ଜାଲିଆତି କରି ଜମି ବିକି ଟଙ୍କା ନେଇଗଲେ ଦେଢ଼ଶୂର, ଲାଞ୍ଚ ଢ଼ୋକିଛନ୍ତି ଆର୍ଆଇ ଏବଂ ଅଫିସର
3/03/2020 at 7:04 PM

ବୌଦ୍ଧ୩/୩: ବୌଦ୍ଧ ହରଭଙ୍ଗା ବ୍ଲକରେ ଜଣେ ମହିଳାଙ୍କ ଜମିକୁ ଜାଲିଆତି କରି ଅନ୍ୟ ଜଣଙ୍କୁ ବିକି ଦେଇଛନ୍ତି ସଂପୃକ୍ତ ମହିଳାଙ୍କ ଦେଢ଼ଶୂର। ଆଉ ଟଙ୍କା ଖାଇ ଏଭଳି ଜାଲିଆତି କାରବାରରେ ସ୍ଥାନୀୟ ତହସିଲଦାର ଏବଂ ଆରଆଇ ସମ୍ପୂର୍ଣ୍ଣ ସହାୟତା କରିଥିବା ଅଭିଯୋଗ ହୋଇଛି । ଆଉ ସରକାରୀ ବାବୁଙ୍କ କଳାକାରନାମାର ପ୍ରମାଣ ନ୍ୟୁଜ୍ 7 ହାତରେ ଲାଗିଥିଲା।

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ହରିଜନ ସାହିର ପ୍ରମିଳା ବହେରା । ବୟସ ପାଖାପାଖି ୫୫ । ପେଟପାଟଣା ପାଇଁ ଗାଁ ଛାଡି ଅନେକ ବର୍ଷ ହେଲାଣି ସ୍ବାମୀ ଏବଂ ପିଲାଛୁଆଙ୍କୁ ଧରି ଭୁବନେଶ୍ବରରେ ରହୁଛନ୍ତି । ଏବେ ପୂରା ପରିବାର ଗାଁକୁ ଫେରିବାକୁ ଚାହିଁଲେ ବି ତାହା ସମ୍ଭବ ହେଉନି । କାହିଁକି ନା’ ଗାଁରେ ଥିବା ପୈତୃକ ସମ୍ପତ୍ତିକୁ ଚଞ୍ଚକତା କରି ଅନ୍ୟ ଜଣଙ୍କୁ ବିକିଦେଇଛନ୍ତି ପ୍ରମିଳାଙ୍କ ଦେଢ଼ଶୂର। ୨୦୦୪ରେ ପ୍ରମିଳାଙ୍କ ଶ୍ବଶୂରଙ୍କୁ ନିଃସନ୍ତାନ ଦର୍ଶାଇ ତାଙ୍କ ଦେଢଶୂର ମାତ୍ର ୩୩ ହଜାର ଟଙ୍କାରେ ସେ ଜମିକୁ ବିକ୍ରି କରି ଦେଇଛନ୍ତି । ନ୍ୟାୟ ପାଇଁ ପ୍ରମିଳା ସ୍ଥାନୀୟ ଆରଆଇ, ତହସିଲଦାରଙ୍କ ଠାରୁ ଆରମ୍ଭ କରି ଉପଜିଲ୍ଲାପାଳ ଏବଂ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖକୁ ଦୌଡି ଦୌଡି ନୟାନ୍ତ ହେଲେଣି, କିନ୍ତୁ କେହି ଶୁଣୁନଥିବା ଅଭିଯୋଗ ହୋଇଛି ।

