ଖୁସି ନେଇଗଲା କରୋନା, ଦେଇଗଲା ସାରା ଜୀବନ ଭାବିବାକୁ ଦୁଃଖ: ଛୁଆ ପାଇଁ ଲୁହ ଝରାଇ ପାରିଲେନି, ମୃତଦେହକୁ ୨୦ ଘଣ୍ଟା ଯାଏଁ ବ୍ୟାଗ୍‌ରେ ରଖିଥିଲେ...

Published By : Prameya-News7 Bureau | June 18, 2020 IST

ନୂଆପଡ଼ା୧୮/୦୬: ଲକ୍‌ଡାଉନ୍‌ରେ ଭୋକ ଉପବାସରେ ଫସି ରହିଥିଲେ ୩ ମାସ କାଳ । ହାତରେ କାଣି କଉଡ଼ିଟିଏ ନଥିଲା । ଘରକୁ ଫେରିବା ବି ଜରୁରି ଥିଲା । ଟ୍ରେନ୍‌ ମିସ୍‌ କଲେ ଫେରିବା ବାଟ ବନ୍ଦ ହୋଇ ଯାଇଥାନ୍ତା । ଏଣୁ ଦିନକ ପୂର୍ବରୁ ଜନ୍ମିତ ଶିଶୁପୁତ୍ରକୁ କୋଳରେ ଧରି ଟ୍ରେନ୍‌ରେ ଯାତ୍ରା କରିବାକୁ ବାଧ୍ୟ ହେଲେ ପ୍ରସୂତି । ହେଲେ ଭିଟାମାଟିର ମୁହଁ ଦେଖିବା ବୋଧହୁଏ ଶିଶୁପୁତ୍ରର ଭାଗ୍ୟରେ ନଥିଲା । ଟ୍ରେନ୍‌ ଯାତ୍ରା ବେଳେ ଭିଡ଼ ଭିତରେ ଶ୍ୱାସରୁଦ୍ଧ ହୋଇ ଆରପାରିକୁ ଚାଲିଗଲା ନବଜାତକ । ହେଲେ ଭୟରେ କାହାକୁ କିଛି ନ କହି କୋଳରେ ନବଜାତକର ନିଶ୍ଚଳ ଶରୀର ଓ ଛାତିରେ କୋହ ଭରି ଚୁପ୍‌ଚାପ୍‌ ଟ୍ରେନ୍‌ରେ ଫେରିଲେ ବାପା ମା’ । ଏଭଳି ଏକ ସ୍ପର୍ଶକାତର ଘଟଣା ନୂଆପଡ଼ା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ସୂଚନା ମୁତାବିକ, ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା ବସନା ଥାନା ଗଡ଼ଫୁଲଝର ଗାଁ ତୁଲାରାମ ପାଣ୍ଡେ(୨୩) ଓ ସ୍ତ୍ରୀ ତରୁରବାଇ ପାଣ୍ଡେ(୨୦) ଉତ୍ତର ପ୍ରଦେଶ ଗୋରଖପୁର ଅଞ୍ଚଳରେ ଇଟା ତିଆରି କାମରେ ନିୟୋଜିତ ଥିଲେ । ଲକ୍‌ଡାଉନରେ କାମ ଧନ୍ଦା ବନ୍ଦ ହେବା ପରେ ଯାହା କିଛି ରୋଜଗାର କରିଥିଲେ ସବୁ ସରିଗଲା । ୩ ମାସ ଧରି ଭୋକ ଉପବାସରେ ଇଟା ଭାଟିରେ ପଡ଼ି ରହିଥିଲେ । ପ୍ରବାସୀ ଶ୍ରମିକଙ୍କ ଉଦ୍ଧାର ପ୍ରକ୍ରିୟା ସରକାରୀ ସ୍ତରରେ ଆରମ୍ଭ ହେବା ପରେ ଦମ୍ପତି ଘରକୁ ଫେରିବା ପାଇଁ ନାମ ପଞ୍ଜିକରଣ କରିଥିଲେ।

