ବର ‘ଆମ୍ବ’, କନିଆଁ ସାଜିଥିଲା ‘ଚୁଲ୍‌ବୁଲି ଝିଅ’ ତେନ୍ତୁଳି: ଛପାଯାଇଥିଲା ଓ୍ବେଡିଂ କାର୍ଡ, ବଳଦଗାଡ଼ି​‌ରେ ଆସିଥିଲେ ୪୦୦ ବରଯାତ୍ରୀ

Published By : Prameya-News7 Bureau | September 21, 2021 IST

ସୀତାପୁର ୨୧/୦୯: ବିବାହ ସାଧରଣତଃ ଜଣେ ଯୁବକ ଏବଂ ଯୁବତୀଙ୍କ ମଧ୍ୟରେ ହୋଇଥିାଏ । ଏଥିପାଇଁ ନିମନ୍ତ୍ରଣ କାର୍ଡ ଛପାଇବା ସହ ବନ୍ଧୁ ପରିଜନଙ୍କୁ ନିମନ୍ତ୍ରଣ କରାଯାଏ। ଏହା ବ୍ୟତୀତ ବର୍ଷା ପାଇଁ ବେଙ୍ଗ-ବେଙ୍ଗୁଲୀ ବାହାଘରର ପରମ୍ପରା ମଧ୍ୟ ରହିଛି। କିନ୍ତୁ କେବେ ଶୁଣିଛନ୍ତି ଫଳ ରାଜା ‘ଆମ୍ବ’ ସହ ‘ତେନ୍ତୁଳି’ର ବାହାଘର ? ଏମିତି ସେମିତି ବାହାଘର ନୁହେଁ ବରଂ ବଡ଼ ଧୁମଧାମରେ ବାଜା ରୋଶଣୀ ବାଜି ଆମ୍ବ ଏବଂ ତେନ୍ତୁଳି ବାହାଘର ହୋଇଛି । ଏଥିପାଇଁ ଓେଡିଂ କାର୍ଡ ଛପାଯାଇ ଲୋକଙ୍କୁ ନିମନ୍ତଣ କରାଯାଇଛି। ଉତ୍ତରପ୍ରଦେଶର ସୀତାପୁରରେ ଏହି ନିଆରା ବିବାହ ହୋଇଥିବା ଜଣାପଡ଼ିଛି ।

ବିବାହ ପାଇଁ ନିମନ୍ତ୍ରଣ କାର୍ଡ

କାର୍ଡରେ ଲେଖାହୋଇଛି, ଚିରଞ୍ଜିବୀ ରସାଳ (ଆମ୍ବ) ଏବଂ ଆୟୁଷ୍ମତୀ (ତେନ୍ତୁଳି)ର ବାହାଘର ହେବ। ଏହି ବିବାହ ରବିବାର ଅନନ୍ତ ଚତୁର୍ଦଶୀର ଶୁଭ ମୂହୁର୍ତ୍ତରେ ହୋଇଥିବା ଜଣାପଡ଼ିଛି। ବାହାଘର ପାଇଁ ଛପାଯାଇଥିବା କାର୍ଡରେ ଆମ୍ବକୁ  ‘ଫଳର ରାଜା’ ଏବଂ ତେନ୍ତୁଳିକୁ ‘ଚୁଲବୁଲି ଝିଅ’ ବୋଲି ଲେଖାଯାଇଛି। ମୁସ୍ତଫାବାଦରେ କଥିନା ନଦୀକୁ ପୁନର୍ଜୀବନ ଦେବା ଉଦ୍ଦେଶ୍ୟରେ ରବିବାର ଏହି ବାହାଘର ସମ୍ପନ୍ନ ହୋଇଛି। ବରଯାତ୍ରୀରେ ୪୦୦ ଅତଥି ବଳଦଗାଡ଼ିରେ ଆସିଥିବା ବେଳେ ୫୦ ନବବିବାହିତ ଯୋଡ଼ି ସାମିଲ ହୋଇଥିଲେ।

ଅତିଥିଙ୍କୁ ବଡ଼ ଉପହାର

ବିବାହ ମଣ୍ଡପର ସାଜସଜା ଅତ୍ୟନ୍ତ ମନୋରମ ହୋଇଥିବା ବେଳେ ଅତଥିଙ୍କୁ ପୁରୀ, ତରକାରି, ରାଇତା ଏବଂ ଦହିବରା ଖାଇବାକୁ ଦିଆଯାଇଥିଲା। ବେଦୀ ପାଖରେ ତେନ୍ତୁଳି ଗଛ ରୋପଣ କରାଯାଇଥିଲା। ଝିଅ (ତେନ୍ତୁଳି)କୁ ବିଦା କରିବା ପରେ ଯଥାରୀତି ଯୌତୁକ ଦିଆଯାଇଥିବା ଜଣାପଡ଼ିଛି।

ନିଆରା ବିବାହର ଉଦ୍ଦେଶ୍ୟ

ମୁଖ୍ୟ ବିକାଶ ଅଧିକାରୀ (ସିଡିଓ) ଅକ୍ଷତ ବର୍ମାଙ୍କ ଅନୁସାରେ, ଲୋକେ ବହୁ ଦିନ ଆଗରୁ ଏହି ବିବାହ ପାଇଁ ଯୋଜନା କରିଥିଲେ। ବାହାଘର କରିବା ଦ୍ବାରା କଥିନା ନଦୀର ପୁନରୁଦ୍ଧାର ହୋଇପାରିବ ବୋଲି ଲୋକମାନେ ବିଶ୍ବାସ କରୁଛନ୍ତି। ଏବେ ନଦୀ କୂଳରେ ଲୋକେ ଫଳ ଗଛ ଲଗାଇବାକୁ ମଧ୍ୟ ଯୋଜନା କରୁଥିବା ଅକ୍ଷତ ବର୍ମା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.