ପ୍ରମିଳାଙ୍କ ଅଭିଯୋଗ ଶୁଣିବା ପରେ ଘଟଣାର ଅନୁସନ୍ଧାନ କରିଥିଲା ନ୍ୟୁଜ୍ 7 ଟିମ୍ । ଆଉ ଆମ ଅନୁସନ୍ଧାନରୁ ଖୋଲିଥିଲା ସରକାରୀ ବାବୁଙ୍କ କଳାକାରନାମାର କଚ୍ଚା ଚିଠା । ନଜର ପକାନ୍ତୁ ଉପଜିଲ୍ଲାପାଳଙ୍କ ଅଫିସରୁ ଆସିଥିବା ରିପୋର୍ଟ ଉପରେ । ଏଥିରେ ସ୍ପଷ୍ଟ ଲେଖା ଅଛି, ପୁରୁଣା କଟକ ଖାତା ନଂ. ୧୯୨, ପ୍ଲଟ୍ ନଂ ୬୨୪ରେ ଥିବା ୫ଡିସିମିଲ୍ ଘରବାରି ଜାଗା ସଂଖାଳି ବେହେରାଙ୍କ ନାମରେ ରହିଛି ।

ଯାହାର ଉତ୍ତରାଧିକାରୀ ମହେଶ୍ବର ବେହେରା ଏବଂ ଧଇଶ୍ବର ବେହେରା ଅଛନ୍ତି । ମହେଶ୍ବରଙ୍କ ଉତ୍ତରାଧିକାରୀ ନରସିଂହ ଏବଂ ଦଇଶ୍ବରଙ୍କ ଉତ୍ତରାଧିକାରୀ ନିରନ ବେହେରାଙ୍କ ନାଁ ରହିଛି । ହେଲେ କବଲାରେ ଦଇଶ୍ବରଙ୍କୁ ନିଃସନ୍ତାନ ଦର୍ଶାଇ ଚଞ୍ଚକତା କରି ତାଙ୍କର ପୈତୃକ ଜମିକୁ ଅନ୍ୟକୁ ବିକ୍ରି କରାଯାଇଛି । ପୁଣି ଏହାର ତଦନ୍ତ କରି ଆରଆଇ ରିପୋର୍ଟ ଦେଇଛନ୍ତି, ଦଇଶ୍ବର ମହାନନ୍ଦ ଅବିବାହିତ ଏବଂ ତାଙ୍କର ମୃତ୍ୟୁ ହୋଇସାରିଛି ।

ତହସିଲଦାର ମଧ୍ୟ ଏହାକୁ ନଜର ଅନ୍ଦାଜ କରି ଜମି ବିକ୍ରିରେ ସହାୟତା କରିଛନ୍ତି । ଏଠି ସମସ୍ତଙ୍କ ମିଲିଭଗତରେ ଜାଲିଆତି କରାଯାଇ ଜଣଙ୍କ ଜମିକୁ ଅନ୍ୟ ଜଣଙ୍କୁ ବିକ୍ରି କରାଯାଇଛି । ଆଉ କାରନାମା ଧରାପଡ଼ିବା ପରେ ପୁରୁଣା କଟକ ଆରଆଇ କେମିତି ପ୍ରତିକ୍ରିୟା ରଖୁଛନ୍ତି ତାକୁ ବି ଟିକେ ଦେଖନ୍ତୁ । ପୂର୍ବରୁ ପ୍ରମିଳାଙ୍କ ଅଭିଯୋଗ ଶୁଣିନଥିବା ଜିଲ୍ଲାପାଳ ଏବେ ମିଡିଆର ବୁମ୍ ଦେଖି ତଦନ୍ତ ଆଉ କାର୍ଯ୍ୟାନୁଷ୍ଠାନର ଭରସା ଦେଉଛନ୍ତି ।

ଗାଁ ଗହଳିରେ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରିବାକୁ ନିଯୁକ୍ତ ହୋଇଥିବା ଏହି ସରକାରୀ ବାବୁମାନେ ନିଜ ପକେଟ୍ ଗରମ୍ କରିବାକୁ ଏମିତି ଜାଲିଆତିରେ ସାମିଲ ହେଉଛନ୍ତି । ଯେଉଁମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ହେବା ଜରୁରୀ ହୋଇପଡ଼ିଛି । ନଚେତ୍ ଏମିତି କିଛି ଅସାଧୁ କର୍ମଚାରୀଙ୍କ ପାଇଁ ପୂରା ପ୍ରଶାସନ ଉପରୁ ଲୋକଙ୍କ ଭରସା ଉଠିଯିବ ।