Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ସାତ ବର୍ଷ ହିନ୍ଦୁ ପରିବାରରେ ବଢିଲେ, ୧୯ ବର୍ଷ ବୟସରେ ମୁସଲିମ ମା-ବାପାଙ୍କ ନିକଟକୁ ଫେରିଗଲେ, ଏମିତି ଥିଲା କାହାଣୀ…

13/07/2021 at 6:21 PM

ଜବଲପୁର ୧୩।୦୭: ବଢିଲେ ହିନ୍ଦୁ ପରିବାରରେ ଏବେ ଚାଲିଗଲେ ମୁସଲିମ ପରିବାରକୁ। ଏହି ସାତ ବର୍ଷରେ ଥିଲା ଗୋଟିଏ ପରିଚୟ, ଆଉ ଏବେ ଆଉ ଏକ ପରିଚୟରେ ହେବେ ପରିଚିତ। ଜବଲପୁରରୁ ନିଖୋଜ ହେବା ପରେ ନାଗପୁରର ଜଣେ ହିନ୍ଦୁ ପରିବାର ମୁସଲିମ ପିଲାର ଲାଳନପାଳନ କରିଥିଲେ। ସାତ ବର୍ଷ ପର୍ଯ୍ୟନ୍ତ ନିଜ ଘରେ ରଖି ନିଜ ପୁଅ ପରି ଭଲ ପାଇବା ଦେଲେ। ହେଲେ ଜୁନ ୩୦ରେ ଉକ୍ତ ପିଲାଟି ଜବଲପୁର ସ୍ଥିତ ନିଜ ମା-ବାପାଙ୍କ ନିକଟକୁ ଫେରି ଯାଇଛି। ଜୁଲାଇ ୧୨ରେ ସେହି ପିଲା  ପୁଣି ଥରେ ନାଗପୁର ଆସିଥିଲା, ସେହି ମାଙ୍କ ଜନ୍ମଦିନ ପାଳନ ପାଇଁ ଯିଏ ତାଙ୍କୁ ୧୨ ବର୍ଷ ପର୍ଯ୍ୟନ୍ତ ନିଜ ପୁଅ ପରି ପାଳିଥିଲେ।

ସୂଚନା ଅନୁଯାୟୀ, ପିଲାଟି ୨୦୧୨ରେ ନିଖୋଜ ହୋଇ ଯାଇଥିଲା। ସେ ମାନସିକ ଭାବେ ଦୁର୍ବଳ ଥିଲା। ନିଖୋଜ ହେବା ପରେ ପିଲାଟି ନିଜ ବିଷୟରେ କିଛି ଜାଣିନଥିଲା। ତା ନାଁ କଣ, ବାପାଙ୍କ ନାଁ କଣ, କେଉଁଠି ଘର କିଛି ଜାଣିନଥିଲା। ପରିବାର ଲୋକଙ୍କ ଅନୁସାରେ, ଆମିର ୨୦୧୨ରେ ଅଚାନକ ଘରୁ ନିଖୋଜ ହୋଇ ଯାଇଥିଲା। ସେ କୌଣସି ପ୍ରକାରେ ନାଗପୁର ରେଲଓ୍ଵେ ଷ୍ଟେସନ ପହଞ୍ଚି ଯାଇଥିଲା। ହେଲେ ପୋଲିସକୁ ସେ ନିଜ ଘରର ଠିକଣା କହି ପାରିନଥିଲା। ସେହି ସମୟରେ ତାର ବୟସ ମାତ୍ର ୮ ବର୍ଷ ହୋଇଥିଲା। ଏହା ପରେ ପୋଲିସ ବାଳକଟିକୁ ଏକ ସରକାରୀ ବାଳସୁଧାର ଗୃହକୁ ପଠାଇ ଦେଇଥିଲେ।

ହେଲେ ଉକ୍ତ ସଂସ୍ଥା ବନ୍ଦ ହେବା ପରେ ସମସ୍ତ ପିଲା ନିଜ ଘର କିମ୍ବା ସଂପର୍କୀୟଙ୍କ ନିକଟକୁ ଚାଲିଗଲେ। ହେଲେ ଆମିରକୁ ନେବା ପାଇଁ କେହି ଆସିନଥିଲେ। ଏହି ସମୟରେ ସାମାଜିକ କର୍ମୀ ସମର୍ଥ ଦାମଲେ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ଆମିରକୁ ନିଜ ଘରକୁ ନେଇ ଯାଇଥିଲେ। ଏଥିସହ ପିଲାଟିର ନାଁ ଅମନ ରଖିଥିଲେ।

ଆଧାରକାର୍ଡରୁ ଜଣା ପଡିଲା ନାମ

ଚଳିତ ବର୍ଷ ଏସଏସସି ପରୀକ୍ଷା ଦେବା ପାଇଁ ଆମିର ଆଧାରକାର୍ଡ ତିଆରି କରିଥିଲା। ଆଧାରକାର୍ଡ ତିଆରି ପ୍ରକ୍ରିୟା ଯେବେ ଆରମ୍ଭ ହେଲା ତେବେ ଜଣା ପଡିଲା ଯେ, ଅମନଙ୍କ ପ୍ରକୃତ ନାମ  ଆମିର ଏବଂ ସେ ଜବଲପୁରର ନିବାସୀ। ସାମାଜିକ କର୍ମୀ ଦାମଲେ ତା ବାପା ଆୟୁବ ଖାନଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ। ଜୁନ ୩୦ରେ ଶେଷରେ ଆମିର ନିଜ ମୁସଲିମ ମା-ବାପାଙ୍କ ନିକଟକୁ ଫେରି ଯାଇଥିଲା।

ଜୁଲାଇ ୧୨ରେ ଆସିଲେ ନାଗପୁର

ଆମିର ନିଜ ପାଳିତ ମା ଲକ୍ଷ୍ମୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, ଜୁଲାଇ ୧୨ରେ ଜନ୍ମଦିନରେ ସେ ନିଶ୍ଚୟ ଆସିବେ। ପ୍ରତିଶ୍ରୁତି ପାଳନ କରି ସୋମବାର ଆମିର ନାଗପୁର ପହଞ୍ଚିଥିଲେ। ସମର୍ଥ ଦାମଲେ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି, ଆମିରଙ୍କ ଅମନ ନାମରେ କୌଣସି ଆଧାର କାର୍ଡ ହୋଇ ପାରୁନଥିଲା। ଏହାକୁ ନେଇ ସେ ମୁଖ୍ୟ ଆଧାର ସେବା କେନ୍ଦ୍ର ଯାଇଥିଲେ। ସେଠାରେ ସେ ଜାଣିବାକୁ ପାଇଲେ ଯେ, ପିଲାଟିର ଆଧାରକାର୍ଡ ଆମିର ନାମରେ ପୂର୍ବରୁ ରହିଛି। ସେଥିରେ ଜବଲପୁରର ଠିକଣା ରହିଥିଲା। ଏହା ପରେ ହିଁ ସମର୍ଥ ଦାମଲେ ତାର ବାପା-ମା ସହ ଯୋଗାଯୋଗ କରିପାରିଥିଲେ।

   Related Posts