ମଙ୍ଗଳସୁତ୍ର ପିନ୍ଧାଇବା ବେଳେ ବରର ମୁହଁ ଦେଖି ବିବାହ ବେଦୀରୁ ଉଠିଗଲେ କନ୍ୟା, ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ..
23/11/2019 at 2:58 PM

କାନପୁର୨୨/୧୧: ଏକ ଅଜବ ପ୍ରକାର ଘଟଣା ସାମ୍ନାକୁ ଆସିଛି। ବିବାହ ମଣ୍ଡପରେ ବର ପହଞ୍ଚିବା ପରେ କନ୍ୟା ତାଙ୍କୁ ଦେଖି ବିବାହ କରିବେନି ବୋଲି ରୋକ୍ଠୋକ୍ ମନା କରି ଦେଇଥିଲେ। କାରଣ ବରର ବୟସ କନ୍ୟାର ବୟସଠାରୁ ଦୁଇଗୁଣ ହେବ। ସେଥିଲାଗି କନ୍ୟା ସିଧା ବିବାହ ବେଦୀରୁ ଉଠି ଚାଲି ଯାଇଥିଲେ। ଝିଅ ଘରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ତାଙ୍କ ବାପା ଜଣେ ବୟସ୍କ ବ୍ୟକ୍ତିଙ୍କ ସହ ତାଙ୍କର ବିବାହ ସ୍ଥିର କରି ଦେଇଥିଲେ। ଏହି ଘଟଣା ସଂପର୍କରେ କନ୍ୟାଙ୍କ ବଡ଼ ଭଉଣୀ ପୋଲିସ୍କୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାହାଘର ବନ୍ଦ କରିଥିଲେ। ଔରାୟର ଭୌନ୍ତପୁରରେ ଏଭଳି ଘଟଣା ଘଟିଛି।

ପୋଲିସର ସୂଚନା ଅନୁସାରେ ଭୌନ୍ତପୁରର ବାସିନ୍ଦା ମନୋରମାଙ୍କ ବିବାହ ମହାରାଜଙ୍କ ସହ ସ୍ଥିର ହୋଇଥିଲା। ଗତ ନଭେମ୍ବର ୨୦ ତାରିଖରେ ବୌଦ୍ଧଧର୍ମ ରୀତି-ରିବାଜରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। କନ୍ୟାଙ୍କୁ ମଙ୍ଗଳସୁତ୍ର ପିନ୍ଧାଇବା ବେଳେ ସେ ବରର ମୁହଁକୁ ଦେଖି ଦେଇଥିଲେ। ବରର ମୁହଁରୁ ତାଙ୍କ ବୟସ ସ୍ପଷ୍ଟ ଭାବେ ମନୋରମା ଅନୁମାନ କରି ପାରିଥିଲେ। ତେଣୁ ବାହା ହେବେ ନାହିଁ କହି ସିଧା ବେଦୀରୁ କନ୍ୟା ଉଠି ଯାଇଥିଲେ।

ଏହା ପରେ ବିବାହ ମଣ୍ଡପରେ ବର ଘର ପକ୍ଷରୁ ହୋହାଲ୍ଲା ଆରମ୍ଭ ହୋଇଯାଇଥିଲା। ଏହି ସମୟରେ କନ୍ୟାର ବଡ଼ ଭଉଣୀ ୧୧୨ ନମ୍ବରରେ କଲ କରି ପୋଲିସଙ୍କୁ ଖବର ଦେଇଥିଲେ। ପୋଲସ ପହଞ୍ଚି ବର ସମେତ ବର ଯାତ୍ରୀଙ୍କୁ ଦାଗିଦ୍ କରିଥିଲା। ଝିଅର ଇଚ୍ଛା ବିରୋଧରେ ତାଙ୍କୁ ଜବରଦସ୍ତ ବାହା ଦେବା ଅପରାଧ ବୋଲି ଉଭୟ ବର ଓ କନ୍ୟା ଘର ଲୋକଙ୍କୁ ପୋଲିସ ବୁଝାଇଥିଲେ।