଟେଜ କରାଯାଇଥିବା ଜଣାପଡିଛି। ଗାୟତ୍ରୀଙ୍କ ପରିବାର ତରଫରୁ ସଦର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ହେଲେ ଥାନା ବାବୁ ଏତଲା ନରଖି ନୀଳଗିରି ଥାନାରେ ଅଭିଯୋଗ କରିବାକୁ କହିଥିଲେ।

ପୁଣି ନୀଳଗିରି ଥାନାରେ ପରିବାର ଲୋକେ ଅଭିଯୋଗ ପରେ ପୋଲିସ ୪୯୮-ଏ,୩୨୮,୩୪ ଆଇପିସି,ସେକ୍ସନ-୪ ଡିପି ଆକ୍ଟ ରେ ୨୮୪ ନମ୍ବର ମାମଲା ରୁଜୁହୋଇଛି। ମାମଲାକୁ ଆଇଆଇସି ବାସୁଦେବ ଜୟସିଂହ ତଦନ୍ତ କରି ଆଜି  ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିବା ଜଣାପଡିଛି। ତେବେ ଝିଅକୁ ମାରିଦେଇଥିବା ଅଭିଯୋଗ ନେଇ ବାପା ନ୍ୟାୟ ମାଗିଥିବା ବେଳେ ଘଟଣାକୁ ନେଇ ଅଂଚଳରେ ଉତ୍ତେଜନା ଦେଖାଯାଇଛି। ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ପୋଲିସ ନିରପେକ୍ଷତା ଅବଲମ୍ବନ କରି ମୃତକ ଙ୍କ ବାପା ମାଆ ଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସଧାରଣରେ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.