ଚତୁରବାଇ ୧୦ ମାସର ଗର୍ଭବତୀ ଥିଲେ । ଗତ ୧୪ ତାରିଖ ଅପରାହ୍ନରେ ସନୱା ମେଡିକାଲରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ୧୫ ତାରିଖରେ ସ୍ୱତନ୍ତ୍ର ପ୍ରବାସୀ ଶ୍ରମିକ ଟ୍ରେନରେ ଫେରିବାକୁ ସ୍ଥିର ହୋଇଥିବାବେଳେ ଦିନକ ପୂର୍ବରୁ ଜନ୍ମିତ ଶିଶୁକୁ କେମିତି ଧରି ଟ୍ରେନରେ ଯାତ୍ରା କରିବେ ସେହି ଚିନ୍ତାରେ ଶ୍ରମିକ ଦମ୍ପତି ଘାରି ହେଉଥିଲେ । ରୋଜଗାର ହରାଇ ୩ ମାସ ହେଲା ଇଟା ଭାଟିରେ ବସି ରହିଥିଲେ । ଏଭଳି ସ୍ଥିତିରେ ଟ୍ରେନ ଚାଲିଗଲେ, ଫେରିବା ବାଟ ବି ବନ୍ଦ ହୋଇଯିବ । କେଉଠି ରହିବେ, କେମିତି ରହିବେ କିଛି ବୁଦ୍ଧିବାଟ ଦିଶୁନଥିଲା । ଶେଷରେ ମେଡିକାଲରୁ ଡିସଚାର୍ଯ୍ୟ ହୋଇଥିଲେ । ଯେମିତି ହେଲେ ନବଜାତକକୁ ନେଇ ଟ୍ରେନରେ ଫେରି ଆସିବାକୁ ସ୍ଥିର କଲେ ।

ଗତ ୧୫ ତାରିଖ ସନ୍ଧ୍ୟା ୭ଟାରେ ଗୋରଖପୁର ରେଲୱେ ଷ୍ଟେସନରେ ଟ୍ରେନ ଲାଗିଥିଲା । ଦିନକର ଛୁଆକୁ ଧରି ଉଭୟ ଶ୍ରମିକ ଦମ୍ପତି ଚଢ଼ିଥିଲେ । ପ୍ରବଳ ଭିଡ଼ ସତ୍ତେ୍ୱ ନବଜାତକକୁ ଧରି ବହୁ କଷ୍ଟରେ ପଶିଥିଲେ । ହେଲେ ରାତି ପ୍ରାୟ ୧୧ଟାରେ ଶିଶୁ ପୁତ୍ରର ମୃତ୍ୟୁ ହୋଇଗଲା । ଏକଥା ଅନୁଭବ କରିବା ପରେ କାହାକୁ କହିବେ, କ’ଣ କହିବେ, ଏମିତି ଭୟରେ ସ୍ୱାମୀ ସ୍ତ୍ରୀ କାହାରିକୁ କିଛି ନକହି ଚୁପ୍‌ ହୋଇଗଲେ । ମୃତ ଶିଶୁପୁତ୍ରକୁ କାଖରେ ଧରି ରାତି ସାରା, ତା ପରଦିନ ଦିନ ତମାମ ଯାତ୍ରା କରିଥିଲେ । ଏମିତି ପ୍ରାୟ ୨୦ ଘଣ୍ଟାର ଯାତ୍ରା ପରେ ଗତକାଲି ସନ୍ଧ୍ୟା ୭ଟାରେ ଟ୍ରେନ ଖରିଆରରୋଡ ଷ୍ଟେସନରେ ପହଞ୍ଚିଥିଲା । ସେଠାରୁ ଏକ ସ୍ୱତନ୍ତ୍ର ବସ ଯୋଗେ ଶ୍ରମିକଙ୍କୁ ସିଲଦା ସ୍ଥିତ ନ୍ୟାସନାଲ କଲେଜକୁ ଆଣିଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ଶ୍ରମିକମାନଙ୍କୁ ତାଙ୍କ ଗାଁକୁ ପଠାଇବାର ବ୍ୟବସ୍ଥା କରିଥିଲେ । ଏହି ସମୟରେ କିଛି ଶ୍ରମିକଙ୍କୁ ସନ୍ଦେହ ହୋଇଥିଲା । ଶିଶୁପୁତ୍ରକୁ ନେଇ ପଚରା ଉଚୁରା କରିଥିଲେ । ପରେ ନବଜାତକର ମୃତ୍ୟୁ ହୋଇଥିବା ସ୍ତ୍ରୀ ଚତୁରବାଇ କହିଥିଲେ । ଖବର ପାଇ ଜୋଙ୍କ ପୁଲିସ ଶବ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

