ଖଲ୍ଲିକୋଟ ୦୬।୧୨: ଗଞ୍ଜାମ ଚମାଖଣ୍ଡି ଥାନା ଅଧୀନ ରଘୁନାଥପୁର ଗ୍ରାମରେ ଏକ ଘରୁ ରକ୍ତାକ୍ତ ଅବସ୍ଥାରେ ମୃତ୍ୟୁ ଦେହ ପୁଲିସ ଉଦ୍ଧାର କରିଛି। ମୃତକ ହେଉଛନ୍ତି ରଘୁନାଥପୁର ଗାଁର ବି ଲିଙ୍ଗରାଜ ରେଡି। ମିଳିଥିବା ଅନୁସାରେ ରବିବାର ଲିଙ୍ଗରାଜଙ୍କ ଭଉଣୀ ଘରକୁ ଆସିଥିବାବେଳେ ତାଙ୍କର ଘର କବାଟ ଖୋଲାଥିଲା। ହେଲେ ଭାଇ ଲିଙ୍ଗରାଜଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ସେ ଦେଖିବାକୁ ପାଇଥିଲେ।
ଏପରିକି ଘରର ଆସବାପାତ୍ର ଗୁଡିକ ଏଣେ ତେଣେ ପଡ଼ିଥିବାର ଦେଖିଥିଲେ। ବିଭିନ୍ନ ସ୍ଥାନରେ ରକ୍ତ ପଡିଥିବା ଦେଖି ପରେ ଏ ସମ୍ପର୍କରେ ଗ୍ରାମବାସୀଙ୍କୁ କହିଥିଲେ। ଗ୍ରାମବାସୀ ଚମାଖଣ୍ଡି ପୁଲିସକୁ ଅବଗତ କରାଇଥିଲେ। ଖବର ପାଇ ରାତ୍ରରେ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଏସଡ଼ିପିଓ ଗୌତମ କିଷାନ, ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ପହଂଚି ତଦନ୍ତ ଜାରି ରଖିଛନ୍ତି। ଶବ ନିକଟରେ ଏକ ରକ୍ତ ଭିଜା କୋଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ହତ୍ୟା କରାଯାଇଥିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ସେ ଜଣେ ଚାଷୀ ନିଜ ଘରେ ସେ ଏକଟିଆ ରହୁଥିଲେ।