ବୁଧବାର ମଧ୍ୟାହ୍ନରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଅପରାହ୍ନରେ ଏକ ସ୍ୱତନ୍ତ୍ର ଗାଡ଼ି କରି ସ୍ୱାମୀ ସ୍ତ୍ରୀଙ୍କ ସହ ନବଜାତକର ଶବକୁ ଗାଁକୁ ପଠାଇ ଦେଇଥିବା ଜୋଙ୍କ ଥାନା ତଦନ୍ତକାରୀ ଏସ୍‌ଆଇ ଭାରତୀ ନାଏକ ସୂଚନା ଦେଇଛନ୍ତି ।

wp:heading {"level":3}

ମୃତଦେହକୁ ବ୍ୟାଗ୍‌ରେ ରଖିଥିଲେ

/wp:heading

ମୃତ ଶିଶୁକୁ କୋଳରେ ଧରି ଫେରିବା ଘଟଣାରେ ପୁଲିସ ଓ ପ୍ରଶାସନ ଛାନ୍‌ଭିନ୍‌ ଆରମ୍ଭ କରିବା ପରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଶିଶୁପୁତ୍ରଟି ଟ୍ରେନ୍‌ରେ ମରିବା ଜାଣିବା ପରେ ମାତାପିତା ତାକୁ ବ୍ୟାଗ୍‌ ଭିତରେ ଭର୍ତ୍ତିକରି ଆଣିଥିବା କୁହାଯାଉଛି ।

ପ୍ରକାଶ ଯେ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌ରୁ ପ୍ରବାସୀମାନେ ଓହ୍ଲାଇବା ପରେ ଷ୍ଟେସନ୍‌ରେ ହିଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କ ବଡି ସ୍କାନିଂ କରାଯିବା ସହ ସ୍ୱାସ୍ଥ୍ୟର ଯାଞ୍ଚ ହୋଇଥାଏ । ଏଭଳି ସ୍ଥିତିରେ ଶିଶୁଟିର ମୃତାବସ୍ଥା ଷ୍ଟେସନ୍‌ରେ ହିଁ ଧରାପଡ଼ିଥାନ୍ତା । କିନ୍ତୁ ଷ୍ଟେସନ ପରିବର୍ତ୍ତେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଜଣାପଡ଼ିଥିଲା । ଏନେଇ ଯାଞ୍ଚ କରାଯିବା ପରେ ଦମ୍ପତି ପିଲାଟିକୁ ବ୍ୟାଗ୍‌ରେ ଭରି ଆଣିଥିବା ଘଟଣା ସାମ୍ନାକୁ ଆସିଥିଲା ବୋଲି ସିଡିଏମ୍‌ଓ କାଳୀଚରଣ ବେହେରା ସୂଚନା ଦେଇଛନ୍ତି । ଏକଥା ଉଭୟ ଦମ୍ପତି ସ୍ୱୀକାର କରିଥିବା ସିଡିଏମ୍‌ଓ କହିଛନ୍ତି । ତେବେ ଘଟଣାର ଏବେ ଛାନ୍‌ଭିନ୍‌ ଚାଲିଛି ଏବଂ ତଦନ୍ତ ପରେ ସବୁକିଛି ସ୍ପଷ୍ଟହେବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.